Advertisment

କନ୍‌କ୍ଲେଭ୍‌ ପରେ କନ୍‌କ୍ଲେଭ୍‌, ହେଲେ ଫଳ ଶୂନ... ଫ୍ଲପ୍ ଶୋ’ ପରେ କାହିଁକି ତୃତୀୟ ଥର କନକ୍ଲେଭ୍ ?

ଓଡ଼ିଶା କନ୍‌କ୍ଲେଭ୍‌ ନାଁରେ ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ହେଲେ ଫଳ ଶୂନ।ପ୍ରତିଶ୍ରୁତି ମୁତାବକ ନା ଆଖିଦୃଶିଆ ପୁଞ୍ଜି ନିବେଶ ଆସୁଛି ନା ସୃଷ୍ଟି ହେଉଛି କର୍ମ ନିଯୁକ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Make In Odisha Conclave

Make In Odisha Conclave

କନ୍‌କ୍ଲେଭ୍‌ ପରେ କନ୍‌କ୍ଲେଭ୍‌। ପୁଞ୍ଜି ନିବେଶ ଓ କର୍ମନିଯୁକ୍ତି ସୃଷ୍ଟିର ସୁନେଲି ସ୍ୱପ୍ନ। ଓଡ଼ିଶା କନ୍‌କ୍ଲେଭ୍‌ ନାଁରେ ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ହେଲେ ଫଳ ଶୂନ।ପ୍ରତିଶ୍ରୁତି ମୁତାବକ ନା ଆଖି ଦୃଶିଆ ପୁଞ୍ଜି ନିବେଶ ଆସୁଛି ନା ସୃଷ୍ଟି ହେଉଛି କର୍ମ ନିଯୁକ୍ତି। ବିଧାନସଭାରେ ଖୋଦ୍ ରାଜ୍ୟ ସରକାର ରଖିଥିବା ତଥ୍ୟରୁ ଏହା ଜଣାପଡ଼ିଛି।    

Advertisment

ରାଜ୍ୟକୁ ଅଧିକରୁ ଅଧିକ ଶିଳ୍ପ ସଂସ୍ଥା ଆସିବେ, ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ଓ  ରାଜ୍ୟ ଶିଳ୍ପ ସମୃଦ୍ଧ ହେବ। ଆଉ ବେକାର ଯୁବକ, ଯୁବତୀ କର୍ମ ନିଯୁକ୍ତି ପାଇବେ। ଏଥିପାଇଁ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ଆୟୋଜନ କରିଥିଲେ। ହେଲେ ଦୁଇ ଦୁଇଟି କନ୍‌କ୍ଲେଭ୍‌ ଫ୍ଲପ୍ ଶୋ’ରେ ପରିଣତ ହୋଇ ସାରିଛି। ନା ଆଶାଜନକ ପୁଞ୍ଜି ଆସିଲା ନା ଯୁବବର୍ଗଙ୍କ ଲାଗି ସୃଷ୍ଟି ହୋଇ ପାରିଲା ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ। ଏସବୁ ସତ୍ତ୍ୱେ ଆଜିଠୁ ପୁଣିଥରେ ଆରମ୍ଭ ହେଉଛି ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ।

ଜୁଲାଇ ମାସରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ବିଧାନସଭାରେ ରଖିଥିବା ଉତ୍ତର କହୁଛି, ୨୦୧୬ ଓ ୨୦୧୮ରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ ଲାଗି ସରକାର ପ୍ରାୟ ୫୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଦୁଇ ନିବେଶକ ସମ୍ମିଳନୀ ଜରିଆରେ ରାଜ୍ୟକୁ ୨୮୬ଟି ନିବେଶ ପ୍ରସ୍ତାବ ଜରିଆରେ ୬ ଲକ୍ଷ କୋଟିରୁ ଅଧିକ ଟଙ୍କା ମୂଲ୍ୟର ପୁଞ୍ଜି ଟାଣିବାର ସ୍ୱପ୍ନ ଦେଖାଇଥିଲେ ସରକାର। ଏପରିକି ରାଜ୍ୟରେ ପାଖାପାଖି ୭ ଲକ୍ଷ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବାହାସ୍ଫୋଟ ମାରିଥିଲେ ରାଜ୍ୟ ସରକାର। 

