• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାଳିଆ ଯୋଜନାରେ ଟଙ୍କା ଦେଉଛ, ଅନେକ ଯୋଜନାରେ ଅନେକ କିଛି ଦେଉଛ । ହେଲେ ଆମକୁ ପାଣି ଟିକିଏ ମିଳୁନି । ହେ ସରକାର ଆମକୁ ଟିକିଏ ପାଣି ଦିଅ...ଆମେ ଚାଷ କରିବୁ । କିଛି ଏମିତି ଢଙ୍ଗରେ ସରକାରଙ୍କୁ ପାଣି ଦେବାକୁ ଅନୁରୋଧ କରୁଛନ୍ତି ଚାଷୀ । ପାଣି ନଥିବାରୁ ଫସଲ ନଷ୍ଟ ହୋଇଗଲାଣି...ଫସଲ ନଷ୍ଟ ହେଲେ ଖାଇବେ କଣ? ପରିବାର କେମିତି ଚଳିବ? କିଛି ଏମିତି ଭାବି ଚାଷ ଜମିକୁ ପାଣି ମଡେଇବା ଲାଗି ପ୍ରାର୍ଥନା କରୁଛି ଚାଷୀ ।

ଗଜପତି ମୋହନା ବ୍ଲକ୍ ଗୁରୁରୀଗୁଡ଼ା ଗାଁରେ ଥିବା ଝାଡବନ୍ଧ ଜଳସେଚନ ପ୍ରକଳ୍ପକୁ ନେଇ ଏବେ ତେଜିବାରେ ଲାଗିଛି ଅସନ୍ତୋଷ । ପ୍ରକଳ୍ପର ଲକ୍ଷ୍ୟ ଥିଲା ଗୁବୁରୀଗୁଡ଼ା ଗାଁ ସମେତ ଖାରିଢେପ, ରାଣିଖମା ଓ ଚାନ୍ଦିପୁଟ୍ ଗାଁର ଶହ ଶହ ଚାଷୀଙ୍କ ଜମିକୁ ପାଣି ଯୋଗାଇବା । ଏଥିପାଇଁ ୧୯୯୧ ମସିହାରେ ୭୮ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ।

ଝାଡବନ୍ଧ ଘାଇରେ ନଦୀ ବାନ୍ଧିବା ସହ ବିଭିନ୍ନ ସ୍ଥାନରେ ପାଣି ପମ୍ପ ସ୍ଥାପନ କରି ଜମିଗୁଡ଼ିକୁ ପାଇପ ସଂଯୋଗ ବି କରାଯାଇଥିଲା । ଘାଇର ଅତିରିକ୍ତ ଜଳ ନିଷ୍କାସନ ପାଇଁ କେନାଲ ମଧ୍ୟ ତିଆରି କରାଯାଇଥିଲା । ହେଲେ କାମ ଠିକ୍‌ରେ ହୋଇନଥିବାରୁ ତିତିଲି ବାତ୍ୟା ସମୟରେ ଘାଇର ଆଡିବନ୍ଧ ଭାଙ୍ଗି ଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

କେନାଲ ଭାଙ୍ଗିଯିବା ପରେ ଜଳସେଚନ ପ୍ରକଳ୍ପ ପୂରା ଠପ୍‌ ହୋଇ ପଡ଼ିଛି । ପାଣି ନମିଳିବାରୁ ନାହିଁନଥିବା ଅସୁବିଧା ସାମ୍ନା କରୁଛନ୍ତି ଚାଷୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚାଷୀଙ୍କ ପାଇଁ ଆମ ସରକାର ବୋଲାଉଥିବା ବିଜେଡି ସରକାରରେ କିନ୍ତୁ ଚାଷୀଙ୍କ ଦୁଃଖ କେହି ଶୁଣୁନାହାନ୍ତି । ପାଣି ଲାଗି ପ୍ରଶାସନ ପାଖରେ ବାରମ୍ବାର ଗୁହାରି ପରେ କୌଣସି ଲାଭ ହେଉନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୪ ଖଣ୍ଡ ଗାଁର ଶହଶହ ଚାଷୀ ଉପକୃତ ହେବେ ବୋଲି ଆଶା ରଖିଥିବା ବେଳେ ଏଯାଏଁ ପ୍ରକଳ୍ପ କାମ କିନ୍ତୁ ହେଲା ନାହିଁ । ବାରମ୍ବାର ଅଭିଯୋଗ ପରେ ଆଡ଼ିବନ୍ଧ ମରାମତି ସହ ପ୍ରକଳ୍ପର ପୁନଃଉଦ୍ଧାର ପାଇଁ ଗତ ୨୦୨୦ ମସିହାରେ ତତ୍କାଳୀନ ଯନ୍ତ୍ରୀ ୩ କୋଟି ୩୦ ଲକ୍ଷ ଟଙ୍କାର ଏକ ପ୍ରୋଜେକ୍ଟ ତିଆରି କରି ସରକାରଙ୍କୁ ଦେଇଛନ୍ତି । ହେଲେ ତାହାର ଅଟକଳ ଅଧିକ ହୋଇଯିବାରୁ ପୁଣି ଥରେ ପ୍ରୋଜେକ୍ଟ ଦିଆଯାଇଛି ବୋଲି କ୍ଷୁଦ୍ର ଜଳସେଚନ ଅଧିକାରୀ କହିଛନ୍ତି ।

ଏତେ ବର୍ଷ ହେଲାଣି ଅଭିଯୋଗ କରୁଛନ୍ତି ଚାଷୀ, କିନ୍ତୁ ସେମାନଙ୍କ କଥା ଯେମିତି କାହା କାନରେ ପଡୁନାହିଁ । ଏବେ ପୁଣି ଥରେ ପ୍ରତିଶ୍ରୁତିର ଦ୍ୱାହି ଦେଇ ଚୁପ୍‌ ବସିଛି ପ୍ରଶାସନ । ସମୟ କହିବ କେବେ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଆଉ କେବେ ପାଣି ପାଉଛନ୍ତି ଚାଷୀ ।

(ମୋହନାରୁ ମିହିର ଜତିଙ୍କ ରିପୋର୍ଟ)