• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଙ୍କଡ଼ ଉପଦ୍ରବରେ ଅତିଷ୍ଠ ଲୋକେ । ତିହିଡି ବ୍ଲକ ତାଳପଦା ପଞ୍ଚାୟତ ଅଧିନ ଗୋପ ଗଦାଧରପୁର ଗାଁରେ ମାଙ୍କଡ ଉପଦ୍ରବ ଚରମସୀମାରେ ପହଁଞ୍ଚିଛି । ଅଢେଇ ମାସ ମଧ୍ୟରେ ୬ ଜଣ ଗୁରୁତର ହୋଇଥିବା ବେଳେ ପ୍ରାୟ ୧୦ ଜଣ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପଞ୍ଚାୟତବାସୀଙ୍କ ପାଇଁ ନିର୍ବାଚନୀ ମୁଦ୍ଦା ପାଲଟିଛି । ଯେଉଁ ପ୍ରାର୍ଥୀ ଅଥବା ଗୋଷ୍ଠୀ ମାଙ୍କଡ ଘଉଡ଼ାଇବାରେ ସମର୍ଥ ହୋଇପାରିବ, ତାଙ୍କୁ ଏହି ଗ୍ରାମବାସୀ ସର୍ବାଧିକ ପସନ୍ଦ କରିବେ ବୋଲି ମତ ରଖିଛନ୍ତି ।

ଉପାନ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଭଳି ଏବେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ମାଙ୍କଡ ଉପଦ୍ରବ ଚରମ ସୀମାରେ ପହଁଞ୍ଚିଛି । ଖାଲି ଯେ ଏହି ମାଙ୍କଡମାନେ ବିଲବାଡିରେ ପନିପରିବା ନଷ୍ଟ କରୁଛନ୍ତି ତାହା ନୁହେଁ ବରଂ ଗ୍ରାମାଞ୍ଚଳରେ ଥିବା ଝାଟିମାଟି ନଡା ଛପର ଓ ଟିଣ ଆଜବେଷ୍ଟସକୁ ମଧ୍ୟ ଭାଙ୍ଗିରୁଜି ଚୁରମାର୍ କରୁଛନ୍ତି । ଏପରିକି ଘରେ ଓ ଦୋକାନରେ ପଶି ପନିପରିବା ଠାରୁ ଆରମ୍ଭ କରି ସମସ୍ତ ଖାଦ୍ୟ ପଦାର୍ଥ ବୋହି ନେଉଛନ୍ତି । ଏତିକିରେ ତାଙ୍କ ମନ ବୁଝୁନି ସେମାନେ ମଣିଷମାନଙ୍କୁ ଦେଖିଲା ବେଳକୁ ଅତି ଭୟଙ୍କର ହୋଇଯାଉଛନ୍ତି ।

ବିଗତ କିଛି ବର୍ଷ ହେବ ପୀରହାଟ, ଦୋଳସାହି, ଅଚକ, କମାରିଆ, ଗଦି, ବାରୋ, ବିଲଣା, ପାଳିଆବିନ୍ଧା ଆଦି ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ଅନେକଙ୍କୁ କ୍ଷତାକ୍ତ ଓ ଗୁରୁତର କରୁଛନ୍ତି । ଏବେ କିଛିଦିନ ହେବ ଏହି ଉପଦ୍ରବ ତାଳପଦା ପଞ୍ଚାୟତର ବିଭିନ୍ନ ଗାଁରେ ଦେଖାଯାଇଛି । ଏକ ହିଂସ୍ର ମାଙ୍କଡ ଦଳ ଗୋପ ଗଦାଧରପୁର ଗାଁରେ ପଶି ଯାହାକୁ ଯେଉଁଠି ପାଉଛି କାମୁଡି ପକାଉଛି ।

ଲୋକେ ଭୟରେ ଘରୁ ବାହାରିବାକୁ ସାହସ କରୁନାହାଁନ୍ତି । ଯିଏ କୌଣସି କାମରେ ଘରୁ ବାହାରକୁ ଆସୁଛି ସାଙ୍ଗହୋଇ ଅଥବା ହାତରେ ବାଡିଠେଙ୍ଗା ଧରି ପଦାକୁ ଆସୁଛନ୍ତି । ଏହି ମାଙ୍କଡମାନେ ବିଶେଷକରି ବୃଦ୍ଧ, ମହିଳା ଓ ଛୋଟ ପିଲାମାନଙ୍କୁ ଆକ୍ରମଣ କରୁଛନ୍ତି । ହଜାର ହଜାର ଟଙ୍କା ଖର୍ଚ୍ଚ ପରେ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରୁନଥିବା ଅଭିଯୋଗ ହୋଇଛି ।

ଗୁରୁବାର ସକାଳେ ତାଳପଦା ଗାଁର କୁଟିଆ ଜେନା(୬୫) ଗଦାଧରପୁର ଗାଁରୁ ଫେରୁଥିବା ବେଳେ ଗୋଟିଏ ମାଙ୍କଡ ହାବୁଡରେ ପଡିଥିଲା । ରାସ୍ତା ମଝିରେ କୁଟିଆର ପଥ ଅବରୋଧ କରି ଗୋଡକୁ କାମୁଡି ରକ୍ତାକ୍ତ କରି ଦେଇଥିଲା । ମୂମୁର୍ଷ ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତୀ କରିଛନ୍ତି । ଏ ସଂକ୍ରାନ୍ତରେ ପୂର୍ବରୁ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ବନ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ।

ଗତକାଲି ବନ ବିଭାଗର ୨ ଜଣ କର୍ମଚାରୀ ଗାଁରେ ପହଁଞ୍ଚି ଜନ୍ତା ବସାଇ ଗୋଟିଏ ଅଣ୍ଡିରା ମାଙ୍କଡକୁ ଧରି ନିଜ କାମ ସାରି ଦେଇଥିବା ବାହାଃ ବାହାଃ ନେଉଥିବା ବେଳେ ଗ୍ରାମବାସୀମାନେ ଏଥିରେ ସନ୍ତୁଷ୍ଟ ନଥିବା କହିଛନ୍ତି । ଉପଦ୍ରବ କରୁଥିବା ମାଙ୍କଡ ଦଳରେ ୩୦ରୁ ଅଧିକ ହିଂସ୍ର ମାଙ୍କଡ ଥିବାବେଳେ ଗୋଟିଏ ମାଙ୍କଡକୁ ଧରିନେଲେ କ’ଣ ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରଶ୍ନ କରିଛନ୍ତି ।