• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀରେ ହେବ ମଙ୍କିପକ୍ସ ଟେଷ୍ଟିଂ । ଅନୁମତି ମିଳିବା ପରେ ଭୁବନେଶ୍ୱର RMRC(Regional Medical Research Centre)ରେ ମଙ୍କିପକ୍ସ ଟେଷ୍ଟିଂ ହେବ । ଏନେଇ RMRC ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ ସୂଚନା ଦେଇଛନ୍ତି । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ RMRCକୁ ମଙ୍କିପକ୍ସ ଟେଷ୍ଟିଂ ଲ୍ୟାବରେ ସାମିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ICMR, ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖି ଅନୁମତି ମଗାଯିବ । ଆସନ୍ତାକାଲି ରାଜ୍ୟ ସରକାର ଚିଠି କରିବେ । ଅନୁମତି ମିଳିଲେ ଖୁବଶୀଘ୍ର ମଙ୍କିପକ୍ସର ଟେଷ୍ଟିଂ ହେବ ବୋଲି RMRCର ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି ।

ଅନ୍ୟପକ୍ଷେ, ଏସ୍‌ସିବି ମେଡିକାଲରେ ମଙ୍କିପକ୍ସର ନୋଡାଲ ସେଣ୍ଟର କରାଯାଇଛି । ମେଡିକାଲ ତରଫରୁ ମେଡିସିନ, ପେଡିଆଟ୍ରିକ,ମାଇକ୍ରୋ ବାୟୋଲୋଜି,ଗାଇନିକ ଓ ସ୍କିନ୍ ବିଭାଗର ଡାକ୍ତରଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି । ଏହାସହ ଗତକାଲି ମଙ୍କିପକ୍ସକୁ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ସାଢେ ୪ଟାରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଏଥିରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଡିଏମଇଟି ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ ମଙ୍କିପକ୍ସ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଦେଶରେ ମଙ୍କିପକ୍ସ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ- ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ ସଙ୍ଗରୋଧରେ ରହିବେ । ରୋଗୀ ତିନି ଥାକିଆ ମାସ୍କ ପିନ୍ଧିବେ । ଶରୀରରେ ହୋଇଥିବା ଘା ଓ ବଥ ଗୁଡିକୁ ଯଥା ସମ୍ଭବ ଘୋଡାଇ ରଖିବା ଉଚିତ୍‌ । ସଂକ୍ରମିତ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ ଦିନ ଆଇସୋଲେସନରେ ରହିବେ । ମଙ୍କିପକ୍ସ ଆକ୍ରାନ୍ତଙ୍କ ଯତ୍ନ ନେଉଥିବା ବ୍ୟକ୍ତି ପିପିଇ କିଟ୍ ପିନ୍ଧିବେ । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଲକ୍ଷଣ ନଥିଲେ ବି ବ୍ଲଡ, ସେଲ ଓ ଟିସୁ ଦାନ କରିପାରିବେନି । ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବାରମ୍ବାର ହାତ ଧୋଇବା ସହ ସାନିଟାଇଜର ବ୍ୟବହାର କରିବେ । ତେବେ ଏହି ନିୟମଗୁଡ଼ିକୁ ମାନିବାକୁ କେନ୍ଦ୍ର ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

ମଙ୍କିପକ୍ସ ଭୂତାଣୁର ଲକ୍ଷଣ କଣ, ଏହା କେତେ ଭୟଙ୍କର ଓ ଏଥିପାଇଁ କି ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ରହିଛି ?

ମଙ୍କିପକ୍ସ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ସାଧାରଣତଃ ଜ୍ୱର ହୋଇଥାଏ । ଦେହମୁଣ୍ଡ ଓ ଅଣ୍ଟା ବିନ୍ଧେ ଓ ଦେହରେ ଫୋଟକା ଭଳି ଫଳି ଯାଏ । ସମୟ ସମୟରେ ରୋଗୀଙ୍କୁ କମ୍ପ ଆସିବା ସହ ଦେହହାତ ଥରେ । ତଣ୍ଟି ଦରଜ ହେବା ସହ ରୋଗୀ ଅତି କ୍ଲାନ୍ତ ଅନୁଭବ କରନ୍ତି । ପ୍ରଥମେ ଦେହରେ ମିଳିମିଳା କିମ୍ବା କାଛୁ ଭଳି ଛୋଟ ଛୋଟ ଫଳି ଯାଏ ଓ କୁଣ୍ଡାଇ ହୁଏ । ଏହା ୪ରୁ ୫ ଦିନ ପରେ ଫୁଲି ଯିବା ସହ ଏଥିରେ ପୁଜ ଭରିଯାଏ ତେଣୁ ଅନେକ ଏହାକୁ ହାଡ଼ଫୁଟି ଭାବେ ଧରିନିଅନ୍ତି । ୬ରୁ ୧୩ ଦିନ ଯାଏ ଏହାର କୋପ ରହେ କିଛି ରୋଗୀଙ୍କ କ୍ଷେତ୍ରରେ ୫ରୁ ୨୧ ଦିନ ଯାଏ ଏହାର ପ୍ରକୋପ ଦେଖିବାକୁ ମିଳେ ହେଲେ ୨ରୁ ୪ ସପ୍ତାହ ମଧ୍ୟରେ ଏହା ସଂପୂର୍ଣ୍ଣ ଭାବେ କମିଯାଏ । ସଧାରଣଭାବେ କହିଲେ ମଙ୍କିପକ୍ସ ମାରାତ୍ମକ ନୁହେଁ ତେବେ ଉପଯୁକ୍ତ ଚିକିତ୍ସା ନକରାଇଲେ ଏହା ଘାତକ ହୋଇପାରେ । ଆଫ୍ରିକୀୟ ଦେଶଗୁଡିକରେ ଯେଉଁଠି ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନାହିଁ, ସେଠାରେ ପ୍ରତି ୧୦ ଆକ୍ରାନ୍ତଙ୍କ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାପଡିଛି । ପରିଷ୍କାର ପରିଚ୍ଛନ୍ନ ରହିବା ସହ ଉପଯୁକ୍ତ ଚିକିତ୍ସା ଓ ସୁଷମ ଖାଦ୍ୟ ଖାଇଲେ ଅଧିକାଂଶ ରୋଗୀ ସୁସ୍ଥ ହୋଇଯିବା ସମ୍ଭାବନା ଅଧିକ । ମଙ୍କିପକ୍ସ ପାଇଁ ଏଯାଏଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ବାହାରି ନାହିଁ ଲକ୍ଷଣକୁ ଦେଖି ସାଧାରଣ ଚିକିତ୍ସା କରାଯାଇଥାଏ ।ଭୂତାଣୁ ଯେଭଳି ନବ୍ୟାପିବ ସେଥିଲାଗି ଆକ୍ରାନ୍ତଙ୍କୁ ପୃଥକ କରି ରଖିବାକୁ ହୁଏ ।