• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଦ୍ୟୁତ୍ ଦେୟ ନିୟମରେ ବଡ଼ ପରିବର୍ତ୍ତନ। ଏଣିକି ଦିନର ଅଲଗା ଅଲଗା ସମୟ ପାଇଁ ଉପଭୋକ୍ତାଙ୍କୁ ଗଣିବାକୁ ପଡ଼ିବ ଭିନ୍ନ ଭିନ୍ନ ବିଦ୍ୟୁତ୍ ଦେୟ। ଏଥିପାଇଁ ବିଦ୍ୟୁତ୍ ଉପଭୋକ୍ତା ଅଧିକାର ନିୟମକୁ ସଂଶୋଧନ କରି ନୂଆ ବିଦ୍ୟୁତ୍ ଉପଭୋକ୍ତା ଅଧିକାର ନିୟମ-୨୦୨୩ ନେଇ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ।

ବିଜ୍ଞପ୍ତି ଅନୁସାରେ, ୨୦୨୪ ଏପ୍ରିଲ ପହିଲାରୁ ୧୦ କିଲୋୱାଟ୍ରୁ ଅଧିକ ବିଜୁଳି ବ୍ୟବହାର କରୁଥିବା ବାଣିଜ୍ୟିକ ଓ ଶିଳ୍ପାଞ୍ଚଳ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ ଟାଇମ୍ ଅଫ୍ ଡେ’ ଟାରିଫ୍ । ୨୦୨୫ ଏପ୍ରିଲ ପହିଲାରୁ କୃଷି ବ୍ୟତୀତ ଅନ୍ୟ ସମସ୍ତ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ ।

ଆସନ୍ତୁ ଜାଣିବା କ’ଣ ଏ ଟାଇମ୍ ଅଫ୍ ଡେ’ ଟାରିଫ୍ ? ଏହା ଅଧୀନରେ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ଗୁଡ଼ିକ ଗୋଟିଏ ଦିନକୁ ସୋଲାର ଆୱାର, ପିକ୍ ଆୱାର ଓ ନର୍ମାଲ ଆୱାର ଭଳି ତିନିଟି ଭାଗରେ ବିଭକ୍ତ କରିବେ । ଦିନ ସମୟରେ ସୂର୍ଯ୍ୟ କିରଣ ଅଧିକ ରହୁଥିବା ସମୟ ଆଧାରରେ ଧାର୍ଯ୍ୟ ହେବ ସୋଲାର ଆୱାର । ସେହିପରି ଅଧିକ ବିଜୁଳି ବ୍ୟବହାର ହେଉଥିବା ସମୟ ଆଧାରରେ ପିକ୍ ଆୱାର ନିର୍ଦ୍ଧାରଣ ହେବ ।

ତେବେ ପିକ୍ ଆୱାର ଅବଧି ସୋଲାର ଆୱାର ଠାରୁ ଅଧିକ ହୋଇପାରିବ ନାହିଁ । ବାଣିଜ୍ୟିକ ଓ ଶିଳ୍ପାଞ୍ଚଳ ଗ୍ରାହକଙ୍କୁ ପିକ୍ ଆୱାରରେ ସାଧାରଣ ଦେୟ ତୁଳନାରେ ୨୦ ପ୍ରତିଶତ ଅଧିକ ଦେୟ ଦେବାକୁ ପଡ଼ିବ । ଘରୋଇ ଉପଭୋକ୍ତା ପିକ୍ ଆୱାର ବିଜୁଳି ବ୍ୟବହାର ପାଇଁ ୧୦ ପ୍ରତିଶତ ଅଧିକ ଦେୟ ଦେବେ । କିନ୍ତୁ ସୋଲାର ଆୱାରରେ ବ୍ୟବହାର କରୁଥିବା ବିଜୁଳି ପାଇଁ ସବୁ ପ୍ରକାର ଉପଭୋକ୍ତା ୨୦ ପ୍ରତିଶତ କମ୍ ଦେୟ ଦେବେ।

ଟାଇମ୍ ଅଫ୍ ଡେ’ ବିଦ୍ୟୁତ୍ ଟାରିଫ୍ ନେଇ ଦ୍ୱନ୍ଦ୍ୱରେ ବିଦ୍ୟୁତ୍ ଉପଭୋକ୍ତା । ସେମାନଙ୍କ କହିବା କଥା, ସାଧାରଣତଃ ଭାବେ ଘରୋଇ ଉପଭୋକ୍ତା ରାତି ସମୟରେ ଅଧିକ ବିଜୁଳି ବ୍ୟବହାର କରିଥାନ୍ତି । ଏମିତି ହେଲେ, ପିକ୍ ଆୱାର ଟାରିଫ୍ ରେ ସାଧାରଣ ଉପଭୋକ୍ତାଙ୍କୁ ଅଧିକ ବିଜୁଳି ଦେୟ ପଡ଼ିବାର ଆଶଙ୍କା ରହିଛି । ଏପଟେ ରାଜ୍ୟରେ ଏହି ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛି ବିଦ୍ୟୁତ୍ ଉପଭୋକ୍ତା ମହାସଂଘ । ସଂଘ କହିଛି, ଟାଇମ୍ ଅଫ୍ ଡେ’ ଟାରିଫ୍ ଲାଗୁ ପାଇଁ ରାଜ୍ୟର ଆବଶ୍ୟକ ଭିତ୍ତିଭୂମି ନାହିଁ ।

କେନ୍ଦ୍ର ସରକାରଙ୍କ ଏହି ନୂଆ ଟାଇମ୍ ଅଫ୍ ଡେ’ ଟାରିଫ୍ ବ୍ୟବସ୍ଥା ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଫାଇଦା ଦେବ ନା ବୋଝ ଉପରେ ନଳିତା ବିଡ଼ା ହେବ, ତାହା ସମୟ ହିଁ କହିବ ।

  • Reported by:
  • KAPILENDRA PRADHAN