• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଷଧର ସାପ ସହ ଖେଳ । ସମସ୍ତଙ୍କ ସାମ୍ନାରେ ଭିଡ଼ ଭିତରେ ସାପକୁ ଧରି ଖୁଲମଖୁଲ୍ଲା ନୃତ୍ୟ ପରିବେଷଣ । ମୟୂରଭଂଜ ଜିଲ୍ଲା କରଂଜିଆରେ ବରଯାତ୍ରୀ ପ୍ରୋସେସନରେ ସତସତିକା ନାଗ ସହ ନାଗିନ ଡାନ୍ସ । ସେପଟେ ଗଂଜାମ ଜିଲ୍ଲା ଆସିକାରେ ପୌରାଣିକ ନାଟକ ଭକ୍ତ ପ୍ରହ୍ଲାଦରେ ଅହିରାଜ ଓ ଅଜଗରକୁ ଧରି ନୃତ୍ୟ କରିବାର ଭିଡିଓ ଭାଇରାଲ୍ ହେଉଛି ।

ମୟୂରଭଂଜ କରଞ୍ଜିଆର ଦୃଶ୍ୟ ସମସ୍ତଙ୍କୁ ତାଜୁବ କଳାଭଳି । ବର ପ୍ରୋସେସନରେ ଦୁଲୁକୁଛି ଗାଁ ଦାଣ୍ଡ । ଡିଜେର ହିଟ୍ ଟ୍ରାକର ତାଳେ ତାଳେ ନାଚି ନାଚି ମତୁଆଲା ବରଯାତ୍ରୀ । ହେଲେ ଏଠାରେ ଚାଲିଛି ସତ ସତିକା ନାଗିନ୍ ଡ୍ୟାନ୍ସ । ମାନେ ବିଷଧର ନାଗ ସାପ ସହ ନାଚ । ଆଉ ନାଚରେ ମସଗୁଲ ସାପୁଆ କେଳା । ଗତକାଲି ବରଯାତ୍ରୀ ପ୍ରୋସେସପରେ ହଠାତ୍ ଜଣେ ସାପୁଆ କେଳା ପେଡିରୁ ନାଗ ସାପ ବାହାର କରି ନାଚିବାକୁ ଲାଗିଥିଲା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ କରଞ୍ଜିଆ ବନବିଭାଗ ସଂପୃକ୍ତ ସାପୁଆକେଳା ରାମ ସିଂକୁ ଗିରଫ କରିଛି । ତା ନିକଟରୁ ତିନିଟି ନାଗସାପକୁ ଜବତ କରି ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି । ଘଟଣାରେ ଗାଡି ମାଲିକ ଓ ଡିଜେ ମାଲିକଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ବନବିଭାଗ ।

ସେହିପରି ଆଉ ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ୍ କର୍ପୁର ନୂଆ ଗାଁରେ । ଅଭିନୟକୁ ଜୀବନ୍ତ କରିବାକୁ ନିଆଯାଇଛି ବିଷଧର ଅହିରାଜ ଓ ଅଜଗରର ସହାୟତା । ଗତକାଲି ଗାଁରେ ମଞ୍ଚସ୍ଥ ହୋଇଥିଲା ପୌରାଣିକ କଥାବସ୍ତୁ ଉପରେ ଆଧାରିତ ନାଟକ ଭକ୍ତ ପ୍ରହ୍ଲାଦ । ପ୍ରହ୍ଲାଦଙ୍କୁ ସର୍ପ ଦଂଶନ କରାଇ ମାରିବାକୁ ଉଦ୍ୟମ କରୁଛନ୍ତି ବାପା ହିରଣ୍ୟକଶ୍ୟପ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି କଳାକାର ସତସତିକା ସାପ ନେଇ ମଞ୍ଚକୁ ଆସିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ କଳାକାରଙ୍କୁ ଅଟକ ରଖିଛି ବନବିଭାଗ ।

 

କରଞ୍ଜିଆ ଓ ଗଂଜାମ ଘଟଣାକୁ ନେଇ ପିସିସିଏଫ୍ ଏବଂ ଚିଫ୍ ୱାଇଲ୍ଡ ଲାଇଫ୍ ‌ୱାଡେନଙ୍କ ପାଖରେ ଅଭିଯୋଗ ହୋଇଛି । ବନ୍ୟପ୍ରାଣୀ ଆଇନ୍-୧୯୭୨ର ଖୁଲମଖୁଲ୍ଲା ଉଲ୍ଲଂଘନ ଅଭିଯୋଗ ଦର୍ଶାଇ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

ଆସ୍କାରୁ ମନୋଜ ମୁନୀ, କରଂଜିଆରୁ ଦୀପକ କୁମାର ମହାନ୍ତ , ଭୁବନେଶ୍ୱରରୁ ଆଲୋକ ମହାନ୍ତିଙ୍କ ରିପୋର୍ଟ