• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମହାନଦୀକୁ ନେଇ ଛତିଶଗଡ-ଓଡ଼ିଶା ମଧ୍ୟରେ ତୁଟିନି ବିବାଦ । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ରାୟଗଡ ଜିଲ୍ଲା ପୁସୌର ବ୍ଲକ ନେତନଗର ଗାଁ ଛତିଶଗଡ ସରକାରଙ୍କ ପକ୍ଷରୁ ନେତନଗର ଏବଂ ଏକତାଲ ମଧ୍ୟରେ କେଲୋ ନଦୀ ଉପରେ ନିର୍ମାଣ ହେଉଛି ଆନିକଟ । ଏହି ଆନିକଟ ସରିଲେ ୨୬୦ ହେର ଜମିକୁ ସହଜରେ ଜଳସେଚନ ହୋଇପାରିବ । ଏହି ଆନିକଟକୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୨୦୨୧ ଜୁନ୍ ୧୪ରେ ଭର୍ଚୁଆଲରେ ଶିଳାନ୍ୟାସ କରିଥିଲେ । ଗତବର୍ଷ ଡିସେମ୍ବର ପରଠାରୁ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ନେତନଗର ସମେତ ନାଭାପାଲି, ବିଞ୍ଜକୋଟ, ରେଙ୍ଗାଲପାଲି ଚାଷୀଙ୍କ ସୁବିଧା ହେଉଥିବାରୁ ସ୍ଥାନୀୟ ଲୋକେ ଖୁସି ପ୍ରକଟ କରିଛନ୍ତି ।

ମହାନଦୀ ଉପର ମୁଣ୍ଡରେ ଅଣ ମୌସୁମୀ ସମୟରେ ଛତିଶଗଡ ଦ୍ୱାରା ଜଳ ପ୍ରବାହକୁ ରୋକାଯିବା ଦ୍ୱାରା ତଳମୁଣ୍ଡରେ ରହୁଥିବା ଲୋକେ ହନ୍ତସନ୍ତ ହେଉଛନ୍ତି । ବିଶେଷ କରି ଓଡ଼ିଶା ସୀମାନ୍ତବର୍ତ୍ତୀ ଝାରସୁଗୁଡାର କନକତୋରା, ଲୁହାବଗା, ଅମାପାଲି, ବଡ଼ଧରା, କୁଶମେଲ ଅଞ୍ଚଳର ଲୋକେ ହଇରାଣ ହେଉଛନ୍ତି ଉଠା ଜଳସେଚନ ପଏଣ୍ଟଗୁଡିକ ଅକାମୀ ହୋଇଯାଉଛି । ଏମିତିକି ଲୋକେ ଚାଷବାସ ବି ଛାଡିସାରିଲେଣି ।

ଅନ୍ୟପକ୍ଷେ, ଝାରସୁଗୁଡା ଲଖନପୁର ବ୍ଲକ ଲୁହାବଗା ଅଞ୍ଚଳରେ ଉଠା ଜଳସେଚନ ପ୍ରକଳ୍ପ ଅଛି, କିନ୍ତୁ ପ୍ରକଳ୍ପ ଚାଷୀଙ୍କ କାମରେ ଆସୁନି । ତେଣୁ ନଦୀକୂଳିଆ ଗାଁ ନିକଟସ୍ଥ ଶହ ଶହ ଏକର ଜମି ପଡ଼ିଆ ପଡିଛି । ଛତିଶଗଡରୁ ବାହାରିଥିବା କେଲୋ ନଦୀ ଝାରସୁଗୁଡା ଲଖନପୁର ବ୍ଲକ ସୀମାନ୍ତ ଅଞ୍ଚଳର କନକତୋରା,ବାଦିମାଲ, ପିଥିଣ୍ଡା, ପଞ୍ଚାୟତର ଜୀବନରେଖା ରୂପେ ପରିଚିତ ।

ପଡୋଶୀ ରାଜ୍ୟ ଛତିଶଗଡ଼ ସୀମାରୁ ବହିଆସି ଏହି ନଦୀଟି ମହାନଦୀରେ ମିଶିଛି। ଏହି ନଦୀ ଜଳ ଉପରେ ସୀମାନ୍ତ ଅଞ୍ଚଳର ତିନୋଟି ପଞ୍ଚାୟତର ଚାଷୀଙ୍କ ସହ ମତ୍ସ୍ୟଜୀବୀ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ସ୍ଥାନୀୟ ଲୋକେ ନିର୍ଭରଶୀଳ । ଏବେ କେଲୋ ନଦୀ ଉପରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ପୁଣି ଏକ ଆନିକଟ ନିର୍ମାଣ ସେମାନଙ୍କ ପାଇଁ ଦୁଃଖର କାରଣ ବୋଲି ଓଡ଼ିଶାର ପ୍ରଭାବିତ ଚାଷୀ କହିଛନ୍ତି । ତେବେ ଏନେଇ ଆଉ ରାଜନୀତି ନୁହେଁ,ଦଳମତ ନିର୍ବିଶେଷରେ ସମସ୍ତେ ମିଶି ସମାଧାନର ବାଟ ବାହାର କରନ୍ତୁ ବୋଲି ସବୁ ମହଲରୁ ଦାବି ହେଉଛି ।