• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆପଡା(ମାୟାଧର ସରାଫ) : ଆଧୁନିକତାର ସ୍ପର୍ଶରେ ଦିନକୁ ଦିନ ଅନେକ ଲୋକ ପରମ୍ପରା ଲୋପ ପାଇଯାଉଛି । ଲୋକକଥା, ପ୍ରଥା ପରମ୍ପରାକୁ ଭୁଲି ଯାଉଛନ୍ତି ଲୋକେ। ପୂର୍ବରୁ ଅନେକ ଜାନୁଘଣ୍ଟି ପର୍ଶୁରାମଙ୍କୁ ଗାଁ ଦାଣ୍ଡରେ ଦେଖିବାକୁ ମିଳୁ ଥିଲା । ହେଲେ ଦିନକୁ ଦିନ ଏସବୁ ଅର୍ନ୍ତଧ୍ୟାନ ହେବାକୁ ବସିଲାଣି । ତେବେ ଆଜିର ବ୍ୟସ୍ତବହୁଳ ଜୀବନରେ କିଛି ଏପରି ଲୋକ ଅଛନ୍ତି, ଯେଉଁମାନେ ଦାରିଦ୍ର‌୍ୟତା ସତ୍ତ୍ୱେ ଉତ୍କଳୀୟ ପରମ୍ପରାକୁ ବଂଚାଇ ରଖିଛନ୍ତି । ଏମିତି ଜଣେ ପର୍ଶୁରାମ ବେଶଧାରୀ ବ୍ୟକ୍ତି ହେଉଛନ୍ତି ନୂଆପଡା ଜିଲ୍ଲା ସିନାପାଲି ଘଂଟିଗୁଡା ଗାଁର ଜଗନ୍ନାଥ ମାଝି । ୧୪ ବର୍ଷ ବନବାସ କରି ପରମମ୍ପରାକୁ ବଞ୍ଚାଇ ରଖିଛନ୍ତି । ୧୪ ବର୍ଷ ପାଇଁ ପ୍ରତିଜ୍ଞା କରିଛନ୍ତି । ୧୪ ବର୍ଷ ନ ପୁରିବା ଯାଏ ଘରକୁ ଯିବେ ନି ।

ଗୋଟିଏ ହାତରେ ଟାଙ୍ଗିଆ, ଅନ୍ୟ ହାତେ ଧନୁ । କାନ୍ଧରେ ହାଣ୍ଡି । ଜଙ୍ଘରେ ଘଣ୍ଟି । ଗାଁ ଦାଣ୍ଡରେ ପର୍ଶୁରାମଙ୍କ ଉପାଖ୍ୟାନ ଓ ପର୍ଶୁରାମଙ୍କ ମହାତ୍ମ୍ୟ ଗାନ କରୁଛନ୍ତି ପର୍ଶୁରାମ ବେଶଧାରୀ ଯୁବକ ଜଗନ୍ନାଥ ମାଝି । ଏମିତି ସେ ୯ ବର୍ଷ ହେବ ଗାଁ, ଘରଦ୍ୱାର, ପରିବାର ଛାଡି ବୁଲି ବୁଲି ପର୍ଶୁରାମଙ୍କ ଉପାଖ୍ୟାନ ଓ ପର୍ଶୁରାମଙ୍କ ମହାତ୍ମ୍ୟ ଗାନ କରୁଛନ୍ତି । ସେ ପ୍ରତିଜ୍ଞା କରିଛନ୍ତି ୧୪ ବର୍ଷ ପର୍ଯ୍ୟନ୍ତ ଏମିତି ଗାଁ ଗାଁ ବୁଲିବେ । ୯ ବର୍ଷ ଶେଷ କରିଛନ୍ତି, ପ୍ରତିଜ୍ଞା ସରିବାକୁ ଆଉ ୫ ବର୍ଷ ବାକି ଅଛି । ଗାଁ ଗାଁରେ ଯାହା ଲୋକେ ଭିକ୍ଷା ଦିଅନ୍ତି ସେଥିରେ ପରିବାର ଚଳେ । କେବେ ଚୂଳି ଜଳେ, କେବେ ଭୋକରେ ବି ରହିବାକୁ ପଡେ । ଏତେ କଷ୍ଟ ସହି ବି ପରମ୍ପରାକୁ ରକ୍ଷା କରିଛନ୍ତି ଜଗନ୍ନାଥ ।

ଦୀର୍ଘ ୧୪ ବର୍ଷ ଏ ପରମ୍ପରାକୁ ପାଳନ କରିବାକୁ ଭୀଷ୍ମ ପ୍ରତିଜ୍ଞା କରିଛନ୍ତି । ଜଗନ୍ନାଥ କୁହନ୍ତି ଆଗରୁ ତାଙ୍କ ଜେଜେବାପା ଏମିତି ପ୍ରତିଜ୍ଞା କରି ପର୍ଶୁରାମ ବେଶଧରି ଗାଁ ଗାଁ ବୁଲୁ ଥିଲେ । ସେ ତାଙ୍କଠାରୁ ଏ ପରମ୍ପରାକୁ ରକ୍ଷା କରିବାକୁ ପ୍ରେରଣା ପାଇଛନ୍ତି । ପର୍ଶୁରାମ ପରମ୍ପରା ଅନୁସାରରେ କିଏ ଆଜୀବନ ଦୀକ୍ଷା ନିଅନ୍ତି ତ କିଏ ୧୪ ବର୍ଷ ପାଇଁ ଦୀକ୍ଷା ନିଅନ୍ତି । ଜଗନ୍ନାଥ ଏ ପରମ୍ପରାକୁ ରକ୍ଷା କରିବା ପାଇଁ ୧୪ ବର୍ଷ ପାଇଁ ଦୀକ୍ଷା ନେଇଛନ୍ତି ।

ବିଗତ ୯ ବର୍ଷ ମଧ୍ୟରେ ଘର,ତଥା ପରିବାର ପାଖକୁ ଯାଇ ନାହାନ୍ତି । ସେ ପରମ୍ପରା ଅନୁସାରେ କାହା ଘରକୁ ଯାନ୍ତି ନାହିଁ । ଗାଁ ଦାଣ୍ଡରେ ଯିଏ ଯାହା ଦେଲେ ଗ୍ରହଣ କରନ୍ତି । ସେ ଦାତାଙ୍କ ମୁହଁକୁ ମଧ୍ୟ ଦେଖନ୍ତି ନାହିଁ । ଲୋକେ ବିଶ୍ୱାସ କରନ୍ତି ପର୍ଶୁରାମଙ୍କ ଅନ୍ନ ତଥା ଅର୍ଥ ଦାନ କଲେ ପୂଣ୍ୟ ମିଳେ । ପର୍ଶୁରାମ ଗାଁ ଦାଣ୍ଡରେ ଟାଙ୍ଗିଆ ଓ ଧନୁରେ ବିଭିନ୍ନ କୌଶଳ ଦେଖାଇ ଥାନ୍ତି । ଭୋକରେ ଥାଇ, ଦାରିଦ୍ର‌୍ୟତାରେ ଥାଇ, ଘର ଦ୍ୱାର ଛାଡି ପରଂପରାକୁ ବଂଚାଇ ରଖିଛନ୍ତି ଜଗନ୍ନାଥ ।