ଖରା ଆରମ୍ଭରୁ ଦହଗଞ୍ଜ କଲାଣି ବିଜୁଳି କାଟ । ରାଜ୍ୟସାରା ଚାଲିଛି ଅଘୋଷିତ ବିଦ୍ୟୁତ୍ କାଟ । ଯେତେବେଳେ ଇଚ୍ଛା କରେଣ୍ଟ କାଟିଦେଉଛନ୍ତି ବିତରଣ କମ୍ପାନି । ଏହାକୁ ନେଇ ତେଜୁଛି ଜନ ଅସନ୍ତୋଷ । କୋଇଲା ଅଭାବରୁ ଦେଶର ବିଭିନ୍ନ ରାଜ୍ୟରେ ଦେଖାଦେଲାଣି ବିଜୁଳି ସଙ୍କଟ । ଏଥିଲାଗି ହେଉଛି ଘନଘନ ବିଜୁଳି କାଟ ।
ହେଲେ ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ ବିଜୁଳି କାଟକୁ ନେଇ ପ୍ରଶ୍ନ ଉଠାଇଲେଣି ଉପଭୋକ୍ତା ଓ ବିଶେଷଜ୍ଞ । ପାୱାର ଆନାଲିସିଷ୍ଟଙ୍କ ମତରେ, ରାଜ୍ୟରେ ପିକ୍ ଓ ଅଫ୍-ପିକ୍ ବିଜୁଳି ଚାହିଦାରେ ବଡ଼ ପାର୍ଥକ୍ୟ ରହୁଛି । ଏଣୁ ବିଦ୍ୟୁତ୍ ଯୋଗାଣ ନିରନ୍ତର ହୋଇପାରୁନି । ଉପଭୋକ୍ତା ସଂଘ କହୁଛି, ଯଦି ବିଜୁଳି କାଟ ହେଉଛି, ତାହାହେଲେ ଏଥିପାଇଁ ବିଦ୍ୟୁତ୍ ସଂଚାରଣ ଓ ବିତରଣ କମ୍ପାନି ସମ୍ପୂର୍ଣ୍ଣ ଭାବେ ଦାୟୀ । ଶିଳ୍ପ ସଂଘ କହିଲାଣି, ସରକାର ଏବେଠୁ ବ୍ୟବସ୍ଥା ନ କଲେ, ଆଗକୁ ବଢ଼ିବ ବିଜୁଳି କାଟ, ଏମ୍ଏସ୍ଏମ୍ଇରେ ତାଲା ପଡ଼ିବ ।
Also Read
ଲୋକଙ୍କ କହିବା କଥା, ବିଦ୍ୟୁତ୍ ବିଲ୍ ନେଲା ବେଳକୁ ତ ଟାଇମ୍ରେ ନେଇଯାଉଛନ୍ତି । ହେଲେ ସେହି ହିସାବରେ ସେବା ଯୋଗାଉନି ବିଦ୍ୟୁତ୍ ବଣ୍ଟନ କମ୍ପାନି ।
କୋଇଲା ଅଭାବରୁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ସମେତ ଦେଶର ବିଭିନ୍ନ ରାଜ୍ୟରେ ଉତ୍କଟ ହୋଇଛି ବିଜୁଳି ସଙ୍କଟ । ଗ୍ରୀଷ୍ମ ଆରମ୍ଭରୁ ଦେଶର ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକରେ କୋଇଲା ମହଜୁଦ୍, ୯ ବର୍ଷର ସର୍ବନିମ୍ନ ସ୍ତରକୁ ଚାଲିଆସିଛି । ଅନ୍ୟପଟେ ଏବର୍ଷ ବିଦ୍ୟୁତ୍ ଚାହିଦା ଅଭିବୃଦ୍ଧି ୩୮ ବର୍ଷରେ ସର୍ବାଧିକ ରହିବ ବୋଲି ଆକଳନ କରାଯାଉଛି । ହେଲେ ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ ବିଦ୍ୟୁତ୍ କାଟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିଶେଷଜ୍ଞ ଓ ଉପଭୋକ୍ତା ସଂଘ ।
ରାଜ୍ୟର ବିଦ୍ୟୁତ ପ୍ଲାଣ୍ଟ ସମେତ କ୍ଷୁଦ୍ର ଶିଳ୍ପକୁ ତୁରନ୍ତ କୋଇଲା ଲିଙ୍କେଜ ଯୋଗାଇବା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ-ୟୁସିସିଆଇ । ସଂଘ କହିଛି, ରାଜ୍ୟର ପାୱାର ପ୍ଲାଣ୍ଟଗୁଡ଼ିକରେ ଅତିକମ୍ରେ ୧୫ ଦିନର କୋଇଲା ମହଜୁଦ ରହିବା କଥା । ହେଲେ ସେମାନଙ୍କ ପାଖରେ ଏବେ ମାତ୍ର ୨ ଦିନର ଷ୍ଟକ ରହିଛି । ଯଦି ଏବେଠୁ ସେମାନଙ୍କ ଲାଗି କୋଇଲା ବ୍ୟବସ୍ଥା ନ କରାଯିବ, ଆସନ୍ତା ମାସରୁ ରାଜ୍ୟରେ ବିଦ୍ୟୁତ୍ କାଟ ବଢ଼ିବ । ଏମିତିକି କୋଇଲା ଅଭାବରୁ ବହୁ ଏମ୍ଏସ୍ଏମ୍ଇରେ ତାଲା ପଡ଼ିଯିବ ।
ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି ନିକଟରେ ସମ୍ପୂର୍ଣ୍ଣ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଟାଟା ପାୱାର ହାତକୁ ଟେକିଦେଇଛନ୍ତି ରାଜ୍ୟ ସରକାର । ଏବେ ଅପେକ୍ଷା ରହିଛି, କେବେ ଓ କିଭଳି ବିଦ୍ୟୁତ୍ ବଣ୍ଟାରେ ସୁଧାର ଆଣୁଛି ଟାଟା ପାୱାର ।