• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବାଚନ ପରେ ନିର୍ବାଚନ ଯାଇଛି । ପୁରୁଣା ସରପଞ୍ଚଙ୍କ ଗଲେ ନୂଆ ସରପଞ୍ଚ ଆସିଲେ, ବିଧାୟକଙ୍କ ପରେ ବିଧାୟକ ଗଲେ । ହେଲେ ଲୋକଙ୍କୁ ମିଳିଲା କେବଳ ଫମ୍ପା ପ୍ରତିଶୃତି । ନିର୍ବାଚନ ପାଖେଇ ଆସିଲେ ଗାଁରେ ଗୋଟିଏ ପୋଲ ତିଆରି କରାଇଦେବାକୁ ଲୋକଙ୍କୁ ସ୍ୱପ୍ନ ଦେଖାନ୍ତି ନେତା । ହେଲେ ନିର୍ବାଚନ ପରେ ସବୁ ଭୁଲି ଯାଆନ୍ତି । ନିର୍ବାଚନୀ ପ୍ରତିଶୃତିରେ ଛନ୍ଦି ହୋଇ ପଡନ୍ତି ଭୋଟର । ପୁଣି ନିଜ ଜୀବନ ଜୀବିକା ଯୁଦ୍ଧରେ ଛନ୍ଦି ହୋଇ ପଡନ୍ତି ସ୍ଥାନୀୟ ବାସିନ୍ଦା । ନିଜର ଭାଗ୍ୟର ବିଡମ୍ବନା ଭାବି ଚୁପ ବସନ୍ତି । ଦୀର୍ଘବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି ଏମିତି ଗାଁ ରହିଛି ବାଉଁଶ ଚାରା ସାହାଯ୍ୟରେ ଲୋକମାନେ ଯାତାୟାତ କରୁଛନ୍ତି । ତେବେ ଏ କେଉଁ ଉପାନ୍ତ ଅଞ୍ଚଳ ନୁହେଁ ବରଂ ଭଦ୍ରକ ବ୍ଲକ ଅଧିନସ୍ଥ ସାହାଡ଼ା ପଞ୍ଚାୟତର ସାନନ୍ଦପୁର ଗାଁର କଥା । ଏହି ଗାଁକୁ ଦୁଇ ଭାଗ କରୁଥିବା ମନ୍ତେଇ ନଦୀ ଗ୍ରାମବାସୀଙ୍କ ଯିବା ଆସିବାରେ ପ୍ରତିବନ୍ଧକ ସାଜୁଛି । କିନ୍ତୁ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ସେମାନେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି ।

ଭଦ୍ରକ ବ୍ଲକ ଅଧିନସ୍ଥ ସାହାଡ଼ା ପଞ୍ଚାୟତର ସାନନ୍ଦପୁର ଗ୍ରାମ । ଦୀର୍ଘ ଦିନ ଧରି ଏଭଳି ଭଙ୍ଗା ବାଉଁଶ ପୋଲରେ ଯିବା ଆସିବା କରୁଛନ୍ତି ପ୍ରାୟ ୪୦ ଟିରୁ ଅଧିକ ପରିବାରର ଲୋକେ । ପୂର୍ବରୁ ଏହି ବାଉଁଶ ପୋଲରୁ ଖସି ପଡି ଦୁଇ କଅଁଳ ଶିଶୁଙ୍କ ଜୀବନ ଯାଇଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ମଧ୍ୟ ଏହି ବାଉଁଶ ପୋଲରୁ ଗଳି ପଡ଼ିଥିଲେ । ତେବେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ପୂର୍ବରୁ ଦେଇଥିବା ପ୍ରତିଶୃତି ଆଜି ଯାଏଁ ପାଣିର ଗାର ହୋଇଥିବା ବେଳେ ବର୍ତ୍ତମାନର ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ପ୍ରତିଶୃତି ବି ପାଣିର ଗାର । ସେଇ ସମାନ କଥା କହି ପାସୋରି ଦେଇଥିବାର ଅଭିଯୋଗ କରିଛନ୍ତି  ଗ୍ରାମବାସୀ ।

ରାଜ୍ୟରେ ବିକାଶର ବାର୍ତ୍ତା ବାଣ୍ଟୁଥିବା ରାଜ୍ୟ ସରକାରଙ୍କ ଏହା ହିଁ ପ୍ରକୃତ ବିକାଶର ଚିତ୍ର । ଭଦ୍ରକରେ ହେଉଛି କାମ ଓ ବିକାଶ ହେଲେ ସବୁ ହିସାବ ଭୋଟରଙ୍କୁ ନେଇ । ମାଳ ମାଳ ଯୋଜନାର ଚିତ୍କାର କରୁଥିବା ସରକାରଙ୍କ ଏହା ହେଉଛି ଅସଲ ଚିତ୍ର । ସ୍ୱାଧୀନତାର ଦୀର୍ଘବର୍ଷ ପରେ ବି ଆଜି ଅବହେଳିତ ହୋଇ ରହିଛି ଏଭଳି କିଛି ଅଞ୍ଚଳ । ଯେଉଁଠି ନା ପହଞ୍ଚିଛି ରାସ୍ତା ନା ପହଞ୍ଚିଛି ବ୍ରିଜ୍ । ନିଜ ଗାଁକୁ ଯିବା ପାଇଁ ଭଙ୍ଗା ଦଦରା ବାଉଁଶ ପୋଲ ହିଁ ଲୋକମାନଙ୍କ ସାହା ଭରସା । ବନ୍ୟା ବାତ୍ୟାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେହିପରି ସାନନ୍ଦପୁର ଗାଁ ଲୋକମାନେ ମେଡ଼ିକାଲ ହେଉ ବା କୌଣସି କାମରେ ବଜାରକୁ ଯିବାକୁ ହେଲେ ଏହି ବାଉଁଶ ଚାରା ସାହାଯ୍ୟରେ ଯାତାୟାତ କରିଥାନ୍ତି । ଛୋଟ ଛୋଟ ପିଲାମାନେ ସ୍କୁଲକୁ ଯିବା ପାଇଁ ହେଲେ ବାଉଁଶ ଚାରା ଉପରେ ନିର୍ଭର କରିଥାନ୍ତି । ଯଦି ଏହି ନଦୀରେ ଜୁଆର ପାଣି ନଦୀରେ ଆସିଲେ ଲୋକମାନେ ପହଁରି ତାଙ୍କ ଛୁଆ ମାନଙ୍କୁ ଛାଡିଥାନ୍ତି । ଏ ଗାଁରେ ଗ୍ରାମବାସୀ ମାନେ ଏହି ବାଉଁଶ ପୋଲ ଉପରେ ନିର୍ଭର କରିଥାନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ଖୁବ ଶୀଘ୍ର ଏହାର ତଦନ୍ତ କରିବ ।  ଏହି ନଦୀ ଉପରେ ବ୍ରିଜ ଟିଏ ନିର୍ମାଣ କରାଯିବ ବୋଲି ଭଦ୍ରକ ଜିଲ୍ଲାପାଳ କହିଛନ୍ତି । କେବେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତା ଦେଇଥିବା ପ୍ରତିଶୃତି ପାଳନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ପାର୍ଥ ସାରଥୀ ନାୟକଙ୍କ ରିପୋର୍ଟ