Advertisment

କିଏ କହୁଛି ସତ ? ୪ ବର୍ଷର ଛୁଆକୁ ନେଇ ଜନ୍ମ କଲା ମାଆ ଓ ପାଳିତା ମାଆ ମଧ୍ୟରେ ଟଣାଓଟରା

୪ ବର୍ଷର ଶିଶୁକୁ ନେଇ ଜନ୍ମକଲା ମାଆ ଓ ପାଳିତା ମାଆ ମଧ୍ୟରେ ବିବାଦ। ବିବାଦ ଏତେ ଜୋର ହୋଇଥିଲା ଯେ, କଥା ଯାଇ ଥାନାରେ ପହଞ୍ଚି ଥିଲା।

author-image
Rajalaxmi Sahoo
Mother files FIR against woman after 4 years for allegedly stealing baby son in Berhampur

Mother files FIR against woman after 4 years for allegedly stealing baby son in Berhampur

୪ ବର୍ଷର ଶିଶୁକୁ ନେଇ ଜନ୍ମକଲା ମାଆ ଓ ପାଳିତା ମାଆ ମଧ୍ୟରେ ବିବାଦ। ବିବାଦ ଏତେ ଜୋର ହୋଇଥିଲା ଯେ, କଥା ଯାଇ ଥାନାରେ ପହଞ୍ଚି ଥିଲା। ଉଭୟଙ୍କ ମଧ୍ୟରେ ଟଣାଓଟରା ପରେ ବର୍ତ୍ତମାନ ବାଳାଶ୍ରମରେ ଶିଶୁକୁ ରଖାଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ବ୍ରହ୍ମପୁର ବିଏନପୁର ଥାନାରେ ହୋଇଥିବା ଏକ ମାମଲା ଅନୁସାରେ ଶିଶୁକୁ ବାଳାଶ୍ରମରେ ରହିବାକୁ ପୋଲିସ ଅନୁମତି ଦେଇଛି।  

Advertisment

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପାଲୁର ଗଜପତି ନଗର ଅଞ୍ଚଳର ସୁନିତା ବେହେରା ଉକ୍ତ ଛୁଆକୁ ନିଜର ବୋଲି ଦାବି କରିଛନ୍ତି। ଆଜକୁ ୪ ବର୍ଷ ପୂର୍ବେ ଛୁଆକୁ ବ୍ରହ୍ମପୁର ଅଞ୍ଚଳର ଗୀତା ଦାସ ଚୋରି କରି ନେଇଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ଛୁଆକୁ ଜନ୍ମ କରିବାର ଦୁଇ ଦିନ ପରେ ତାଙ୍କ ହାତରେ ସୁନିତା ଟେକି ଦେଇ କେଉଁଆଡ଼େ ଚାଲି ଯାଇଥିଲେ ବୋଲି ଗୀତା ଅଭିଯୋଗ କରିଛନ୍ତି। ଗତ କିଛି ଦିନ ପୂର୍ବେ ସୁନିତା ତାଙ୍କ ପୁଅକୁ ଫେରାଇ ଦେବାକୁ ଦାବି କରିଥିଲେ। ଏହାପରେ ଜନ୍ମ କଲା ମାଆ ଓ ପାଳିତା ମାଆ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଥିଲା। ବିବାଦ ଏତେ ଜୋର ହୋଇଥିଲା ଯେ, କଥା ଯାଇ ଥାନାରେ ପହଞ୍ଚି ଥିଲା।

