• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁହାଁମୁହିଁ ମନ୍ତ୍ରୀ ଓ ମୁନସିପାଲଟି ଅଧ୍ୟକ୍ଷା । ଟିଟିଲାଗଡ଼ ପୌରପରିଷଦ ବୈଠକରେ ତୁମୁଳକାଣ୍ଡ । ଆଜିର ବୈଠକରେ ମନ୍ତ୍ରୀ ଟୁକୁନି ସାହୁ ଓ ଅଧ୍ୟକ୍ଷା ମମତା ଦେବୀ ଜୈନଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଛି । ପରିସ୍ଥିତି ଅଣାୟତ ହେବା ପରେ କାନ୍ଦି କାନ୍ଦି କାର୍ଯ୍ୟାଳୟ ବାହାରକୁ ଆସିଲେ ଅଧ୍ୟକ୍ଷା ମମତା ଜୈନ । ଆଜିର ଏହି ବୈଠକରେ ମନ୍ତ୍ରୀ ଟୁକୁନି ସାହୁ ଅଧ୍ୟକ୍ଷାଙ୍କୁ ଦୁର୍ବବ୍ୟହାର କରିବା ସହ କାମ କରାଇ ଦେବିନି ବୋଲି କହିଛନ୍ତି ।

ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ବେଳେ ମନ୍ତ୍ରୀ ଫିଡକି ଯିବା ସହ ତାଙ୍କ କଥାରେ ମ୍ୟୁନ୍ସିପାଲଟି ଚାଲିବ ବୋଲି କହିଥିବା ଅଭିଯୋଗ ସେ କରିଛନ୍ତି । ମନ୍ତ୍ରୀ ହିସାବରେ ହିଁ ମ୍ୟୁନସିପାଲଟି ଚାଲିବ ବୋଲି ଧମକ ଦେଇଛନ୍ତି ଟୁକୁନି ସାହୁ । ମ୍ୟୁନସିପାଲଟି ଅଧ୍ୟକ୍ଷାଙ୍କର ମ୍ୟୁନସିପାଲଟି ଉପରେ କୌଣସି ଅଧିକାର ନାହିଁ । ମୋ ହିସାବରେ କାମ ହେବ । ଯଦି ମୋ ହିସାବରେ କାମ ନହେବ, ତେବେ ମୁଁ ବୈଠକରୁ ଉଠିଯାଉଛି । ଏହିପରି ଭାବରେ ବୈଠକରେ ତିନି ଚାରିଥର ଉଠିଯିବା ପାଇଁ ଧମକାଉଥିବା ମ୍ୟୁନସିପାଲଟି ଅଧ୍ୟକ୍ଷା କହିଛନ୍ତି ।

ବୈଠକରେ ଉପସ୍ଥିତ ଜିଲ୍ଲାପାଳ ବାରମ୍ବାର ଅନୁରୋଧ କରୁଥିଲେ ସୁଦ୍ଧା ସେ ଚାମ୍ବରରୁ ଉଠିଯାଉଥିଲେ । ତେବେ ଶେଷରେ ମୁନସିପାଲଟି ଅଧ୍ୟକ୍ଷାଙ୍କୁ ମନ୍ତ୍ରୀ ଟୁକୁନି ସାହୁ କହିଲେ, ଦେଖିବି ତୋ ମ୍ୟୁନିସିପାଲଟିଛି କିପରି ଚାଲିବ ? ଆଉ ତା’ପରେ ବୈଠକ ଅଧାରୁ ପଳାଇ ଯାଇଛନ୍ତି । କେବଳ ଏତିକି ନୁହେଁ ତାଙ୍କ ତଳେ ଥିବା ଜଣେ କାଉନସିଲର ସୁଧୀର ଜୈନ୍‌ ମଧ୍ୟ ଭରା ବୈଠକରେ ମମତାଙ୍କୁ ଅପମାନିତ କରିବା ସହ ଗାଳିଗୁଲଜ କରିଛନ୍ତି । ଜନତା ମୋ ଉପରେ ଆଶା ଭରସା କରି ଭୋଟ୍ ଦେଇଛନ୍ତି । ହେଲେ ତାଙ୍କ ପାଇଁ ଚାହିଁଲେ ବି କିଛି କରିପାରୁନି କହି ବିକଳ ହୋଇ କାନ୍ଦିଛନ୍ତି ମୁନସିପାଲଟି ଅଧ୍ୟକ୍ଷା ମମତା ।

ଖାଲି ଏତିକି ନୁହେଁ ବୈଠକରେ ଥିବା ବିଜେପି ଓ ବିଜେଡିର ୱାର୍ଡ ମେମ୍ବର ବି କଥା କଟାକଟି ହୋଇଥିବା ଅଭିଯୋଗ ହୋଇଛି । ଅଧ୍ୟକ୍ଷା ବିଜେପିରୁ ହୋଇଥିବା ଯୋଗୁଁ ମନ୍ତ୍ରୀ ଏଭଳି ବ୍ୟବହାର କରିଥିବା ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି । ସେପଟେ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଉପାଧ୍ୟକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।