ଏ ଦୁନିଆ ରହସ୍ୟମୟ। ତେଣୁ ଏହା ବିଷୟରେ ଜାଣିବା ପାଇଁ ଲୋକଙ୍କ ମନରେ ସର୍ବଦା ଏକ କୌତୁହଳ ରହିଥାଏ। ଅନେକଗୁଡିଏ ରହସ୍ୟକୁ ପର୍ଦାଫାସ କରାଯାଇଥିବା ବେଳେ, ଏପରି ଅନେକ ରହସ୍ୟ ମଧ୍ୟ ଅଛି ଯାହାର କେବଳ ରହସ୍ୟ ହିଁ ରହିଯାଇଛି। ଭାରତରେ ଏପରି ଅନେକ ସ୍ଥାନ ଅଛି ଯାହା ସର୍ବଦା ରହସ୍ୟମୟ ହୋଇ ରହିଆସିଛି। ଏହି ସ୍ଥାନଗୁଡିକ ମଧ୍ୟରୁ ଅନେକ ଲୋକଙ୍କ ବିଶ୍ୱାସ ସହିତ ଜଡିତ। ଭାରତରେ ଅନେକ ମନ୍ଦିର ଅଛି ଯାହା କେବଳ ରହସ୍ୟ ହିଁ ରହସ୍ୟ। ଏହି ମନ୍ଦିରଗୁଡ଼ିକ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ବିଶ୍ୱାସ ମଧ୍ୟ ଅଛି, ଯାହାକୁ ଜାଣିଲେ ଅବିଶ୍ୱାସ ଲାଗେ। ଭାରତର ଏପରି କିଛି ମନ୍ଦିରରେ ଏକ ବିଶ୍ୱାସ ରହିଛି ଯେ ଏଠାରେ ଥିବା ଭଗବାନଙ୍କ ମୂର୍ତ୍ତିରୁ ମଧ୍ୟ ଝାଳ ବାହାରେ।
ମଧ୍ୟପ୍ରଦେଶର ମା’ କାଳୀ ମନ୍ଦିର :
ମଧ୍ୟପ୍ରଦେଶର ଜବଲପୁରରେ ଅବସ୍ଥିତ ମା’ କାଳୀଙ୍କ ମନ୍ଦିର ବିଷୟରେ ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ରହିଛି ଯେ ଏଠାରେ ମା’ଙ୍କ ମୂର୍ତ୍ତିରୁ ଝାଳ ବାହାରେ। ବିଶ୍ୱାସ ଅନୁଯାୟୀ, ମା’ ଗରମ ସହ୍ୟ କରିପାରନ୍ତି ନାହିଁ, ତେଣୁ ତାଙ୍କ ମୂର୍ତ୍ତିରୁ ଝାଳ ବାହାରେ। ଏହି କାରଣରୁ ମନ୍ଦିରରେ ସବୁବେଳେ ଏସି ଚାଲିଥାଏ। ଜବଲପୁରରେ ଅବସ୍ଥିତ ଏହି ମନ୍ଦିରର ବିଶାଳ ମୂର୍ତ୍ତି ୬୦୦ ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଏ। ଗୋଣ୍ଡୱାନା ସାମ୍ରାଜ୍ୟ ସମୟରେ ଏହା ପ୍ରତିଷ୍ଠିତ ହୋଇଥିଲା। ସେବେଠାରୁ ଏଠାରେ ଏହି ବିଶ୍ୱାସ ପ୍ରଚଳିତ।
ହିମାଚଳ ପ୍ରଦେଶର ଭଲେଇ ମାତା ମନ୍ଦିର :
