/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686665293.jpg)
Sikharchandi hills
ଏନଜିଟି ନିର୍ଦ୍ଦେଶ ପରେ ଅଟକିଲା ଶିଖରଚଣ୍ଡୀ ପାହାଡ ଉପରେ ପାଣି ଟାଙ୍କି ନିର୍ମାଣ କାମ। ବନ୍ଦ ହୋଇଛି ଔଷଧୀୟ ଗୁଳ୍ମ ଲତାରେ ଭରା ପାହାଡରେ ପ୍ରାଶାସନିକ ମନମାନି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ତ ଖୁସ୍ । ହେଲେ କାହିଁକି ଓ କାହା ଅନୁମତିରେ ଏମିତି ନିଷ୍ପତ୍ତି ନେଇଥିଲା ପ୍ରଶାସନ। କାମ ସିନା ବନ୍ଦ ହେଲା ହେଲେ ଉଜୁଡି ଯାଇଥିବା ସବୁଜିମାର କଣ ହେବ, ତାକୁ ନେଇ ପ୍ରଶ୍ନ।...
ରାଜଧାନୀର ଫୁସଫୁସ୍ କୁହାଯାଉଥିବା ଶିଖରଚଣ୍ଡୀ ପାହାଡ଼ରେ ଗଛକଟା ଓ ନିର୍ମାଣ କାମକୁ ବିରୋଧରେ ହୋଇଥିବା ଆବେଦନ ଅଭିଯୋଗ ଓ ତଥ୍ୟ ପ୍ରମାଣକୁ ପରଖି ଏହା ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ୍ ଗ୍ରୀନ୍ ଟ୍ରିବୁନାଲ୍ –ଏନଜିଟି । ରାୟରେ କହିଛନ୍ତି ଚାଲିଥିବା ନିର୍ମାଣ କାମ ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦କୁ ଉଲ୍ଲଘଂନ କରୁଛି । ନିର୍ମାଣ କାର୍ଯ୍ୟ ଦ୍ୱାରା ଜୈବ ବିବିଧତା ସହ ଅନେକ ଔଷଧୀୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଛି।
ତେଣୁ ଏଥିପାଇଁ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ମୁଖ୍ୟ ବନ ସଂରକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ୪ ଜଣିଆ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ଯେଉଁଥିରେ କେନ୍ଦ୍ର ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଲେଖାଏଁ ସଦସ୍ୟ ଏବଂ ସ୍ଥାନୀୟ ଜିଲ୍ଲାପାଳ ସଦସ୍ୟ ରହିବେ। ଏଇ କମିଟି ୩ ସପ୍ତାହ ମଧ୍ୟରେ ଘଟଣାସ୍ଥଳ ପରିଦର୍ଶନ ସହ ସବୁ ଅଂଶୀଦାରଙ୍କ ସହ ଆଲୋଚନା କରି ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ପ୍ରକଳ୍ପ ପାଇଁ ପ୍ରସ୍ତାବିତ ଜମିରେ କେତେ ଗଛ କଟାଯାଇଛି, କେତେ ପାହାଡ ଭଙ୍ଗା ଯାଇଛି କେତେ ପରିମାଣର ଜୈବ ବିବିଧତା ନଷ୍ଟ ହୋଇଛି ତାର ଆକଳନ କରି ରିପୋର୍ଟ ଦେବାକୁ କୁହାଯାଇଛି। ଜୁଲାଇ ୫ରେ ପରବର୍ତ୍ତୀ ଶୁଣାଣି ହେବାକୁ ଥିବାରୁ ସେବେ ଯାଏଁ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବୁନାଲ।...
ହେଲେ ଏଠି ପ୍ରଶ୍ନ ଶିଖରଚଣ୍ଡୀ ପାହାଡ଼ରେ କାହା ଅନୁମତିରେହୋଇଥିଲା ଏଭଳି ବେଆଇନ୍ ନିର୍ମାଣ କାମ । ଗଛ କାଟିବା ଓ ବୁଲଡୋଜର ଲଗେଇ ପାହାଡ଼ ଭାଙ୍ଗିବାକୁ କିଏ ଦେଇଥିଲା ନିର୍ଦ୍ଦେଶ? କୁହାଯାଉଛି ଶିଖରଚଣ୍ଡୀ ପାହାଡ ଏକ ମୁଣ୍ଡିଆର ୧୦ ଏକର ଜମିରେ ବିଶାଳ ପାଣି ଟାଙ୍କି ନିର୍ମାଣ ପାଇଁ ଆରମ୍ଭ ହୋଇଥିଲା ଏହି କାମ। ଯାହାକୁ ବିରୋଧ କରି ଏନଜିଟିର ଦ୍ୱାରସ୍ଥ ହୋଇଥିଲେ ସ୍ଥାନୀୟ ବାସିନ୍ଦା।
ତଥ୍ୟ କହୁଛି ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ ଥିବା ଏହି ପାହାଡ ଜୈବ ବିବିଧତାରେ ପରିପୂର୍ଣ୍ଣ । ବାଣୀବିହାର ଉଦ୍ଭିଦ ବିଜ୍ଞାନ ଦ୍ୱାରା ହୋଇଥିବା ଏକ ସର୍ଭେ କହୁଛି, କେବଳ ଶିଖରଚଣ୍ଡୀ ପାହାଡରେ ୨ ଶହ ୨୦ ପ୍ରକାର ଔଷଧୀୟ ବୃକ୍ଷ ରହିଛି । ତେଣୁ ଗଛ କଟା ଏବଂ ପାହାଡ ଭଙ୍ଗା ଯିବା ଫଳରେ ଏସବୁ ବି ନଷ୍ଟ ହୋଇଯାଇଛି । ଏହା ସହ ଏଠାରେ ବାସ କରୁଥିବା ହାତୀ, ମାଙ୍କଡ, ହରିଣ ଏବଂ ମୟୂର ଭଳି ଅନେକ ପଶୁ ପକ୍ଷୀ ଏବେ ଉଭାନ ହୋଇଯାଇଛନ୍ତି। ଏବେ ଏ କ୍ଷତି କିଏ ଭରଣା କରିବ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା।...
ତେବେ ଶିଖରଚଣ୍ଡୀ ପାହାଡ ଉପରେ ଏହି ନିର୍ମାଣ କାର୍ଯ୍ୟ ବନ୍ଦ ହେବା ପରେ ଏବେ ଶିଖରଚଣ୍ଡୀ ସୌନ୍ଦର୍ଯକରଣ ପ୍ରକଳ୍ପକୁ ନେଇ ବି ଆଶଙ୍କା ବଢିଲାଣି । ୨୫ କୋଟି ବ୍ୟୟରେ ଶିଖରଚଣ୍ଡୀ ପାରପାର୍ଶ୍ୱିକ ୫୪ ଏକର ଜମିରେ ସୌନ୍ଦର୍ଯ୍ୟକରଣ କାମ ପାଇଁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)