ସ୍ୱାଧନତାକୁ ୭୫ ବର୍ଷ ପୂରିଲାଣି । ଅମୃତ ମହୋତ୍ସବ ପାଳନ କରୁଛି ଦେଶ । ଗାଁ ଗାଁକୁ...ଘର ଘରକୁ ସବୁ ପ୍ରକାର ମୌଳିକ ସୁବିଧା ପହଞ୍ଚୁଥିବା ଡିଡିମ୍ବ ପିଟୁଛନ୍ତି ସରକାର । ହେଲେ ସୀମାନ୍ତ ଜିଲ୍ଲାରେ ଏମିତି ଗାଁ ଅଛି ଯେଉଁଠି କି ରାସ୍ତାଟିଏ ନାହିଁ କି ପିଇବା ପାଣି ଟୋପାଏ ନାହିଁ । ସେଇଠି ବିଜୁଳି କଥା ପଚାରେ କିଏ ? ନାହିଁ ନାହିଁର ଗାଁ ହେଉଛି ମାଲକାନଗିରି ଚିତ୍ରକୋଣ୍ଡାର ସିଲିମେଟା ଗାଁ ।
ପଶ୍ଚିମ ଆକାଶେ ସୂର୍ଯ୍ୟ ଅସ୍ତ ହେଲେ ସେମାନେ ହରାଇ ବସନ୍ତି ଆଖିର ଜ୍ୟୋତି । ଅର୍ଥାତ୍ ଗାଁକୁ ଲାଇନ୍ ଯାଇନଥିବାରୁ ସଂଜ ହେଲେ ଗାଁକୁ ଘୋଟି ଆସେ ଅନ୍ଧାର । ଆଉ ଖୋଜା ପଡେ ଡିବା ସହିତ ଲଣ୍ଠନ । ପିଲାଙ୍କ ପାଠ ପଢିବା ହେଉ କି ରୋଷେଇବାସ ହେଉ ପ୍ରତି କାମ ଡିବିରି ଆଲୁଅରେ ହୁଏ । ଇଏ ତ ଗଲା ଆଲୁଅର କଥା...ଥରେ ରାସ୍ତାଘାଟ ଉପରେ ନଜର ପକାଇଲେ ମୁଣ୍ଡ ଝାଇଁ ଝାଇଁ ହେବ । ପାହାଡିଆ ରାସ୍ତା, ଝରଣା ପାଣି ଭିତରେ ପଶି ସେମାନେ ଗାଁରୁ ପ୍ରତିଦିନ ଯିବାଆସିବା କରୁଛନ୍ତି । ଆଉ ପିଇବା ପାଣି ଲାଗ ତ ସେମାନେ ଜୀବନକୁ ବାଜିରେ ଲଗାଇଛନ୍ତି ।
Also Read
ଇଏ ଆଜି କି କାଲିର ଦୃଶ୍ୟ ନୁହେଁ ବରଂ ୭ ଦଶନ୍ଧିର । ମୌଳିକ ଅଧିକାର ଲାଗି ପ୍ରଶାସନ ପାଖରେ ବାରମ୍ବାର ଦାବି କରିଛନ୍ତି, ଗୁହାରି ବି କରିଛନ୍ତି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ନା ପ୍ରଶାସନ ତାଙ୍କ କଥା ଶୁଣୁଛି ନା ତାଙ୍କ ଦୁଃଖ ଯାଉଛି ? ମାଲକାନଗିରି ବଡ଼ପଡା ପଂଚାୟତ ଅନ୍ତର୍ଗତରେ ଅଛି ସିଲିମେଟା ଗାଁ । ଜାଣିଆଶ୍ଚର୍ଯ୍ୟ ହେବେ ସଦର ମହକୁମାଠାରୁ ମାତ୍ର ୫ କିମି ଦୂରରେ ଥିବା ଏହି ଗାଁକୁ ବିକାଶର ପଦଚିହ୍ନ ପଡ଼ିନି । ପାଠ ପଢିବାକୁ ପିଲାଙ୍କ ମଧ୍ୟରେ ଇଚ୍ଛା ଥିଲେ ବି ଗାଁରେ ଅଙ୍ଗନବାଡି କେନ୍ଦ୍ରଟିଏ ନାହିଁ କି ବିଦ୍ୟାଳୟ ଟିଏ ନାହିଁ । ତେଣୁ ସ୍କୁଲ ଯିବାକୁ ପ୍ରତିଦିନ ପାହାଡ ଡେଇଁ ୩କିମି ରାସ୍ତା ଜଙ୍ଗଲ ପାର ହୋଇ ପଢିବାକୁ ଯାଉଛନ୍ତି ପାଠ । ଏତେ ସବୁ ଅସୁବିଧା ପରେ ବି ସେମାନଙ୍କ ଦାବି ଶୁଣୁନି ପ୍ରଶାସନ । ଯେବେ ଯେବେ ଗୁହାରି କରୁଛନ୍ତି ହଁ ହଁ କରି ବାବୁ ସବୁ ଶୁଣୁଛନ୍ତି ସତ ହେଲେ ସୁବିଧା କିଛି କରୁନାହାନ୍ତି । ଯାହାକୁ ନେଇ ସେମାନଙ୍କ ମନରେ ତେଜିବାରେ ଲାଗିଛି ଅସନ୍ତୋଷ ।
ପ୍ରତି ଗାଁକୁ ରାସ୍ତା...ପ୍ରତି ଘରକୁ ସରକାରୀ ଯୋଜନାରେ ସାମିଲ କରାଯାଉଥିବା ରାଜ୍ୟ ସରକାର ବାରମ୍ବାର ଡିଡିମ୍ବ ପିଟୁଛନ୍ତି । ହେଲେ ବିକାଶ କେମିତି ହେଉଛି ? କେତେ ମାତ୍ରାରେ ହେଉଛି ସେ ଦୃଶ୍ୟ ଏବେ ସମସ୍ତଙ୍କ ସାମ୍ନାରେ ।
(ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନଙ୍କ ରିପୋର୍ଟ)