• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧନ୍ୟ ତୁ ଯବାନ ବୀର । ସହଜ ନୁହେଁ ବୀର ଯବାନଙ୍କ ଜୀବନ ଜିଇଁବା । କେତେବେଳେ ଖରାରେ ତ ପୁଣି କେତେବେଳେ ବରଫପାତରେ ଜୀବନ ବିତାନ୍ତି ସେମାନେ । ଦେଶ ସୁରକ୍ଷାରେ ବ୍ରତୀ ଥିବା ଭାରତ ମାତାର ସୁଯୋଗ୍ୟ ପୁତ୍ର ପାଇଁ ବ୍ୟକ୍ତିଗତ ସୁଖସୁବିଧାର କୌଣସି ମାନେନାହିଁ । LoCରେ କାମ କରୁଥିବା ଜଣେ ଓଡ଼ିଆ ଯବାନ ନାରାୟଣ ବେହେରାଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି । ବାହାଘର ପାଇଁ ତାଙ୍କୁ ଏୟାରଲିଫ୍ଟ କରାଯାଇଛି । ତୁଷାରପାତ ଯୋଗୁ ଏପରି ଜରୁରୀ ପଦକ୍ଷେପ ନେଇଛି ବିଏସଏଫ୍ । ତଥାପି ଠିକଣା ସମୟରେ ପହଞ୍ଚି ନପାରିବାରୁ ଘୁଞ୍ଚିଲା ବାହାଘର ।

ଢେଙ୍କାନାଳ ଜିଲ୍ଲା ମାର୍ଥାପୁର ପଞ୍ଚାୟତ ଅନ୍ତର୍ଗତ ଆଦିପୁରା ଗାଁ l ଗାଁର ଖଗେଶ୍ୱର ବେହେରାଙ୍କ ଘରେ ଏବେ ଉତ୍ସବର ପରିବେଶ । କିଣା କିଣି ଚାଲିଛି । କାରଣ ତାଙ୍କର ଏକମାତ୍ର ପୁଅ ନାରାୟଣଙ୍କର ବାହାଘର । ତେବେ ନାରାୟଣଙ୍କର ଏହି ବାହାଘରକୁ ନେଇ ଏବେ ଚର୍ଚ୍ଚା ଜୋରଦାର । ୪ ବର୍ଷ ତଳେ ସୀମା ସୁରକ୍ଷା ବଳରେ ଯୋଗ ଦେଇଥିଲେ ନାରାୟଣ l ସେ ଜାମ୍ମୁ ଓ କାଶ୍ମୀର ସୀମାରେ ନିୟୋଜିତ ଥିଲେ l ଦୁଇ ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୨୮ ତାରିଖରେ ତାଙ୍କ ବାହାଘର ହେବାରଥିଲା ।

ସେଥିପାଇଁ ସେ ଗତ ୯ ତାରିଖରେ ଛୁଟି ଆପ୍ଲାଏ କରିଥିଲେ l କିନ୍ତୁ ନିୟନ୍ତ୍ରଣ ରେଖାରେ ପ୍ରବଳ ତୁଷାରପାତ ହେବା କାରଣରୁ ତାଙ୍କୁ ସ୍ୱତନ୍ତ୍ର ହେଲିକ୍ୟାପଟର ଯୋଗେ ଶ୍ରୀନଗରକୁ ଅଣା ଯାଇଥିଲା l ଏହାପରେ ବି ସେ ଘରେ ପହଞ୍ଚି ନପାରିବାରୁ ବାହାଘରକୁ ମେ ୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ଦେଶସେବାରେ ଲାଗିଥିବା ଆମ ଯବାନ ମାନଙ୍କର ଜୀବନ ଏହିପରି । ଦେଶର ସୁରକ୍ଷା ଆଗ, ବ୍ୟକ୍ତିଗତ ସୁଖ ସୁବିଧା ପଛ। ବାହାଘର ପରି ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ବି ଠିକ୍ ସମୟରେ ପହଞ୍ଚି ପାରିଲେନି ନାରାୟଣ । ତଥାପି ତାଙ୍କ ପାଇଁ ସମସ୍ତେ ଗର୍ବିତ ।

କାମାକ୍ଷାନଗରରୁ ବିଦ୍ୟାଧର ବରାଳଙ୍କ ରିପୋର୍ଟ ଓଟିଭି