Advertisment

ଚଳୁ କରିଦେଲେ ଟଙ୍କା, ପାଣି ନିଷ୍କାସନ ବଦଳରେ ତିଆରି ହୋଇଥିବା ଅଷ୍ଟବକ୍ର ଡ୍ରେନରେ ହେବ କି ମଶା ଚାଷ?

ଧନ୍ୟ ସେ ଠିକାଦାର। ଯିଏ ତିଆରି କରିଛି ଅଷ୍ଟବକ୍ରି ଡ୍ରେନ୍। ଆଖି ଖୋଲିବା ଦିନଠାରୁ ଆପଣ କେବେ ହେଲେ ଏମିତିକା ଡ୍ରେନ୍ ଦେଖିନଥିବେ, ଯାହା ଆନନ୍ଦପୁର ପୌର ପରିଷଦ ଅଂଚଳରେ ତିଆରି ହୋଇଛି। ଯେମିତି ସେମିତି ଡ୍ରେନ୍ କାମ କରି ଟଙ୍କା ଚଳୁ କରି ଦେଇଛନ୍ତି ଠିକାଦାର...

author-image
Prangyan Parimita
ଅଦ୍ୟତନ ହୋଇଛି
drain

drain

 ଆଖି ଆଗରେ ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି ଠିକାଦାର। ସବୁ ଜାଣି ଚୁପ ହୋଇ ବସୁଛନ୍ତି ଯନ୍ତ୍ରୀ । ଏ ଅଭିଯୋଗ କୌଣସି ଉପାନ୍ତ ଅଞ୍ଚଳର ନୁହଁ ଆନନ୍ଦପୁର ପୌର ପରିଷଦ ଅଂଚଳରେ ଥିବା ୧୬ ନମ୍ବର ୱାର୍ଡ ମିଲ୍ ସାହିର । ପାଖାପାଖି ୧୫୦ ପରିବାର ରହୁଥିବା ଏହି ସାହି ସବୁ ସମୟରେ ପୌର ପରିଷଦ ଅଣଦେଖା କରୁଥିବା ଅଭିଯୋଗ ହେଉଛି ।

Advertisment

ଗାଁରୁ ପାଣି ନିଷ୍କାସନ ପାଇଁ ତିଆରି କରାଯାଇଛି ଡ୍ରେନ । ଏଥି ପାଇଁ ୮ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟବରାଦ ହୋଇଛି । ହେଲେ ଦେଖିଲେ ଲାଗୁନି, ଡ୍ରେନରୁ ପାଣି ନିଷ୍କାସନ ବଦଳରେ ନର୍ଦ୍ଦମା ପାଣି ରଖି ମଶା ଚାଷର ବ୍ୟବସ୍ଥା ହୋଇଛି । ନିରୀହ ଲୋକଙ୍କ ସରଳତାର ସୁଯୋଗ ନେଇ ଠିକାଦାର କାମ ନାଁରେ ଟଙ୍କା ଲୁଟିଥିବା କୁହାଯାଉଛି।

ଗାଁ ଆରମ୍ଭରୁ ତିଆରି ହୋଇଥିବା ଏହି ଡ୍ରେନ ମାତ୍ର ଦୁଇ ଇଞ୍ଚ ଉଚ୍ଚର କରାଯାଇଛି । କିଛି ସ୍ଥାନରେ ଡ୍ରେନ ସହିତ ରାସ୍ତା ମିଶି ଯାଇଛି । କିଛି ସ୍ଥାନରେ ଡ୍ରେନ ଫାଟି ମାଟିରେ ମିଶି ଆରମ୍ଭ ହୋଇଗଲାଣି। ଯେତେବେଳେ ନିର୍ମାଣାଧୀନ ଡ୍ରେନରେ ପାଣି ଯିବା ଆରମ୍ଭ ହେବ ସମସ୍ୟା ଅସମ୍ଭାଳ ହୋଇଯିବ ।

Advertisment

ମିଲ୍ ସାହିର ଡ୍ରେନ ସମସ୍ୟା ସମ୍ପର୍କରେ ଆମେ ଆନନ୍ଦପୁର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଚିରାଚରିତ ଢଙ୍ଗରେ ସେ କହିଥିଲେ ଘଟଣାର ତଦନ୍ତ କରିଯିବ। ତଦନ୍ତ ପରେ ଜଣାପଡିବ କିଏ ଦୋଷୀ। ଯଦି ସହରାଞ୍ଚଳରେ ଏଭଳି ଦୁର୍ନୀତି ହେଉଛି, ତେବେ ଗ୍ରାମାଞ୍ଚଳରେ କଣ ହେଉଥିବ ଆପଣ ସହଜରେ ଜାଣିପାରୁଥିବେ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଲୋକନାଥ ସିଂହଙ୍କ ରିପୋର୍ଟ

Corruption In Drainage Work
Advertisment
Advertisment