• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଜୁନରେ ଆରମ୍ଭ, ସେପ୍ଟେମ୍ବରରେ ଶେଷ

  • କୋଭିଡରେ ଅନାଥ ପିଲାଙ୍କୁ ଥଇଥାନ ସ୍କିମ୍ ମାତ୍ର ୩ ମାସରେ ବନ୍ଦ

  • ହଠାତ୍ ଯୋଜନା ବନ୍ଦ ନେଇ ସରକାରଙ୍କୁ ବିରୋଧୀଙ୍କ ନିଶାନା

  • ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଥାଇ ପାରେ: ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ଭୁବନେଶ୍ୱର: ବନ୍ଦ ହେଲା ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ଆଶୀର୍ବାଦ ସ୍କିମ୍। ମାତ୍ର ୩ ମାସ ଭିତରେ ଏହି ଯୋଜନାରେ ପଡ଼ିଛି ତାଲା। କୋଭିଡରେ ବାପା, ମାଆଙ୍କୁ ହରାଉଥିବା ପିଲାମାନଙ୍କୁ ସହାୟତା ଯୋଗାଇବା ଲାଗି ଏହି ସ୍କିମ୍ ଆଣିଥିଲେ ରାଜ୍ୟ ସରକାର। ତେବେ କରୋନାର ପ୍ରଭାବ ଶେଷ ହୋଇନଥିବା ବେଳେ, କାହିଁକି ଏତେ ଶୀଘ୍ର ଏହି ସ୍କିମକୁ ସରକାର ବନ୍ଦ କଲେ ତାକୁ ନେଇ ପ୍ରଶ୍ନ ଉଠାଇ, ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। ସେପଟେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିଛନ୍ତି ଆର୍ଥିକ ସଂକଟ ଥିବାରୁ ବୋଧ ହୁଏ ସରକାର ଏହାକୁ ବନ୍ଦ କରିଛନ୍ତି।

ଜୁନ୍‌ରେ ଆରମ୍ଭ, ସେପ୍ଟେମ୍ବରରେ ଶେଷ। ମାତ୍ର ୩ ମାସ ଭିତରେ ବନ୍ଦ ହୋଇଗଲା ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନା। କୋଭିଡରେ ଅନାଥ ଶିଶୁଙ୍କ କଲ୍ୟାଣ ପାଇଁ ଆଶୀର୍ବାଦ ଯୋଜନାର ବିଜ୍ଞପ୍ତି ପ୍ରକାଶ ପାଇଥିଲା ଗତ ଜୁନ୍ ୨୦ରେ। ଆଉ ସେପ୍ଟେମ୍ବର ୧୩ରେ ମହିଳା ଓ ଶିଶୁ ବିକାଶ ବିଭାଗ, ସବୁ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ କୁହାଯାଇଛି, କୋଭିଡରେ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ଆଉ ଏହି ସ୍କିମରେ ସାମିଲ କରନାହିଁ। ସେହିଭଳି ପିଲାମାନଙ୍କୁ ଏଣିକି ଚାଇଲ୍ଡ ପ୍ରୋଟେକସନ୍ ସ୍କିମରେ ସାମିଲ କରିବାକୁ କୁହଯାଇଛି। ଆଶୀର୍ବାଦ ଯୋଜନାରେ କୋଭିଡରେ ଅନାଥ ଶିଶୁଙ୍କୁ ମାସିକ ୨୫ ଶହ ଟଙ୍କା, ମୁଖ୍ୟ ଉପାର୍ଜନକାରୀ ବାପା କିମ୍ବା ମା ଜଣଙ୍କୁ ହରାଇଥିଲେ ମାସକୁ ୧୫ ଶହ ଟଙ୍କା, ଶିଶୁ ସୁରକ୍ଷା ପ୍ରତିଷ୍ଠାନରେ ରହିଲେ ମାସକୁ ୧ ହଜାର ଟଙ୍କା ସହାୟତା ସହ ଅନ୍ୟାନ୍ୟ ସୁବିଧା ଯୋଗଇ ଦେବାକୁ ବ୍ୟବସ୍ଥା ଥିଲା। ତେବେ ଏହି ସ୍କିମ୍ ହଠାତ୍ ବନ୍ଦ ହୋଇଯିବା ନେଇ ଉଠିଛି ପ୍ରଶ୍ନ । ଖୋଦ୍ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସାବତୀ ପ୍ରଧାନ କହିଛନ୍ତି ଆର୍ଥିକ ସଂକଟ ଥିବାରୁ ବୋଧ ହୁଏ ସରକାର ଏହାକୁ ବନ୍ଦ କରିଛନ୍ତି। ତେଣେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଅନ୍ୟ ସ୍କିମରେ ସେମାନଙ୍କୁ ସାମିଲ କରାଯିବ।

