ସ୍ଥାଣୁ ପୌର ପରିଷଦ! ହନ୍ତସନ୍ତ ସହରବାସୀ, ବସଷ୍ଟାଣ୍ଡ-ଶୌଚାଳୟ- ଟ୍ରାଫିକ ସମସ୍ୟା ଉତ୍କଟ

ସଫା ହେଉନି ଡ୍ରେନ୍, ଜଳୁନି ଷ୍ଟ୍ରିଟ୍ ଲାଇଟ୍ । ବିଧାୟକ କହିଲେ ବହୁ ବିକାଶମୂଳକ କାମ ଅାରମ୍ଭ ହୋଇଛି ।

Khurdha

ଦୀର୍ଘ ଦିନ ବ୍ୟବଧାନରେ ପୌର ପରିଷଦ ନିର୍ବାଚନ ହେଲା । ୨୨ ଓ୍ୱାର୍ଡ ବିଶିଷ୍ଟ ଖୋର୍ଦ୍ଧା ପୌର ପରିଷଦରେ କାଉନସିଲରଙ୍କ ସହିତ ସିଧା ସଳଖ ନିର୍ବାଚିତ ହେଲେ ପୌରାଧ୍ୟକ୍ଷା । ଜନସାଧାରଣ ଆଶା କରିଥିଲେ ନିର୍ବାଚିତ ଲୋକ ପ୍ରତିନିଧି ଆସିଲେ, ଏଥର ସୁଧୁରିବ ସହରର ସମସ୍ୟା । ହେଲେ ସ୍ଥିତି ଯଥା ପୂର୍ବମ୍‌ ତଥା ପରଂ ।

ଖୋର୍ଦ୍ଧା ସହର ଉପରେ ନୂଆ ବସ୍‌ଷ୍ଟାଣ୍ଡ । ଯାତ୍ରୀମାନେ ଏଠି ଖରା ବର୍ଷାରେ ବସ୍‌କୁ ଅପେକ୍ଷା କରନ୍ତି । ପାଣି ଟୋପାଏ ପିଇବାକୁ ନାହିଁ । ରାତି ହେଲେ ଅନ୍ଧାରର ରାଜୁତି । ବସ ଷ୍ଟାଣ୍ଡ ପରିସରରେ କୁଢ଼ କୁଢ଼ ଆବର୍ଜନା । ଯାତ୍ରୀମାନଙ୍କ ପାଇଁ ଖୋଲା ଯାଇଥିବା ସୁଲଭ ଶୌଚାଳୟଟି ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି । ଦୀର୍ଘ ବର୍ଷ ଧରି ଶୌଚାଳୟ ନଥିବାରୁ ଯାତ୍ରୀଙ୍କ ସମସ୍ୟା ନକହିଲେ ଭଲ । ସବୁଠାରୁ ଚିନ୍ତାର ବିଷୟ ହେଉଛି ରାତି ହେଲେ ଏଠାରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମେ । ସେହିପରି ସହରର ପେଟ୍ରୋଲ ପମ୍ପ ଛକରେ ଥିବା ଅନ୍ୟ ଗୋଟିଏ ସୁଲଭ ଶୌଚାଳୟ ମଧ୍ୟ ବନ୍ଦ ହୋଇରହିଛି । 

ଖୋର୍ଦ୍ଧା ସହରର ଟ୍ରାଫିକ ସମସ୍ୟା ଉତ୍କଟ, ରାସ୍ତା ଉପରେ ଉଠା ଦୋକାନୀ ବ୍ୟବସାୟ କରୁଛନ୍ତି । ଯିଏ ଯେଉଁଠି ପାରିଲା ଗାଡି ପାର୍କିଂ କରୁଛି । ଫଳରେ ସହର ଭିତରେ ଅସମ୍ଭାଳ ଭିଡ଼ । ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସୁଥିବା ଆମ୍ବୁଲାନ୍ସ ଗୁଡିକ ଟ୍ରାଫିକ ଭିଡ଼ ଭିତରେ ଘଣ୍ଟା ଘଣ୍ଟା ଫସି ରହୁଥିବା ଦେଖିବାକୁ ମିଳୁଛି । ରାସ୍ତା ଉପରେ ଗୋରୁ ଗାଈଙ୍କ ଅବାଧ ବିଚରଣ । ବୁଲା ଗୋରୁ ଗାଇଙ୍କ ଯୋଗୁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ବି ଘଟୁଛି ।

ଖାଲି ସେତିକି ନୁହେଁ, ସହର ଭିତରେ ଡ୍ରେନ ସଫା ନହେବା ଏବଂ ଆଲୋକ ନଜଳିବା ଲୋକ ମାନଙ୍କର ଯେମିତି ଦେହ ସୁହା ହୋଇ ଗଲାଣି । ତେବେ ଏସବୁ ଅବ୍ୟବସ୍ଥା ସମ୍ପର୍କରେ ସ୍ଥାନୀୟ ବିଧାୟକ ଏବଂ ପୌରାଧ୍ୟକ୍ଷାଙ୍କୁ ପଚାରିବାରୁ ସେ କହିଛନ୍ତି, ବହୁ ବିକାଶମୂଳକ କାମ ଆରମ୍ଭ ହୋଇଛି ଶ୍ରୀଘ୍ର ସମାଧାନ ହେବ ।