• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମଧ୍ୟାହ୍ନ ଭୋଜନ ମହାଘୋଟାଲା ପାର୍ଟ-୪ । ସ୍କୁଲରେ ପିଲାଙ୍କ ପାଇଁ ଆସୁଥିବା MDM ଚାଉଳରେ ହେଉଛି ହରିଲୁଟ୍ । ବିନା ଓଜନରେ ସ୍କୁଲରେ ଚାଉଳ ପକାଇ ଦେଉଛି ଯୋଗାଣ ବିଭାଗ । ଆଉ ସ୍କୁଲରେ ଓଜନ ପାଇଁ ବ୍ୟବସ୍ଥା ଥିବାରୁ ଶିକ୍ଷକ ନାଚାର । ଫଳରେ ୫୦ କେଜି ଚାଉଳ ବସ୍ତାରେ କେଉଁଠି ୨ କିଲୋ ତ ଆଉ କେଉଁଠି ୩ରୁ ୪କେଜି ଯାଏଁ କମ୍ ରହୁଛି ଚାଉଳ । ସୁନ୍ଦରଗଡ ଓ ସମ୍ବଲପୁରରୁ ଆସିଛି ଘୋଟାଲାର ଏଭଳି କିଛି ଚିତ୍ର । ସେପଟେ ଦୁର୍ନୀତି ନେଇ କ୍ୟାମେରା ସାମ୍ନାରେ କିନ୍ତୁ ମୁହଁ ଖୋଲୁନାହାଁନ୍ତି ଯୋଗାଣ ମନ୍ତ୍ରୀ ।

୫୦ କେଜିର ଚାଉଳ ବସ୍ତା ଓଜନ କରିବା ବେଳକୁ ୪୬ କେଜି ୫ଶହ ଗ୍ରାମ୍, ତାହାପୁଣି ଅଖା ସହିତ । ଅର୍ଥାତ୍ ସାଢେ ୩ରୁ ୪ କିଲୋ ପାଖାପାଖି ଚାଉଳ ଗାଏବ । ସୁନ୍ଦରଗଡ ଗୁରୁଣ୍ଡିଆ ବ୍ଳକ୍ ସରକାରୀ ୟୁପି ସ୍କୁଲରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି । ତେବେ ବ୍ଳକ୍‌ର ପ୍ରାୟ ସବୁ ସ୍କୁଲରେ ସମାନ ସ୍ଥିତି । କେଉଁଠି ୪୭ କେଜି ତ ଆଉ କେଉଁଠି ୪୮ କେଜି । ବସ୍ତା ପିଛା ୨ରୁ ୩ କେଜି ଗାଏବ ହୋଇଯାଉଛି ଚାଉଳ ।

ମନ ଇଛା ବିନା ଓଜନରେ ଯୋଗାଣ ବିଭାଗ ଚାଉଳ ପକାଇ ଚାଲି ଯାଉଛି । ସ୍କୁଲରେ ଓଜନ କରିବା ପାଇଁ ବ୍ୟବସ୍ଥା ନଥିବାରୁ ସମସ୍ତେ ନାଚାର । ଜିଲ୍ଲାର କୋଇଡା ବ୍ଳକ୍‌ରେ ବି ଛାତ୍ରଛାତ୍ରୀଙ୍କ ମିଡ୍ ଡେ ମିଲ୍‌ରେ ଦୁର୍ନୀତିର ଗନ୍ଧ ଦେଖିବାକୁ ମିଳିଛି । ଏଠିବି ବର୍ଷ ବର୍ଷ ଧରି ବିନା ଓଜନରେ ସଂସ୍ଥା ଦେଇଚାଲିଛି ଚାଉଳ । ହେଲେ ବସ୍ତାରେ ରହୁନି ପୁରା ୫୦ କେଜି । ପାଖରେ ଓଜନ ମାପ ଯନ୍ତ୍ର ନଥିବାରୁ ଦାୟିତ୍ୱରେ ଥିବା ଶିକ୍ଷକ କେବଳ ବସ୍ତା ସିଲ୍ ଦେଖି ଗଣତି କରି ରଖୁଛନ୍ତି  ଶିକ୍ଷକ ଓ ସ୍କୁଲ କମିଟି ଆଖିରେ ଆଙ୍ଗୁଠି ଗେଞ୍ଜି ଦିନ ଦ୍ୱିପହରରେ ଚାଲିଛି ପିଲାଙ୍କ ଖାଦ୍ୟ ବାଟମାରଣା ।

 

ସୁନ୍ଦରଗଡରୁ ସମ୍ବଲପୁରରେ ସବୁଠି ସମାନ ଚିତ୍ର । ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ବସ୍ତାରୁ ଚାଉଳ ଗାଏବ । ସମ୍ବଲପୁର ଦୁର୍ଗାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲକୁ ଯୋଗାଣ ହେଉଥିବା ୫୦ କେଜି ବସ୍ତାରେ ପ୍ରକୃତରେ କେତେ ଚାଉଳ ରହୁଛି, ତାକୁ ଯାଂଚ୍ କରିବାକୁ କିଛି ବି ବ୍ୟବସ୍ଥା ନାହିଁ । ଚାଉଳ ଯୋଗାଉଥିବା ସଂସ୍ଥା ସ୍କୁଲରେ ବସ୍ତା ରଖି ଚାଲିଯାଉଛି । ତେବେ ପ୍ରତି ବସ୍ତାରେ ପାଖାପାଖି ୨ କେଜି ଚାଉଳ କମ୍ ରହୁଛି । ଏକଥା ଅାମେ କହୁନୁ, ଖୋଦ୍ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୋହନ କୁମାର ମିଶ୍ର କହୁଛନ୍ତି । 

କୋରାପୁଟ ଓ ବଲାଙ୍ଗୀର ମଧ୍ୟାହ୍ନ ଭୋଜନ ଦୁର୍ନୀତି ନେଇ ଓଟିଭିରେ ଖବର ପ୍ରସାରଣ ପରେ ଗୁରୁବାର କଡା କାର୍ଯ୍ୟାନୁଷ୍ଠାନ ନେଇଥିଲା ଗଣଶିକ୍ଷା ବିଭାଗ । ଦୁଇ ଜିଲ୍ଲାର CRCC ଏବଂ DTP ଅପରେଟରଙ୍କୁ କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦିଆଯାଇଥିଲା । ଯେହେତୁ ସ୍କୁଲକୁ ମଧ୍ୟାହ୍ନ ଭୋଜନ ଚାଉଳ, ଯୋଗାଣ ବିଭାଗ ମାଧ୍ୟମରେ ଆସୁଛି, ତେଣୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗକୁ ଚିଠି ଲେଖାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ । ତେବେ ଆଜି ଏନେଇ ଯୋଗାଣ ମନ୍ତ୍ରୀଙ୍କୁ ପଚରାଯିବାରୁ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।

ରିପୋର୍ଟର- ରଂଜିତ ଚୌଧୁରୀ, ସୁନୀଲ ପଣ୍ଡା, ସଂଜୟ ଜେନା, ଜଗଦୀଶ ଦାସ