ଭାଗ୍ୟକୁ ନିନ୍ଦୁଛି ସୁମିତ୍ରା : ୭ ବର୍ଷରେ ପରିବାରର ୮ଜଣଙ୍କୁ ହରାଇ ଏବେ ସେ ସମ୍ପୂର୍ଣ୍ଣ ଏକା

ବିବାହ ବୟସରେ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛି ସୁମିତ୍ରା । ଏବେ ତା’ର ନିଜର ବୋଲି କେହି ନାହିଁ । ଆହା ପଦେ କହିବାକୁ ପରିବାର ଲୋକ ବୋଲି କେହି ନାହାନ୍ତି ।

ଏତେ ବଡ଼ ଦୁନିଆରେ ସମ୍ପୂର୍ଣ୍ଣ ଏକା ସୁମିତ୍ରା

ଜଣେ ପରେ ଜଣେ ଆରପାରିକୁ ଚାଲିଯାଉଛନ୍ତି । ଆଖି ସାମ୍ନାରେ ପରିବାର ଲୋକଙ୍କ ମୃତ୍ୟୁ ହେଉଛି । ୭ ବର୍ଷ ମଧ୍ୟରେ ପରିବାରର ଗୋଟିଏ ପରେ ଗୋଟିଏ ସଦସ୍ୟଙ୍କ ମୃତ୍ୟୁ ଘଟିବା ପରେ ସୁମିତ୍ରା ଏବେ ସମ୍ପୂର୍ଣ୍ଣ ଅସହାୟ । ଏଭଳି ସ୍ଥିତିରେ ନିଜେ କିଭଳି ବଞ୍ଚିବ ? ଜମିବାଡି ଓ ଘରଦ୍ୱାର ସମ୍ଭାଳିବା ସହ ଗାଈଗୋରୁର ଯତ୍ନ କିପିରି ନେବ, ସେନେଇ ଚିନ୍ତାରେ ଭାଙ୍ଗି ପଡ଼ିଛି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକ ଗୋବିନ୍ଦପୁର ପଂଚାୟତ କେରାଖାଲ ଗାଁରେ ।

ଗଜପତି ଜିଲ୍ଲା ମୋହନା ବ୍ଳକ ଗୋବିନ୍ଦପୁର ପଂଚାୟ୍ରତ କେରାଖାଲ ଗାଁର ସୁମିତ୍ରା ନାୟକ । ବୟସ ୨୧ ବର୍ଷ । ୨୦୧୪ ମସିହାରେ ସୁମିତ୍ରାଙ୍କ ବାପାମାଆ ରୋଗରେ ପଡ଼ି ହାତ ଧରାଧରି ହୋଇ ଚାଲିଗଲେ । ବାପାମାଆ ଚାଲିଯିବା ପରେ ସୁମିତ୍ରା ଓ ସାନ ଭଉଣୀ ଶିବାନୀ ପାଠରେ ଡୋରି ଲାଗିଗଲା । ପାଠ ଛାଡି ଦେଇ ମଝିଆ ଦାଦାଙ୍କ ଘରେ ରହି ବିଲ ବାଡି ଗାଈ ଗୋରୁ ସମ୍ଭାଳିଲେ ଦୁଇ ଭଉଣୀ ।

ହେଲେ ଯେଉଁ ଦାଦାଙ୍କ ଘରେ ସେମାନେ ରହୁଥିଲେ, ସେମାନେ ବି ଚାଲିଗଲେ । ୨୦୧୫ ମସିହାରେ ମଝିଆ ଦାଦା ବୁଲୁ ନାୟକ ଓ ତାଙ୍କ ପତ୍ନୀ କନ୍ଧୁଣୀ ନାୟକ ରୋଗରେ ପଡି ମୃତ୍ୟୁ ବରଣ କଲେ । ତାର ଦୁଇ ବର୍ଷ ମଧ୍ୟରେ ସାନ ମଝିଆ ଦାଦା ଓ ତାଙ୍କ ପରିବାର ଲୋକ ମଧ୍ୟ ଆର ପାରିକୁ ଚାଲିଗଲେ । ଶେଷରେ ଦୁଇ ଭଉଣୀ ସାନ ଦାଦା ସୋମନାଥ ନାୟକଙ୍କ ଘରେ ଆଶ୍ରୟ ନେଲେ । ଇତି ମଧ୍ୟରେ ସାନ ଭଉଣୀ ଶିବାନୀ ହାଇଦ୍ରାବାଦରେ ମୋବାଇଲ ମରାମତି ତାଲିମ ପାଇଁ ଘର ଛାଡ ଚାଲିଗଲା ।

ସୁମିତ୍ରା ଏକାକୀ ସାନ ଦାଦାଙ୍କ ପାଖରେ ରହି ରୁଗ୍‌ଣ ଦାଦାଙ୍କ ସେବା କରିବା ସହ ଜମିବାଡି ଓ ଘର ଦାୟିତ୍ୱ ସମ୍ଭାଳି ଆସୁଥିଲା । କିନ୍ତୁ ଦୁଭାଗ୍ୟବଶତଃ ଯେଉଁ ଦାଦାଙ୍କ ମୁହଁ ଚାହିଁ ସୁମିତ୍ରା ବଞ୍ଚିଥିଲା, ଏବେ ସେହି ଦାଦା ମଧ୍ୟ ସୁମିତ୍ରାକୁ ଛାଡି ଆର ପାରିକୁ ଚାଲିଗଲେ ।  ସୁମିତ୍ରା ଏବେ ସମ୍ପୂର୍ଣ୍ଣ ଏକା ହୋଇଯାଇଛି । ଏତେ ବଡ ସଂସାରରେ ଏକାକୀ ସେ କିଭଳି ବଞ୍ଚିବ ସେକଥା ଭାବି ଭାବି ଉପାୟଶୂନ୍ୟ ହୋଇପଡ଼ିଛି । ଏବେ ସେ କେବଳ ସରକାରୀ ସାହାଯ୍ୟକୁ ଚାହିଁ ବସିଛି ।

(ମିହିର ଜତି,ମୋହନା)