Advertisment

ଗରିବ ଚାଷୀଙ୍କ ଦୁଃଖ ବୁଝିକ କିଏ ? ସରକାର ମଞ୍ଜୁର କରିଥିବା ଟଙ୍କା ମାରିନେଲେ ସରକାରୀ ବାବୁ

ହିତାଧିକାରୀଙ୍କ ଅଗୋଚରରେ ଭୂତ ଶ୍ରମିକଙ୍କ ନାଁରେ ପୋଖରୀ ଟଙ୍କା ହଡପ୍ ହୋଇଛି

ଅଦ୍ୟତନ ହୋଇଛି
Jojanara Na Hariloot

Jojanara Na Hariloot

Advertisment

କ୍ଷେତ ପୋଖରୀ ଖନନରେ ଆଉ ଏକ ଚଞ୍ଚକତା ସାମ୍ନାକୁ ଆସିଛି । ହିତାଧିକାରୀଙ୍କ ଅଗୋଚରରେ ଭୂତ ଶ୍ରମିକଙ୍କ ନାଁରେ ପୋଖରୀ ଟଙ୍କା ହଡପ୍ ହୋଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସିରିଗିଡ଼ା ଗାଁର ଜଣେ ଗରିବ ଚାଷୀ, ସରକାରୀ କର୍ମଚାରୀ ଓ ଜନପ୍ରତିନିଧିଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି । ବିଡିଓଙ୍କୁ ଅଭିଯୋଗ ପରେ ସେହି ରାତିରେ କେହି ବ୍ୟକ୍ତି ମେସିନ୍ ଲଗାଇ କିଛି ମାଟି ଖୋଳିଦେଇଥିବା ଦେଖିବାକୁ ମିଳିଛି।

Advertisment

ତେଲକୋଇ ବ୍ଲକ ସିରିଗିଡ଼ା ପଞ୍ଚାୟତର ଯୁବ ଚାଷୀ କ୍ଷୀତିଶ ବିଶ୍ୱାଳ । ନିଜ ଚାଷ ଜମିରେ ମନରେଗା ଯୋଜନାରେ ଏକ ପୋଖରୀ ଖୋଳିବାକୁ କ୍ଷୀତିଶ ୨୦୨୧ ଜୁନ୍ ୩ ତାରିଖରେ କାର୍ଯ୍ୟାଦେଶ ପାଇଥିଲେ । ତା ପରମାସରେ କିଛି ଶ୍ରମିକଙ୍କୁ ନେଇ ପୋଖରୀ ଖୋଳିଥିଲେ । ସେ ବାବଦକୁ ଶ୍ରମିକମାନେ ୨୮ ହଜାର ଟଙ୍କା ସରକାରଙ୍କ ପାଖରୁ ପାଇଥିଲେ । ପରେ ଅର୍ଥ ଅଭାବରୁ କ୍ଷୀତିଶ ଚାଲିଯାଇଥିଲେ ବେଙ୍ଗାଲୁରୁ ।

୮ ମାସ ପରେ ଘରକୁ ଫେରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆରଏସଙ୍କୁ ଭେଟିଥିଲେ। କିଛି ଫଳ ନମିଳିବାରୁ ତେଲକୋଇ ବିଡିଓଙ୍କୁ ସାକ୍ଷାତ କରିଥିଲେ । ଫାର୍ମ ପଣ୍ଡ କାମ ଅସମ୍ପୂର୍ଣ୍ଣ ଥିବା ବେଳେ କିଭଳି ଦ୍ୱିତୀୟ କିସ୍ତି ଟଙ୍କା ଜାଲ୍ କରି ଉଠାଯାଇଛି, ସେନେଇ ଦରଖାସ୍ତ ଲେଖି ଅବଗତ କରିଥିଲେ । ତେବେ ଯେଉଁଦିନ ବିଡିଓଙ୍କୁ ଭେଟି ଅଭିଯୋଗ କରିଥିଲେ, ସେହି ରାତିରେ କେହି ବ୍ୟକ୍ତି ମେସିନ୍ ଲଗାଇ କିଛି ଖୋଳିଦେଇଥିବା ଦେଖିବାକୁ ମିଳିଥିଲା ।

Advertisment

ସିରିଗିଡ଼ା ସରପଞ୍ଚଙ୍କ ଲୋକମାନେ ଏହି ଅର୍ଥକୁ ହଡପ୍ କରିଥିବା କ୍ଷୀତିଶ ଅଭିଯୋଗ କରିଥିବା ବେଳେ ଏକଥାକୁ କିନ୍ତୁ ଖଣ୍ଡନ କରିଛନ୍ତି ସରପଞ୍ଚ । ସେ କହିଛନ୍ତି, ପୂର୍ବତନ ସରପଞ୍ଚଙ୍କ ସମୟରେ କାର୍ଯ୍ୟାଦେଶ ମିଳିଥିଲା, ମୋ ସମୟରେ କୌଣସି ଦସ୍ତଖତ ନିଆଯାଇନି । ବରଂ ଏହି ଘୋଟାଲାର ତଦନ୍ତ ହେବା ଦରକାର ବୋଲି କହିଛନ୍ତି ସରପଞ୍ଚ ।

ଫାର୍ମ ପଣ୍ଡ ଖୋଳାଯାଇନି, ହେଲେ ବ୍ୟୟ ବରାଦ ହୋଇଥିବା ୧ ଲକ୍ଷ ୯୯ ହଜାର ଟଙ୍କାରୁ ୧ ଲକ୍ଷ ୩୯ ହଜାର ଟଙ୍କା ବିଲ୍ ସରିଛି ଏବଂ କାମ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଛି । ତେଣୁ ଏହି ଦୁର୍ନୀତିରେ ପ୍ରଶାସନିକ କଳ ଓ ସରକାରୀ ଦଳର ହାତ ଥିବା ଅଭିଯୋଗ କରିଛି ବିଜେପି।

Advertisment

କ୍ଷେତ ପୋଖରୀ ଖନନରେ ଘୋଟାଲା ନେଇ ହିତାଧିକାରୀ ବିଡିଓଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ବିଡିଓ ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି।

ଫାର୍ମ ପଣ୍ଡ କାମ ସରିନଥିବା ବେଳେ କିଭଳି ଭୂତ ଶ୍ରମିକଙ୍କ ନାଁ ମଷ୍ଟର ରୋଲରେ ପଡିଲା ? କଣ କରୁଥିଲେ ଜିଆରଏସ୍ ? କଣ କରୁଥିଲେ ପିଇଓ ? କେମିତି ହେଲା ୧ ଲକ୍ଷ ୩୯ ହଜାର ଟଙ୍କାର ବିଲ୍ ? ତେଲକୋଇ ବ୍ଲକ ଅଧିକାରୀଙ୍କ ସଂପୃକ୍ତି ରହିଛି କି ?

Jojana Ra Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