ସୁନିତାଙ୍କ କହିବା ଅନୁସାରେ, ସେ ଛୁଆକୁ ଜନ୍ମର ୭ ଦିନ ପରେ ଏମ୍‌କେସିଜିରୁ ପାଲୁର ଯିବାକୁ ଅଟୋ ବୁଝିବାକୁ ଯାଇଥିଲେ। ଏହି ସମୟରେ ଗୀତାଙ୍କ ସ୍ୱାମୀ ସନ୍ତୋଷଙ୍କ ସହ ତାଙ୍କର ଭେଟଘାଟ ହୋଇଥିଲ। ତାଙ୍କୁ ସନ୍ତୋଷ ବିଭିନ୍ନ କଥା କହି ତାଙ୍କ ଘରେ ୨ ମାସ ରଖିଥିଲେ। ପରେ ସେ ବ୍ରହ୍ମପୁର ମାକେର୍ଟକୁ ନିଜ ଛୁଆ ପାଇଁ କିଛି କିଣିବାକୁ ଆସିଥିବା ବେଳେ ତାଙ୍କୁ ଛାଡ଼ି ଦେଇ ସନ୍ତୋଷ କେଉଁ ଆଡ଼େ ପଳାଇଥିଲେ। ଏନେଇ ସେ ରମ୍ଭା ଥାନାରେ ଅଭିଯୋଗ କରିଥିଲେ ବୋଲି ସୁନିତା କହିଛନ୍ତି। 

Advertisment

ସେପଟେ ଗୀତା କହିଛନ୍ତି, ଛୁଆ ଜନ୍ମ କରିବାର ଦ୍ୱିତୀୟ ଦିନରେ ସୁନୀତା ଛୁଆକୁ ନେଇ ଫୋପାଡ଼ିବାକୁ ଯାଉଥିବା ବେଳେ ତାଙ୍କ ସ୍ୱାମୀ ଏହା ଦେଖିଥିଲେ। ପରେ ସେ ଛୁଆକୁ ନିଜ ପାଖରେ ରଖିବି ବୋଲି କହିଥିଲେ। ଆଉ ସୁନିତା ସେ ପୁଅକୁ ଛାଡ଼ି କେଉଁ ଆଡ଼େ ପଳାଇଥିଲେ। ଏବେ ଦୀର୍ଘ ୪ ବର୍ଷ ପରେ ସେ(ସୁନିତା) ଆସି ଶିଶୁକୁ ନେଇ ଯିବାକୁ ଚାହୁଁଛି। କିନ୍ତୁ ସେ ଶିଶୁକୁ ଛାଡ଼ିବାକୁ ଚାହୁଁ ନଥିବା କହୁଥିବା ବେଳେ ଶିଶୁକୁ ନିଜ ହେପାଜତରେ ରଖିବାକୁ ଦାବି ଗୀତା କରିଛନ୍ତି। ଏପରିକି ସୁନିତା ସେ ଛୁଆକୁ କେଉଁଆଡ଼େ ନେଇ ବିକ୍ରି କରିଦେବ ବୋଲି ଗୀତା ସନ୍ଦେହ କରିଛନ୍ତି। ଏଥିସହ ଶିଶୁ, ସୁନିତା ଓ ତାଙ୍କ ବାପାଙ୍କର ଡିଏନ୍‌ଏ ପରୀକ୍ଷା କରିବାକୁ ଗୀତା ଦାବି କରିଛି।

ଏ ଘଟଣା ପ୍ରଥମେ ପୋଲିସ, ପରେ ସିଡବ୍ଲ୍ୟୁସି ଓ ପରେ ବ୍ରହ୍ମପୁର ଏସଡିଜେମ୍ କୋର୍ଟକୁ ଯାଇଛି। ସିଡବ୍ଲ୍ୟୁସି ଶିଶୁଟିକୁ ପାଳିତା ମାଆ ପାଖରେ ରହିବାକୁ ଅନୁମତି ଦେଇଥିଲେ। କୋର୍ଟ ଶେଷରେ ଶିଶୁଟିକୁ ବାଳାଶ୍ରମରେ ରହିବାକୁ ନିର୍ଦ୍ଦେଶ ଦେବା ପରେ ପୋଲିସ ସେହି ନିର୍ଦ୍ଦେଶ ପାଳନ କରିଛି। ତେବେ ଛୁଆକୁ ଚୋରି କରାଯାଇଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ। ଘଟଣାର ତଦନ୍ତ ଚାଲିଛି ଏବଂ ଆବଶ୍ୟକ ହେଲେ ଛୁଆର ଡିଏନଏ ଟେଷ୍ଟ କରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି।

Advertisment
Advertisment