ମେଲାଣି ନେଉଛନ୍ତି ମିହିର, ଅନ୍ତ୍ୟେଷ୍ଟି କ୍ରିୟାରେ ପ୍ରଶଂସକଙ୍କ ଭିଡ଼

ଶେଷକୃତ୍ୟ ପୂର୍ବରୁ ମିହିରଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଦୀର୍ଘ ବର୍ଷ ଧରି କିଡ୍‌ନୀ ରୋଗରେ ପୀଡ଼ିିତ ଥିବା ମିହିର ମାସେ ତଳେ ଗୁରୁତର ହୋଇପଡ଼ିଥିଲେ ।

Mihir Das

ପରଲୋକଗତ ବର୍ଷୀୟାନ ଅଭିନେତା ତଥା ଓଡ଼ିଆ ଚଳଚିତ୍ର ଦୁନିଆର ବେତାଜ୍ ବାଦଶାହା ମିହିର ଦାସଙ୍କର ଶେଷକୃତ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଉ କିଛି ସମୟ ପରେ କଟକର ସତୀଚଉରା ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହେବ । ଖାଣ୍ଟି କଟକିଆ ମିହିରି ସେଇ ମାଟିରେ ମିଶିଯିବେ । ପଞ୍ଚଭୂତରେ ବିଲିନ ହେବେ ଭର୍ସାଟାଇଲ ଆକ୍ଟର ସଭିଙ୍କ ଆପଣାର ମିହିର ଦାସ ।

ଶେଷକୃତ୍ୟ ପୂର୍ବରୁ ମିହିରଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଦୀର୍ଘ ବର୍ଷ ଧରି କିଡ୍‌ନୀ ରୋଗରେ ପୀଡ଼ିିତ ଥିବା ମିହିର ମାସେ ତଳେ ଗୁରୁତର ହୋଇପଡ଼ିଥିଲେ । ଏହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଆଇସିୟୁରେ ଥିଲେ । ତେବେ ଗତକାଲି ଅପରାହ୍ନ ୩ଟା ୨୫ରେ ତାଙ୍କର ପରଲୋକ ହୋଇଥିଲା । ମାତ୍ର ୬୩ ବର୍ଷ ବୟସରେ ଆରପାରିକୁ ଚାଲି ଯାଇଛନ୍ତି ଅଭିନେତା ମିହିର ଦାସ । ମିହିର ଶତାଧିକ ଓଡ଼ିଆ ଚଳଚିତ୍ରରେ ଅଭିନୟ କରିଥିଲେ ।

କେତେବେଳେ ସେ ଥିଲେ ନାୟକ ତ କେବେ ବନିଥିଲେ ଖଳନାୟକ । ସବୁଥିରେ ସେ ଫିଟ୍, ସବୁଥିରେ ସେ ହିଟ୍ । ହେଲେ ସେହି ୪ ଦଶନ୍ଧୀର ସୁବର୍ଣ୍ଣ ସମୟକୁ ଛାଡ଼ି ଆଜି ଅଫେରା ବାଟ ଦେଇ ଫେରିଯାଇଛନ୍ତି ଓଲିଉଡ୍‌ର କିମ୍ବଦନ୍ତୀ ଅଭିନେତା ମିହିର ଦାସ । ଶୋଇଯାଇଛନ୍ତି ଚିରନିଦ୍ରାରେ, ନୀରବି ଯାଇଛନ୍ତି ଶହ ଶହ ସାଥୀ କଳାକାର, ପ୍ରଶଂସକ, ସିନେ ପ୍ରେମୀଙ୍କ ଭିଡ଼ ଭିତରେ । ଅମାନିଆ ଲୁହରେ ବତୁରି ଯାଉଛି ସମସ୍ତଙ୍କ ଆଖି । କୋହରେ ଛାତି ଫାଟିଯାଉଛି । କାହିଁକି ବା ନ ହେବ । ସେ ପରା ଥିଲେ ଓଲିଉଡ୍‌ର ମଉଡ଼ମଣି ।

୧୯୫୯, ଫେବ୍ରୁୟାରୀ ୧୧ । କଳା ଓ ସଂସ୍କୃତିର ସହର ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମଗ୍ରହଣ କରିଥିଲେ ମିହିର । ବାପା ପ୍ରସନ୍ନ କୁମାର ଦାସ ଏବଂ ମା ସୁନ୍ଦରମଣିଙ୍କ ସାନପୁଅ ଯେ ଦିନେ ସିନେମାରେ ରାଜ୍ କରିବ, ବୋଧହୁଏ କଳ୍ପନା କରିନଥିଲେ । କିନ୍ତୁ ସ୍ୱପ୍ନକୁ ସାର୍ଥକ କରିବାର ଦକ୍ଷତା ଥିଲା ତାଙ୍କର । ୧୯୮୦ ମସିହାରେ ରେଭେନ୍ସା କଲେଜ୍‌ରେ ପାଠପଢ଼ିବା ସମୟରେ ପ୍ରଥମ ଥର ପାଇଁ ରାମାୟଣ ସିନେମାରେ ଶତ୍ରୁଘ୍ନ ଚରିତ୍ରରେ ଅଭିନୟ କରିଥିଲେ । ବାସ୍, ତାପରଠୁ ଆଉ ସେ ପଛକୁ ଚାହିଁ ନାହାଁନ୍ତି । ଅଭିନୟର ବିଜୟ ଯାତ୍ରା ଭିତରେ ୧୯୮୫ ମସିହାରେ ସହ ନାୟକ ଭାବେ ନଜରକୁ ଆସିଥିଲେ ସ୍କୁଲ ମାଷ୍ଟର ସିନେମାରେ ।