• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତେଲକୋଇ(ଚିନ୍ମୟ କୁମାର ସାହୁ) : ପୁଅ, ଝିଅ ଅଲଗା ଜାତିର ଥିଲେ, ଆଉ ସେମାନଙ୍କ ଭିତରେ ଗଢି ଉଠିଥିଲା ପ୍ରେମ ସଂପର୍କ । ସମାଜର ବାଧାବନ୍ଧନକୁ ଆଡ଼େଇ ଉଭୟେ ୨ ବର୍ଷ ପୁର୍ବେ ବିବାହ କରିବା ପାଇଁ ଘର ଛାଡିଥିଲେ । ପ୍ରାୟ ବର୍ଷେରୁ ଅଧିକ ଝିଅର ସଂପର୍କୀୟଙ୍କ ଘରେ ରହିଥିଲେ ଦୁଇ ପ୍ରେମପକ୍ଷୀ । ବର୍ଷେ ପରେ ଘରକୁ ଫେରିଥିଲେ, କିନ୍ତୁ ଅଧା ରାସ୍ତାରୁ ଆଉ ଉଭୟଙ୍କର ଫୋନ ଲାଗିନଥିଲା । କିଛି ମାସ ପୁର୍ବରୁ ପ୍ରେମିକ ଆଉ ଜଣକୁ ବାହା ହେଲାପରେ ଝିଅ ଘର ଲୋକେ ପ୍ରମାଦ ଗଣିଲେ । ଝିଅ କେଉଁଆଡେ ଗଲା ପ୍ରେମିକକୁ ପଚାରିବା ପରେ ସନ୍ତୋଷ ଜନକ ଉତ୍ତର ନପାଇବାରୁ ଏବେ ଝିଅର ଘର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଆଧାରରେ ପୋଲିସ ପ୍ରେମିକକୁ ଅଟକ ରଖିଛି ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଁଚଳରେ ଏପରି ଘଟଣା ଘଟିଛି । ନୟାକୋଟ ଗାଁର ନବାତ ଡାଙ୍ଗୁଆ ଉପରକାଦକଳା ଗାଁର ଚକ୍ରଧର ଘଣାଙ୍କୁ ଭଲ ପାଇ ବସିଥିଲେ । ଭିନ୍ନ ଜାତିର ହୋଇଥିବାରୁ ପୁଅ ଘର ଲୋକେ ଏମାନଙ୍କ ସଂପର୍କକୁ ସ୍ୱୀକୃତି ଦେଉନଥିଲେ । ଆଉ ତା’ପରେ ପ୍ରେମିକ ଚକ୍ରଧର ପ୍ରେମିକା ନବାତଙ୍କୁ ଗତ ୨୦୧୯ ମସିହା ଅଗଷ୍ଟ ମାସରେ ଘରୁ ନେଇ ପଳାଇଥିଲେ । ପ୍ରଥମ କଟକରେ କିଛି ଦିନ ରହିଲା ପରେ ମୟୁରଭଂଜ ଜିଲ୍ଲା ଯଶିପୁର ଥାନା ପଦ୍ମପୁର ଗାଁର ନବାତଙ୍କ ବଡ ଭଉଣୀ ଘରକୁ ପଳାଇଥିଲେ । ସେଠି ପ୍ରାୟ ୮ ମାସ ରହିଥିଲେ , ଚକ୍ରଧର ସେଠି ଟିଉସନ କରି ପରିବାର ଚଳୁଥିଲେ ।

୮ ମାସ ପରେ ବଢ ଭଉଣୀ ଘରୁ ଆଉ ଜଣେ ଭଉଣୀଙ୍କ ଘରକୁ ଯାଇଥିଲେ । ପୁଣି ସେଠାରେ କିଛି ଦିନ ରହିବା ପରେ କେନ୍ଦୁଝରକୁ ଆସି ରହିଥିଲେ । ପ୍ରାୟ ବର୍ଷେରୁ ଉର୍ଦ୍ଧ ବାହାରେ ବୁଲିବା ପରେ ଉଭୟେ ଘରକୁ ଫେରିବାକୁ ଯୋଜନା କରିଥିଲେ । ଆଉ ଏସମ୍ପର୍କରେ ନବାତଙ୍କ ଭଉଣୀଙ୍କୁ ସବୁ କଥା ଜଣାଥିଲା । ହେଲେ ହଠାତ ଫେରିବା ବାଟରେ ଉଭୟଙ୍କର ଫୋନ ଲଗିନଥିଲା । ନବାତଙ୍କ ଘରଲୋକେ ଭାବିଥିଲେ ହୁଏତ ‌ଉଭୟେ ଆଉ କେଉଁଠାକୁ ଯାଇଥିବେ ।

କିନ୍ତୁ ଗତ ଜୁଲାଇ ମାସରେ ଚକ୍ରଧର ଘଣା ଆଉ ଜଣେ ଝିଅକୁ ବିବାହ କରିଛନ୍ତି । ଏକଥା ଜାଣିବା ପରେ ନବାତଙ୍କ ଭଉଣୀ ମାନେ ଆସି ଚକ୍ରଧିରଙ୍କୁ ନବାତଙ୍କ ବିଷୟରେ ପଚାରିଥିଲେ । କିନ୍ତୁ ତାଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନମିଳିବାରୁ ନୟାକୋଟ ଥାନାରେରେ ଏ ସଂପର୍କରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ନୟାକୋଟ ପୋଲିସ ଚକ୍ରଧର ଘଣାକୁ ଅଟକ ରଖି ପଚରା ଉଚରା କରୁଛି । ନବାତଙ୍କୁ ହତ୍ୟା କରାଯାଇଛି କିମ୍ବା ସେ କେଉଁଠାରେ ଅଛି ତାହା ବର୍ତ୍ତମାନ ଷ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ନବାତଙ୍କୁ ତା ପ୍ରେମିକ ଚକ୍ରଧର ହତ୍ୟା କରିଛି ଓ ଆମକୁ ନ୍ୟାୟ ଦରକର ବୋଲି ଝିଅର ପରିବାର ଲୋକେ ଦାବି କରିଛନ୍ତି । ତେବେ ଏ ସଂପର୍କରେ ନାୟାକୋଟ ପୋଲିସ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନାକରିଥିଲା । ତେବେ ନବାତଙ୍କୁ ପ୍ରେମିକ ହତ୍ୟା କରିଛି ନାଁ ନବାତ ଆଉ କେଉଁଠି ଅଛନ୍ତି ତାହା ବର୍ତମାନ ସବୁଠାରୁ ବଡ ପ୍ରଶ୍ନ । ପୋଲିସର ତଦନ୍ତ ସଠିକ ଦିଗରେ ଯାଉଛି ନାଁ ନାହିଁ ତାକୁ ଅପେକ୍ଷା ।