• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ମୋ ଜୀବନର ଲକ୍ଷ୍ୟ ଥିଲା, ମୁଁ ଜଣେ ମହାକାଶ ବିଜ୍ଞାନୀ ହେବି। ଏ ଦିଗରେ ମୁଁ କିଛିଟା ସଫଳତା ହାସଲ କରିଛି। ଏହି ସଫଳତା ମତେ ଆଗକୁ ଯିବାରେ ସହାୟତା ଦେବ। ପୁଣି ସୁବାସିତ ହୋଇଛି ମାଳଭୂମିର ମଲ୍ଲି । ‘ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ନବରଙ୍ଗପୁର ଝିଅ ।

ଆଜି ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କ ସହ ଭିଡିଓ କନ୍ଫରେନ୍ସିଂରେ କଥାବାର୍ତ୍ତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୬ଟି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଦିଆଯାଇଛି ରାଷ୍ଟ୍ରୀୟ ବାଲ୍ ପୁରସ୍କାର । ୨୦୨୨ ବର୍ଷ ପାଇଁ ୨୯ ଜଣ ପିଲା ଏହି ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇବେ । ପ୍ରତ୍ୟେକ ବିଜେତାଙ୍କୁ ପଦକ ଓ ନଗଦ ୧ ଲକ୍ଷ ଟଙ୍କା ମିଳିବ । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ସମାରୋହରେ ବିଜେତାଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି । ତେବେ ୨୦୨୧-୨୨ ବର୍ଷର ବିଜେତାଙ୍କୁ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି ।

ଚଳିତବର୍ଷ ବାଲ ପୁରସ୍କାର ବିଜେତା ୨୯ ଜଣଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଜଣେ ଛାତ୍ରୀ । ନବରଙ୍ଗପୁରର ୧୫ ବର୍ଷର ଛାତ୍ରୀ କୁମାରୀ ବନିତା ଦାସଙ୍କୁ ଏହି ପୁରସ୍କାର ମିଳିବ । ଗୋଟିଏ କ୍ଷୁଦ୍ର ଗ୍ରହର ସନ୍ଧାନ କରିଥିବାରୁ ବନିତାଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ମହାକାଶ ଗବେଷଣାରେ ସେ ଏହି ସଫଳତା ହାସଲ କରିଛନ୍ତି ।

ବନିତା ଦାସ ହେଉଛନ୍ତି ନବରଙ୍ଗପୁର ସହର ଗାଦବାଗୁଡା ସାହିର ବନବିହାରୀ ଦାସ ମହାପାତ୍ର ଓ ତୃପ୍ତିରାଣୀ ଦାସ ମହାପାତ୍ରଙ୍କ ବଡ଼ ଝିଅ l ବାପା ବନବିହାରୀ ଦାସ ନବୋଦୟ ବିଦ୍ୟାଳୟରେ ଚାକିରୀ କରୁଥିବାରୁ ତାଙ୍କ ସାଙ୍ଗେ ସେ ମଧ୍ୟ ବିଭିନ୍ନ ନବୋଦୟ ବିଦ୍ୟାଳୟରେ ଅଧୟନ କରିଛନ୍ତି l ବନିତା ଏବେ ମଧ୍ୟପ୍ରଦେଶ ସ୍ଥିତ ଅନୁପୁରର ଜବାହାର ନବୋଦୟ ବିଦ୍ୟାଳୟରେରେ ଅଧ୍ୟୟନରତ l ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ ଆନୁକୂଲ୍ୟରେ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇ ବନିତା କ୍ଷୁଦ୍ର ଗ୍ରହ ସନ୍ଧାନରେ ସଫଳ ହୋଇଥିଲେ ।