Advertisment

ଦିନେ ଜାତୀୟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଥିଲେ, ଆଜି ଅଲୋଡ଼ା ହୋଇଯାଇଛନ୍ତି ଏହି ପୂର୍ବତନ ହକି କୋଚ୍‌

ଅଲିମ୍ପିକ୍ସରେ ଭାରତର ସଫଳତା ପରେ ଏବେ ହକିକୁ  ନେଇ ଲୋକଙ୍କ ମନରେ କ୍ରେଜ୍‌ ଦେଖା ଦେଇଥିବା ବେଳେ ସରକାରଙ୍କ ବି ଶୁଭଦୁଷ୍ଟି ଏହା ଉପରେ ପଡ଼ଛି। ହେଲେ ଆଜି ବି ଅନେକ ଖେଳାଳି ଓ କୋଚ୍‌ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଅପରିଚିତ ଭାବେ ଜୀବନ କାଟୁଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଦିନେ ଜାତୀୟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଥିଲେ, ଆଜି ଅଲୋଡ଼ା ହୋଇଯାଇଛନ୍ତି ଏହି ପୂର୍ବତନ ହକି କୋଚ୍‌

former hockey coach

ଢେଙ୍କାନାଳ: ଅଲିମ୍ପିକ୍ସରେ ଭାରତର ସଫଳତା ପରେ ଏବେ ହକିକୁ  ନେଇ ଲୋକଙ୍କ ମନରେ କ୍ରେଜ୍‌ ଦେଖା ଦେଇଥିବା ବେଳେ ସରକାରଙ୍କ ବି ଶୁଭଦୁଷ୍ଟି ଏହା ଉପରେ ପଡ଼ଛି। ହେଲେ ଆଜି ବି ଅନେକ ଖେଳାଳି ଓ କୋଚ୍‌ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଅପରିଚିତ ଭାବେ ଜୀବନ କାଟୁଛନ୍ତି। ଜାତୀୟ କ୍ରୀଡାର ଏଭଳି ଜଣେ ଅବହେଳିତ ଦ୍ରୋଣାଚାର୍ଯ୍ୟ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁର ଗିରିଧାରୀ ସାମଲ।

Advertisment

ଗିରିଧାରୀଙ୍କ ଶରୀରରେ ଆଉ ସେ ଜୋର ନାହିଁ, ହେଲେ ମନରେ କିନ୍ତୁ ଜୋଶ ରହିଛି। ଆଜି ବି ପରିଣତ ବୟସରେ ହକି ଷ୍ଟିକ୍‌ ଧରି ଡ୍ରିବଲିଂ କରିବାରେ ସେ ଆନନ୍ଦ ପାଇଥାନ୍ତି। କାରଣ ହକି ହିଁ ତାଙ୍କ ଜୀବନ। ଗିରିଧାରୀ ହେଉଛନ୍ତି ହକିର ଜଣେ ଦ୍ରୋଣାଚାର୍ଯ୍ୟ। ଏକଦା ଭାରତୀୟ  ହକି କିମ୍ବଦନ୍ତୀ  ମେଜର ଧ୍ୟାନଚାନ୍ଦଙ୍କ ପଟ୍ଟଶିଷ୍ୟ ରୂପେ ତାଙ୍କର ଖ୍ୟାତି ରହିଥିଲା। ଭାରତୀୟ ହକି ଦଳର ଖେଳାଳି ଥୋଇବା ସିଂହ ହୁଅନ୍ତୁ କିମ୍ବା ଅଶୋକ କୁମାର ସମସ୍ତଙ୍କୁ ପ୍ରଶିକ୍ଷଣ ଦେଇ ଗିରିଧାରୀ ହକିର ଜଣେ ଦ୍ରୋଣାଚାର୍ଯ୍ୟ ପାଲଟି ଯାଇଥିଲେ। ହେଲେ ଆଜି ଯେମିତି ସେ ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଖେଳ ଦୁନିଆରୁ ସେ ଅନେକ ଦୂରରେ। ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଅପରିଚିତ ଭାବେ ଜୀବନ ବିତାଉଛନ୍ତି। କ୍ରୀଡାକୁ ତାଙ୍କ ଅବଦାନ ସତ୍ତ୍ୱେ ଏଯାଏ ତାଙ୍କୁ ସରକାରୀ ଆବାସ ଖଣ୍ଡେ ମିଳି ପାରିନାହିଁ, କି କୌଣସି ଭତ୍ତା ବି ତାଙ୍କୁ ମିଳୁନାହିଁ।  

Advertisment

ବାଲ୍ୟକାଳରୁ ହକିକୁ ଆପଣାଇଥିବା ଗିରିଧାରୀ ୧୯୬୪-୬୫ ମସିହାରେ ଜାତୀୟ ହକି ଦଳର ସଦସ୍ୟ ରୂପେ ଯୋଗ ଦେଇଥିଲେ। ତାଙ୍କ କ୍ରୀଡା ଦକ୍ଷତା ଦେଖିବା ପରେ ମେଜର ଧ୍ୟାନଚାନ୍ଦଙ୍କ କୃପାଦୃଷ୍ଟି ତାଙ୍କ ଉପରେ ପଡ଼ିଥିଲା। ପଟିଆଲା ସ୍ଥିତ ନେତାଜୀ ସୁବାଷ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ସ୍ପୋର୍ଟସରେ ଧ୍ୟାନଚାନ୍ଦ ହକି ଖେଳାଳୀଙ୍କୁ ପ୍ରଶିକ୍ଷଣ ଦେଉଥିବା ସମୟରେ ଗିରିଧାରୀ ଖେଳ ଛାଡି ଅଲ ଇଣ୍ଡିଆ ୟୁନିଭରସିଟି ହକିର ମୁଖ୍ୟ ଚୟନକର୍ତ୍ତା ରୂପେ ଦାୟିତ୍ୱ ନେଇଥିଲେ। ୧୯୮୦ରେ ସେ ପ୍ରଥମ ଓଡ଼ିଆ ଭାବେ ଜାତୀୟ ହକି ଦଳର ଅନ୍ୟତମ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ।  ଓଡ଼ିଶା ହକିର ଅନ୍ୟତମ ଖେଳାଳି ମାଇକେଲ କିଣ୍ଡୋଙ୍କୁ ଗିରିଧାରୀ ଜାତୀୟ ଦଳରେ ଚୟନ କରିଥିଲେ। ସିନିଅର୍‌ ଓ ଜୁନିଅର୍‌ ଟିମ୍‌ର ବହୁ  ଖେଳାଳିଙ୍କୁ ତୃଣମୂଳସ୍ତରୁ ତାଲିମ ଦେଇ ଏନଆଇଏସରୁ ଶ୍ରେଷ୍ଠ କ୍ରୀଡା ପ୍ରଶିକ୍ଷକ ପୁରସ୍କାରରେ ଗିରିଧାରୀ ସମ୍ମାନିତ ମଦ୍ୟ ହୋଇଛନ୍ତି। ଦୀର୍ଘ ୩୬ ବର୍ଷ ଧରି ସେ ଅନେକ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ହେଲେ ଆଜି ସେ ଅବହେଳିତ ଓ ଅଲୋଡ଼ା ହୋଇଯାଇଛନ୍ତି। ଏଭଳି ପ୍ରତିକୂଳ ଅବସ୍ଥାରେ ମଧ୍ୟ ହକିକୁ ଛାଡି ବଞ୍ଚିପାରିବେ ନାହିଁ ବୋଲି ଗିରିଧାରୀ କହିଛନ୍ତି।

Odisha Hockey Coach Giridhari Samal
Advertisment
Advertisment