• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୃଢ଼ ଇଚ୍ଛାଶକ୍ତି ଓ ଅଦମ୍ୟ ସାହସ ବଳରେ ସେ କ୍ୟାନସର ଭଳି ରୋଗକୁ ମାତ ଦେଇଥିଲେ । ଜୀବନ ଯୁଦ୍ଧରେ ହାରି ନଯାଇ ଅତି କମ୍‌ ବୟସରେ କ୍ୟାନସର ସହ ଲଢେଇ କରି ବିଜୟିନୀ ସାଜିଥିଲେ । ତେବେ ସମସ୍ତଙ୍କୁ ସାହସର ସହ ରୋଗ ବିରୋଧରେ ଲଢ଼ିବାକୁ ବାର୍ତ୍ତା ଦେଉଥିବା କଟକ ବିଡାନାସୀ ଚହଟ୍ଟା ନଗର ଅଞ୍ଚଳର ସ୍ୱାଗତିକା ଆଚାର୍ଯ୍ୟ ଏବେ ପର୍ବତାରୋହଣ କରି ଚର୍ଚ୍ଚାରେ ଅଛନ୍ତି ।  ସେ ୧୨୦୦୦ ଫୁଟ ଉଚ୍ଚ ପର୍ବତ ଆରୋହଣ କରିଛନ୍ତି  ।

ଦୀର୍ଘ ୪ ଦିନ ଧରି ଏହି ଯାତ୍ରା କରି ଶେଷରେ ଉତ୍ତରାଖଣ୍ଡର ଡେରାଡୁନର ଦୟାରା ବୁଗୁଆଲ ପର୍ବତ ଚଢିଥିଲେ । ସ୍ୱାଗତିକା ଟ୍ରେକିଂ କରୁଥିବା ସମୟରେ ସେଠାକାର ତାପମାତ୍ରା ଥିଲା ୮ ରୁ ୧୦ ଡିଗ୍ରୀ ସେଲସିୟସ । ହେଲେ ରାତିର ହାଡ଼ଭଙ୍ଗା ଶୀତ ଭିତରେ ବି ତାଙ୍କ ପାଦ ଥକିନଥିଲା । ଲଗାତାର ସାଥୀ ମାନଙ୍କ ସହ ଚାଲୁଥିଲେ ।  ତାଙ୍କ ଭଳି ୮ ଜଣ କ୍ୟାନସର ବିଜୟୀ ଏହି ଟ୍ରେକିଂରେ ସାମିଲ ହୋଇଥିବା ବେଳେ ସ୍ୱାଗତିକାଙ୍କ ସହ ତାଙ୍କ ବାପା ମନୋରଞ୍ଜନ ଆଚାର୍ଯ୍ୟ ମଧ୍ୟ ସାମିଲ ହୋଇଥିଲେ ।

ଆପୋଲୋ ହସପିଟାଲ ପକ୍ଷରୁ ଆୟୋଜିତ ଏହି ଟ୍ରେକିଂ କାର୍ଯ୍ୟକ୍ରମରେ ଡାକ୍ତରୀ ଟିମ ମଧ୍ୟ ଯାଇଥିଲେ ।   ମାନସିକ ସ୍ତରରେ କର୍କଟ ଉପରେ ଜିତିବା ଉଦ୍ଦେଶ୍ୟରେ ଏହିଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କ୍ୟାନସର ରୋଗକୁ ପରାସ୍ତ କରିଥିବା ଏହି ଯୋଦ୍ଧାମାନେ ଅନ୍ୟମାନଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ । ତେବେ ଆଗକୁ ଯଦି ସୁଯୋଗ ମିଳେ ତେବେ ଏଭେରେଷ୍ଟ ଆରୋହଣ କରିବି ବୋଲି କହିଛନ୍ତି ସ୍ୱାଗତିକା ।