Advertisment

ପାର୍କିଂ ଫି ନାଁରେ ହରିଲୁଟ, ଭୁବନେଶ୍ୱରରେ ଖାଲି ଲୁଟ୍ ଆଉ ଲୁଟ୍

ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ପାର୍କିଂ ମାଫିଆ। ମନ ଇଚ୍ଛା ପାର୍କିଂ ଫି ଆଦାୟ କରୁଛନ୍ତି । ଆଉ ବିଏମସିର ଧାର୍ଯ୍ୟ ଫି’ ରୁ ଅଧିକ ଦେବାକୁ ମନାକଲେ, ଦେଖାଉଛନ୍ତି ନାଲି ଆଖି ।

ଅଦ୍ୟତନ ହୋଇଛି
Parking Fee Loot

Parking Fee Loot

Advertisment

ଭୁବନେଶ୍ୱର ସ୍ମାର୍ଟ ସିଟିରେ ପାର୍କିଂ ଫି ନାମରେ ଚାଲିଛି ଲୁଟ୍‌ ! ଦିନ ଦ୍ୱିପ୍ରହରରେ ଚାଲିଛି ଲୁଟ୍ । ପାର୍କିଂ ଟେଣ୍ଡର ଅବଧି ସରି ଯାଇଥିଲେ ମଧ୍ୟ ଆଦାୟ ହେଉଛି ଧାର୍ଯ୍ୟ ଫି’ରୁ ଅଧିକ ଟଙ୍କା। ପାର୍କିଂ ଫି ନିୟମର ଉଲ୍ଲଙ୍ଘନ ହେଉଥିଲେ ମଧ୍ୟ ଧରପଗଡ଼ ନାହିଁ।

Advertisment

ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ପାର୍କିଂ ମାଫିଆ। ମନ ଇଚ୍ଛା ପାର୍କିଂ ଫି ଆଦାୟ କରୁଛନ୍ତି । ଆଉ ବିଏମସିର ଧାର୍ଯ୍ୟ ଫି’ ରୁ ଅଧିକ ଦେବାକୁ ମନାକଲେ, ଦେଖାଉଛନ୍ତି ନାଲି ଆଖି । ଏ ହେଉଛି ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ ସ୍ଥିତି କଳାମନ୍ଦିର ପଛପଟ ପାର୍କିଂ ପ୍ଲେସ । ଏଠାରେ ୫ ଟଙ୍କିଆ ଟିକେଟ୍ ଉପରେ ପାର୍କିଂ ଷ୍ଟାମ୍ପ ଲଗାଇ ପ୍ରତି ଦୁଇ ଚକିଆ ଯାନ ପିଛା ଜବରଦସ୍ତ ଆଦାୟ କରାଯାଉଛି ୧୦ ଟଙ୍କା। ୫ ଟଙ୍କା ଜାଗାରେ ୧୦ ଟଙ୍କା କାହିଁକି ବୋଲି ପ୍ରଶ୍ନ କଲେ ଗାଡ଼ି ପଙ୍କଚର କରି ଦିଆଯିବାର ଆଶଙ୍କା ରହିଛି । ସବୁଠାରୁ ବଡ଼ କଥା ହେଲା, ଏହି ପାର୍କିଂ ଟେଣ୍ଡର ଅବଧି ସରିଯାଇଛି ଓ ନୂଆ ଟେଣ୍ଡର ପାଇଁ ନୋଟିସ୍ କରିଛି ବିଏମସି। ଅର୍ଥାତ୍ ଟେଣ୍ଡର ଅବଧି ନଥାଇ ବି ବେଆଇନ୍ ପାର୍କିଂ କରି ଅଧିକ ପଇସା ଆଦାୟ ଦେଉଛି।

ମନଇଚ୍ଛା ଫି ଆଦାୟ

କେବଳ ସେତିକି ନୁହେଁ ବିଏମସିର ନିୟମ ଅନୁଯାୟୀ ୨ ଘଣ୍ଟା ମଧ୍ୟରେ ଗୋଟିଏ ଜୋନ ଭିତରେ ଥିବା ୩ଟି ଯାକ ପାର୍କିଂ ସ୍ଥାନରେ ଗାଡ଼ି ପାର୍କ କଲେ ସେହି ଗୋଟିଏ ଟିକେଟର ପଇସା ଦେବାକୁ ପଡ଼ିବ। ହେଲେ ମାର୍କେଟ ବିଲ୍ଡିଂ ପଛପଟ ପାର୍କିଂ, କେଶରୀ ମଲ ପାର୍କିଂ ଓ କାମୟାବ ଅଫିସ ସମ୍ମୁଖ ପାର୍କିଂ ସବୁ ଗୋଟିଏ ଜୋନରେ ଆସୁଥିଲେ ବି ଭିନ୍ନ ଭିନ୍ନ ଟିକେଟ୍ ଦେଖାଇ ମନ ଇଚ୍ଛା ଅଧିକ ପଇସା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି ।