Advertisment

ତେବେ ବିଧାନସଭାରେ ଶିଳ୍ପମନ୍ତ୍ରୀ ରଖିଥିବା ଉତ୍ତର କହୁଛି, ମେକ୍ ଇନ୍ ଓଡ଼ିଶା ଜରିଆରେ ଆସିଥିବା ୨୮୬ ପୁଞ୍ଜି ନିବେଶ ପ୍ରସ୍ତାବ ମଧ୍ୟରୁ ୧୬୪ଟି ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରୀ ପାଇଛି। କିନ୍ତୁ ସେଥି ମଧ୍ୟରୁ ମାତ୍ର ୧୬ଟି ପ୍ରକଳ୍ପ ଆଂଶିକକ କିମ୍ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟକୁ ମାତ୍ର ୫ ହଜାର ୬୭୪ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିବା ବେଳେ ୫ ହଜାର ୮୭୮ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମି ଯୋଗାଇ ପାରୁ ନଥିବାରୁ ଅନେକ ଶିଳ୍ପ ସଂସ୍ଥା ମୁହଁ ଫେରାଇ ନେଉଥିବା ଦେଖା ଦେଇଛି। ମେକ୍ ଇନ୍ ଓଡ଼ିଶାରେ ଏଭଳି ବିଫଳତା ଲାଗି ପ୍ରାଶାସନିକ ଅଧିକାରୀଙ୍କ ବାବୁଗିରି ଓ ଦୁର୍ବଳ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥାକୁ ଶିଳ୍ପ ସଂଘ ଦାୟୀ କରିଛି।  

ଦୁଇ ଦୁଇଟି ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ଫ୍ଲପ୍ ମାରିବା ପରେ ଆଜିଠୁ ପୁଣି ଆରମ୍ଭ ହେବାକୁ ଯାଉଛି ତୃତୀୟ ସଂସ୍କରଣ। ଡିସେମ୍ବର ୪ ତାରିଖ ଯାଏ ୫ ଦିନ ଧରି ଚାଲିବାକୁ ଥିବା ଏହି ନିବେଶକ ସମ୍ମିଳନୀରେ ଶହେରୁ ଅଧିକ ଶିଳ୍ପପତି ଯୋଗ ଦେବେ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଚଳିତ ଥର ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ଲାଗି ଜାପାନ, ନରୱେ  ଓ ଜର୍ମାନୀ ଦେଶ ପାର୍ଟନର ବି ରହିଛନ୍ତି।  ପୂର୍ବ ଦୁଇ କନ୍‌କ୍ଲେଭ୍‌ରେ ମିଶିକି ଆସିଥିବା ନିବେଶ ଆଗ୍ରହ ତୁଳନାରେ ଏଥର ଅଧିକ ପୁଞ୍ଜି ନିବେଶ ଆଗ୍ରହ ଆସିବ ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି। 

ପ୍ରଥମ ଓ ଦ୍ୱିତୀୟ ମେକ୍ ଇନ୍ ଓଡ଼ିଶା ସଂସ୍କରଣର ବିଫଳତାରୁ ନିଶ୍ଚିତ ଶିକ୍ଷାଲାଭ କରିଥିବେ ରାଜ୍ୟ ସରକାର। ଆଉ ତୃତୀୟ ସଂସ୍କରଣ କନ୍‌କ୍ଲେଭ୍‌ରେ ମିଳିବାକୁ ଥିବା ପୁଞ୍ଜି ନିବେଶ ଆଗ୍ରହକୁ ବାସ୍ତବ ରୂପାୟନ ପାଇଁ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।

Make In Odisha Conclave
Advertisment
Advertisment