/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653039123.jpg)
Special story
ନା ଥିଲା ବାଣ ରୋଷଣୀ, ନା ଥିଲା ବାହା ବେଦୀ । ପରିବାର ଲୋକ ବି ନଥିଲେ । ହେଲେ କେବଳ ଫୁଲମାଳ ଅଦଳବଦଳ କରି ଅନୁଷ୍ଠିତ ହୋଇଗଲା ଆଦର୍ଶ ବିବାହ । ସାତ ଜନମର ସାଥି ହୋଇଗଲେ ପ୍ରେମୀଯୁଗଳ । ଆଉ ଏହି ବିବାହରେ ସାକ୍ଷୀ ରହିଲେ ଖୋଦ ଥାନା ଅଧିକାରୀ । ଏପରି ଏକ ବିବାହ ଦେଖିବାକୁ ମିଳିଛି ବରଗଡ଼ ସଦର ଥାନା ପରିସରରେ ।
ବରଗଡ଼ ରୁହୁନିଆ ଗାଁର ହରିହର ଭୋଇ ଓ ଖୁଣ୍ଟପାଲି ଗାଁର ଉର୍ମିତା ପ୍ରଧାନ । ଉଭୟ ଦୀର୍ଘ ଦିନରୁ ପରସ୍ପରକୁ ଭଲ ପାଉଥିଲେ, ଭବିଷ୍ୟତକୁ ନେଇ ନୂଆ ନୂଆ ସ୍ୱପ୍ନ ବୁଣୁଥିଲେ । କଥା ବିବାହ ପର୍ଯ୍ୟନ୍ତ ଯାଇଥିଲା, ହେଲେ ଝିଅଘର ପରିବାର ବିବାହକୁ ବିରୋଧ କରିଥିଲେ । ଉଭୟେ ସମାନ ଜାତିର ହୋଇଥିଲେ ହେ ପାରିବାରିକ ସ୍ୱୀକୃତି ମିଳି ନଥିଲା । ଶେଷରେ ଅନ୍ୟଉପାୟ ନପାଇ ଗାଧୋଇ ଯିବାକୁ କହି ଉର୍ମିତା ନିଜ ଘରୁ ଗୋଡ଼ କାଢ଼ିଥିଲେ । ପ୍ରେମିକ ପାଇଁ ପରିବାର ଲୋକଙ୍କୁ ଭୁଲି ଚାଲିଆସିଲେ ।
ତେବେ ସିଧାସଳଖ ବିବାହ ନକରି ପ୍ରେମୀଯୁଗଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ସେଠାରେ ଓକିଲ ଓ ଥାନା ଅଧିକାରୀଙ୍କୁ ସାକ୍ଷୀ ରଖି ବିବାହ କରିଥିଲେ । ବରଗଡ଼ ସଦର ଥାନା ଅଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତ ଉଭୟଙ୍କ ବିବାହ କରାଇବା ସହ ଆଶୀର୍ବାଦ କରିଥିଲେ ।
ବର୍ତ୍ତମାନ ଵିଵାହ ଉତ୍ସବରେ ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବହୁ ସମୟରେ ନବ ବଧୂକୁ ଯୌତୁକ ନିର୍ଯ୍ୟାତନା ଦିଆଯାଉଥିବା ଦେଖିବାକୁ ମିଳୁଛି । ଆଉ ଏପରି ସମୟରେ ଦୁଇଟି ଫୁଲମାଲ ଦ୍ୱାରା ବିବାହ ବନ୍ଧନରେ ବାନ୍ଧି ହୋଇ ଏହି ପ୍ରେମୀଯୁଗଳ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।
ବରଗଡ଼, ଦୀପକ ଶର୍ମା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)