• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରେମ କଲେ ପ୍ରତିଶୃତି ବି ଦେଲେ, ହେଲେ ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ମିଳିଛି କେବଳ ପ୍ରତାରଣା । ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଞ୍ଚଳରୁ ଅସିଛି ଏଭଳି ସଙ୍ଗୀନ୍‌ ଅଭିଯୋଗ । ଜଣେ ମହିଳା ବୀରେନ୍ଦ୍ର ରଥ ନାମକ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ବିରୋଧରେ  ଏହି ଅଭିଯୋଗ ଆଣିଛନ୍ତି ।

ଏ ନେଇ ମହିଳା ଜଣକ ରାଜଗାଙ୍ଗପୁର ଥାନାରେ ଏତଲା ଦେଇଥିବାବେଳେ ଅଭିଯୁକ୍ତ ବ୍ୟବସାୟୀ ଅଭିଯୋଗକୁ ଖଣ୍ଡନ କରିବା ସହ ମହିଳା ଜଣକ ତାଙ୍କୁ ବ୍ଲାକ୍‌ମେଲିଂ କରୁଥିବା ନେଇ ପାଲଟା ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ସୁଦ୍ଧା ‌ଏହି ମାମଲାରେ ପୋଲିସର  ପ୍ରତିକ୍ରିୟା ମିଳିପାରିନାହିଁ ।

ମହିଳାଙ୍କ କହିବା ଅନୁସାରେ, ‘ସେ ବିଧବା ମହିଳା । ତାଙ୍କର ଗୋଟେ ଛୋଟ ଝିଅ ମଧ୍ୟ ଅଛି । ମହିଳା ଜଣକ ଟ୍ରାନ୍ସପୋର୍ଟ ବ୍ୟବସାୟକୁ ନେଇ ବୀରେନ୍ଦ୍ର ରଥ ନାମକ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ସହ ଯୋଗାଯୋଗ କରିଥିଲେ । ଉଭୟଙ୍କ ମଧ୍ୟରେ ଧିରେ  ଧିରେ କଥାବାର୍ତ୍ତା ବଢିଥିଲା । ଯାହା ଦ୍ୱାରା ସେ ଜାଣିବାକୁ ପାଇଥିଲେ କି ବୀରେନ୍ଦ୍ରଙ୍କ ଡିଭୋର୍ସ ହୋଇଯାଇଛି । କିଛି ଦିନର କଥାବାର୍ତ୍ତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇଥିଲା । ଯାହା ପରେ ଟ୍ରାନ୍ସପୋର୍ଟ ବ୍ୟବସାୟୀ ଜଣକ ମହିଳାଙ୍କୁ ପ୍ରତିଶୃତି ପରେ ପ୍ରତିଶୃତି ଦେଇଚାଲିଥିଲେ । ଏହିପରି ଭାବରେ ପ୍ରେମର ପ୍ରଲୋଭନ ଦେଖାଇ ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇଥିଲେ । ଏମିତିକି ବିବାହର ପ୍ରଲୋଭନ ଦେଖାଇ ପୁରୁଷ ଜଣକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଶେଷରେ ମହିଳା ଜଣକ ଜାଣିବାକୁ ପାଇଥିଲେ ଯେ ପୁରୁଷଙ୍କ ଡିଭୋର୍ସ ହୋଇନାହିଁ ବରଂ ସେ ତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଆସୁଛନ୍ତି । ସମ୍ପୂର୍ଣ୍ଣ ସତ ଜାଣିବା ପରେ ମହିଳା ଜଣକ ନ୍ୟାୟ ଦାବିରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି’ ।