Advertisment

କେବଳ ଏହି ଗୋଟିଏ ସ୍ଥାନ ନୁହେଁ । ଏ ହେଉଛି ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟର ବିଶାଲ ମେଗାମାର୍ଟ ସମ୍ମୁଖ ପାର୍କିଂ । ଟିକେଟ୍ ଉପରୁ ୫ ଟଙ୍କାକୁ ସଂପୂର୍ଣ୍ଣ ଭାବେ କଲମରେ ଗାରେଇ ଦିଆଯାଇଛି। ଆଉ ଜବରଦସ୍ତ ୧୦ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଉଛି। କାରଣ ମାଲିକ ୧୦ ଟଙ୍କା ନେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି କର୍ମଚାରୀ । ଏହାଠାରୁ ବି ବଡ଼ ପାର୍କିଂ ମାଫିଆ ଖଣ୍ଡଗିରି ଛକରେ ପର୍ଯ୍ୟଟକଙ୍କୁ ଲୁଟୁଛନ୍ତି । ବିଏମସି ପାର୍କିଂର ପୋଷ୍ଟର ମାରି ନିଜେ ନିଜେ ଖଣ୍ଡଗିରି ପାର୍କିଂର ଟିକେଟ୍ କାଟି ପ୍ରତି ୨ ଚକିଆ ମାଲିକଙ୍କଠାରୁ ୨୦ ଟଙ୍କା ଲେଖାଏଁ ଆଦାୟ କରୁଥିବା ଅଭିଯୋଗ ହୋଇଛି । ମାଡ଼ ଓ ପାଟିତୁଣ୍ଡ ଭୟରେ ଲୋକ ବି ୨୦ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି । ଯେହେତୁ ଲୋକଙ୍କ ବିରୋଧ ନାହିଁ ତେଣୁ ବିନା ଟେଣ୍ଡରରେ ବେଆଇନ ଭାବେ ଖୋଲାଖୋଲି ଚାଲିଛି ଲୁଟ୍।

ନାହିଁ ସୂଚନା ଫଳକ

ବିଏମସିର ପାର୍କିଂ ପ୍ୟାକେଜ ତାଲିକା ଅନୁସାରେ ଫି ଆଦାୟ ହେଉନାହିଁ । ପ୍ରଥମ ୨ ଘଣ୍ଟା ପାଇଁ ପ୍ରତି ୨ ଓ ୩ ଚକିଆ ଯାନକୁ ୫ ଟଙ୍କା ଓ ୪ ଚକିଆ ଯାନ ପାଇଁ ୨୦ ଟଙ୍କା ଧାର୍ଯ୍ୟ କରାଯାଇଛି। କେବଳ ସେତିକି ନୁହେଁ ପ୍ରତି ପାର୍କିଂ ସ୍ଥାନରେ ରେଟ୍ ଚାର୍ଟ ସହ ଟେଣ୍ଡର ନେଇଥିବା ସଂସ୍ଥାର ଠିକଣା ଓ ଅବଧି ଲେଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। କିନ୍ତୁ ସବୁ ନିୟମର ଖୋଲାଖୋଲି ଖିଲାପ ହେଉଛି। ତେବେ ବେଆଇନ୍ ପାର୍କିଂ ଓ ଅଧିକ ଟଙ୍କା ଆଦାୟ କରୁଥିବା ପାର୍କିଂ ସ୍ଥାନ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଏମସି ଡେପୁଟି କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

Advertisment

ଭୁବନେଶ୍ୱରରେ ଅଧାରୁ ଅଧିକ ପାର୍କିଂ ଏବେ ବେଆଇନ୍ ଭାବେ ଚାଲିଛି। ସେପଟେ କିନ୍ତୁ ପ୍ରତି ନିୟମ ଉଲ୍ଲଙ୍ଘନ ପାଇଁ ଟେଣ୍ଡର ନେଇଥିବା ସଂସ୍ଥା ଉପରେ ହଜାରେ ଟଙ୍କା ଜୋରିମାନାର ପ୍ରାବଧାନ ରହିଛି। ଏମିତିକି ଟ୍ରାଫିକ୍ ଡିସିପିଙ୍କୁ ମଧ୍ୟ ପାର୍କିଂ ସମ୍ବନ୍ଧୀୟ ସବୁ ନୋଟିସ ସଂପର୍କରେ ଅବଗତ କରାଯାଉଛି। ହେଲେ ବେଆଇନ୍ ପାର୍କିଂ ଉପରେ ସେ ବି ନୀରବଦ୍ରଷ୍ଟା। ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସ୍ମାର୍ଟସିଟିରେ ପାର୍କିଂ ନାଁରେ ଚାଲିଛି ହରିଲୁଟ୍।

ରିପୋର୍ଟ-ସ୍ୱାତୀ ଜେନା

Parking Fee Loot In Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