ହିମାଚଳ ପ୍ରଦେଶର ଭଲେଇ ମାତାଙ୍କ ମନ୍ଦିର ପରିଦର୍ଶନ କରିବାକୁ ବହୁ ସଂଖ୍ୟାରେ ଭକ୍ତ ଆସନ୍ତି। ନବରାତ୍ରି ବେଳେ ସେଠାରେ ଭକ୍ତଙ୍କ ସଂଖ୍ୟା ବଢିଯାଏ। ଏହି ମନ୍ଦିର ବିଷୟରେ ଲୋକଙ୍କ ମଧ୍ୟରେ ଏକ ଅଦ୍ଭୁତ ବିଶ୍ୱାସ ଅଛି ଯେ ଏଠାରେ ଦେବୀଙ୍କ ମୂର୍ତ୍ତିରୁ ମଧ୍ୟ ଝାଳ ବୋହିଥାଏ। ବିଶ୍ୱାସ କରାଯାଏ ଯେ ଯେତେବେଳେ ମାତାଙ୍କ ଦେହରୁ ଝାଳ ବାହାରେ ସେତେବେଳେ ସେଠାରେ ଉପସ୍ଥିତ ଭକ୍ତଙ୍କ ଇଚ୍ଛା ପୂରଣ ହୁଏ। ମନ୍ଦିରରେ ପୂଜା କରୁଥିବା ପୂଜାରୀମାନେ କୁହନ୍ତି ଯେ ଏହି ଗାଁରେ ମାତାର ମୂର୍ତ୍ତି ଆବିର୍ଭାବ ହେବା ପରେ ଏଠାରେ ମନ୍ଦିର ନିର୍ମାଣ କରାଯାଇଥିଲା।
ତାମିଲନାଡୁର ପ୍ରଭୁ କାର୍ତ୍ତିକେୟ :
ତାମିଲନାଡୁର ପ୍ରଭୁ କାର୍ତ୍ତିକେୟ ମୁରୁଗାଙ୍କ ସିକ୍କଲ ସିଙ୍ଗାରଭେଲାଭର୍ ମନ୍ଦିର ବିଷୟରେ ମଧ୍ୟ ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ରହିଛି ଯେ ଭଗବାନଙ୍କ ମୂର୍ତ୍ତିରୁ ଝାଳ ବାହାରେ। ପ୍ରତିବର୍ଷ ଅକ୍ଟୋବରରୁ ନଭେମ୍ବର ପର୍ଯ୍ୟନ୍ତ ଏଠାରେ ଏକ ଉତ୍ସବର ଆୟୋଜନ କରାଯାଏ। ଏହି ସମୟରେ ପ୍ରଭୁ ସୁବ୍ରମଣ୍ୟମଙ୍କ ପଥର ମୂର୍ତ୍ତିରୁ ଝାଳ ବାହାରିଥାଏ ଏବଂ ପର୍ବ ଶେଷ ହେବା ପର୍ଯ୍ୟନ୍ତ ଝାଳ ବାହାରି ଧିରେ ଧିରେ କମିବା ଆରମ୍ଭ କରେ। ଏହି ପର୍ବ ବିଷୟରେ ଏକ ବିଶ୍ୱାସ ଅଛି ଯେ ଏହା ସୁରାପଦମନ ନାମକ ଏକ ରାକ୍ଷସ ଉପରେ ପ୍ରଭୁ ସବ୍ରମଣ୍ୟଙ୍କ ବିଜୟ ଉତ୍ସବ। ତେବେ ଏଠାରେ ଲୋକକଥାରେ ରହିଛି ଯେ ଯେତେବେଳେ ରାକ୍ଷସକୁ ମାରିବା ପାଇଁ ପ୍ରଭୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ତାଙ୍କ ଦେହରୁ ଆସୁଥିବା ଝାଳ ଭଗବାନ ସୁବ୍ରମଣ୍ୟମଙ୍କ କ୍ରୋଧର ପ୍ରତୀକ। ଏହି ଝାଳ ଭକ୍ତମାନଙ୍କ ଉପରେ ମଧ୍ୟ ଛିଞ୍ଚା ଯାଇଥାଏ।