କରୋନାର ଦ୍ୱିତୀୟ ଲହରର ପ୍ରଭାବ ଏଯାଏଁ ଶେଷ ହୋଇ ନାହିଁ। ଆଗକୁ ତୃତୀୟ ଲହର ଆସିବା ସମ୍ଭାବନା ଥିବା ସତ୍ୱେ ଆଶୀର୍ବାଦ ସ୍କିମ୍ ବନ୍ଦ କରାଯିବା ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। ସେପଟେ ସ୍କିମ୍ ବନ୍ଦ ହେବା ପରେ କରୋନାରେ ବାପା, ମାଙ୍କୁ ହରାଇଥିବା ପିଲାମାନେ ଏହି ସ୍କିମରେ ଆଉ ସହାୟତା ମିଳିବ କି ନାହିଁ ଆଶଙ୍କାରେ ଅଛନ୍ତି। ବାଲେଶ୍ୱର ବାଲିଆପାଳ ବ୍ଳକ୍ ନୟାବାଲି ଗାଁର ଜ୍ୟୋତିଶ୍ରୀ ପରିଡ଼ା। ଗତ ଜୁଲାଇ ମାସରେ ଜ୍ୟୋତିଙ୍କ ମାଙ୍କର କେରୋନାରେ ମୃତ୍ୟୁ ହୋଇଥିବା ବେଳେ, ପୂର୍ବରୁ କର୍କଟ ରୋଗରେ ବାପା ଚାଲି ଯାଇଥିଲେ। ଏବେ ବି ଜ୍ୟୋତି ଏହି ସ୍କିମରେ ସାମିଲ ହୋଇ ନାହାନ୍ତି। ସେପଟେ ଗଂଜାମ ଜିଲ୍ଲା ବୁଗୁଡ଼ାର ଟୁନା ଗୌଡ଼ଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଥିଲା। ରୋଜଗାରିଆ ସ୍ୱାମୀ ଚାଲିଯିବା ପରେ ପତ୍ନୀ ସୁନିତାଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟକର ହୋଇପଡିଛି। ହେଲେ ତାଙ୍କ ପୁଅ, ଝିଅ ଏବେ ବି ଆଶୀର୍ବାଦରେ ଯୋଜନାରେ ସାମିଲ ହୋଇନାହାନ୍ତି।

୨୦୨୦ ଏପ୍ରିଲ୍ ୧ରୁ ଗତ ଅଗଷ୍ଟ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୧୨୩୧ ଜଣ ଶିଶୁ ଉଭୟ ବାପା ଓ ମାଙ୍କୁ ହରାଇଥିବା ବେଳେ ୨୩ ହଜାର ୬୫୪ ଜଣ ବାପା କିମ୍ବା ମାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ତେବେ ଆଶୀର୍ବାଦ ସ୍କିମ୍ ବନ୍ଦ ହୋଇଯିବା ପରେ ଅନେକ ଅନାଥ ପିଲା ଯୋଜନାର ଲାଭରୁ ବଞ୍ଚିତ ହେବେ।

 

 

 

 

OTV is now on Whatsapp

Join and get latest news update delivered to you via whatsapp

Join Now