• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭୁବନେଶ୍ୱର ପହଞ୍ଚିସାରିଛି ୧୦ ଥରର ବିଧାୟିକା ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର । ଚେନ୍ନାଇରେ ଗତକାଲି ରାତିରେ ତାଙ୍କ ଦେହାନ୍ତ ହୋଇଥିବା ବେଳେ ଆଜି ମରଶରୀରକୁ ଭୁବନେଶ୍ୱର ଅଣାଯାଉଛି । ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ ସୁଜ୍ଞାନଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଛି । ସେଠାରେ ସୁଜ୍ଞାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପରେ ବିଜେଡିର ବହୁନେତା ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । 

ସେଠାରେ ଶେଷ ଦର୍ଶନ ପରେ ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ପରେ ଖଲ୍ଲିକୋଟ ସ୍ଥିତ ସୁଜ୍ଞାନ କୁମାରୀଙ୍କ ବାସଭବନରେ ମରଶରୀର ଶେଷ ଦର୍ଶନ ପାଇଁ ରଖାଯିବ । ଆସନ୍ତାକାଲି ଖଲ୍ଲିକୋଟରେ ଥିବା ରାଜପରିବାରର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ କରାଯିବା ପାଇଁ ଧାର୍ଯ୍ୟ ହୋଇଛି।

ରାଣୀ ମା’ଙ୍କ ବିଚ୍ଛେଦ ପରେ ଶୋକାକୂଳ ପରିବେଶ । କାହା ପାଇଁ ସେ ଥିଲେ ରାଣୀ ତ ଆଉ କାହାର ଥିଲେ ଭାଗ୍ୟ ବିଧାତା । ୫୦ ବର୍ଷର ଲମ୍ବା ରାଜନୈତିକ ଯାତ୍ରା ଭିତରେ କେତେ ଜନତାଙ୍କ ଦୁଃଖହରଣ କରିଛନ୍ତି, ଆଜି ସବୁ ଗୋଟି ଗୋଟି ହୋଇ ଭାସିଆସୁଛି ଆଖିର ଲୁହ ସାଜି । ସେଥିପାଇଁ ତ ସେ ବିଧାୟିକା ନଥିଲେ, ବରଂ ସେ ଥିଲେ ମା’ ।

ସୁଜ୍ଞାନ କୁମାରୀ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଗତରାତି ୧୨ଟା ୪୪ ମିନିଟରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ୮୭ ବର୍ଷ ବୟସ୍କା ସୁଜ୍ଞାନ ଅସୁସ୍ଥ ଥିବା ଖବର ପାଇ କାଲି ସଂଧ୍ୟାରେ ଚେନ୍ନାଇ ଯାଇଥିଲେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟବସ୍ଥା କଥା ବୁଝିଥିଲେ । କିନ୍ତୁ ଏହାର କିଛି ଘଣ୍ଟା ପରେ ତାଙ୍କର ଦେହାନ୍ତ ନେଇ ଘୋଷଣା କରିଥିଲେ ମେଡିକାଲ କର୍ତ୍ତୃପକ୍ଷ ।

ଏ ଖବର ପରଠୁ ଶୋକରେ ବୁଡ଼ିଛି ସାରା ଗଞ୍ଜାମ, କାନ୍ଦୁଛି ଖଲ୍ଲିକୋଟଠୁ କବିସୂର୍ଯ୍ୟନଗର ଯାଏଁ । ଭି.ସୁଜ୍ଞାନ କୁମାରୀ ଦେଓ । ୧୯୩୭ ଅଗଷ୍ଟ ୫ରେ ଜନ୍ମ । ବାପାଙ୍କ ନାଁ ରାଜା ଆର.ଭି.ଏମ୍. ନୀଳାଦ୍ରି ରାଓ ଏବଂ ସ୍ୱାମୀଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ । ରାଜ୍ୟ ରାଜନୀତିର ଏହି ଚର୍ଚ୍ଚିତ ନେତ୍ରୀ, ରାଜନୈତିକ ଇତିହାସରେ ଏକ ବିରଳ ବ୍ୟକ୍ତିତ୍ୱ ।

  • Reported by:
  • ATULYA BOUT