ପାରମ୍ପରିକ ବାଜା ବାଜୁଛି.. ଗୁରୁ ଗୋବିନ୍ଦ ଗୀତ ବୋଲାଚାଲିଛି.. ଭଜନ କୀର୍ତ୍ତନ କରି ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା ବି ହେଲା। ପ୍ରତ୍ୟେକ ଘର ସାମ୍ନାରେ ଗରା ବି ବସିଥିଲା । ପାଦ ଧୋଇ, ଉପଢୌକନ ଓ ପୁଷ୍ପମାଲ୍ୟ ଦେବା ପରେ ମୁଣ୍ଡିଆ ମାରି ଆଶୀର୍ବାଦ ନେଉଥିଲେ ଗାଁଲୋକେ। ଏମିତିକିଛି ଦୃଶ୍ୟ ଦେଖିବା ପରେ ଆପଣ ଦ୍ୱନ୍ଦ୍ୱରେ ପଡି ଭାବୁଥିବେ ଏଠି ଚାଲିଥିଲା କଣ..ଜାଣିଲେ ଆଶ୍ଚର୍ଯ୍ୟ ହେବେ । କାରଣ ଜଣେ ଶିକ୍ଷକଙ୍କ ବିଦାୟୀ ସମ୍ବର୍ଦ୍ଧନା ବେଳ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା।
ଗୋଟିଏ ସ୍କୁଲରେ ଚାକିରି ଆରମ୍ଭ ଆଉ ସେହି ସ୍କୁଲରେ ସରିଲା ଚାକିରି ଜୀବନ । ଦୀର୍ଘ ୩୭ ବର୍ଷ ଧରି ସ୍କୁଲଟିକୁ ସେ ନିଜ ପରିବାର ଭଳି ଗଢିତୋଳିଥିଲେ । ସୁବର୍ଣ୍ଣପୁର ବିନିକା ସିଂଘିଯୁବା ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରେମରାଜ ପତି । ଏବେ ସେ ଚାକିରିରୁ ଅବସର ନେଇଛନ୍ତି । ହେଲେ ସମସ୍ତଙ୍କ ଆଖିରେ ଆଜି ଲୁହ ଜକେଇ ଆସିଛି । ବିଦାୟୀ ସମ୍ବର୍ଦ୍ଧନା ଲାଗି ଭବ୍ୟ ଆୟୋଜନ କରାଯାଇଛି । ହେଲେ କାନ୍ଦୁଛନ୍ତି ଛାତ୍ରଛାତ୍ରୀ, ସହକର୍ମୀ ଓ ଗାଁ ଲୋକେ । ପତି ସାରଙ୍କ ଭଳି ଗୁରୁ ଭାଗ୍ୟରେ ଥିଲେ ମିଳେ ବୋଲି କହୁଛନ୍ତି ପିଲାମାନେ।
ଅଧିକ ପଢ଼ନ୍ତୁ: ସାର୍ଙ୍କ ପାଇଁ ପିଲାଙ୍କ ଆଖିରେ ଲୁହ : ଅବସର ସମୟରେ ସଭିଙ୍କୁ କନ୍ଦାଇଲେ ପ୍ରଧାନ ଶିକ୍ଷକ
Also Read
୧୯୮୫ରେ ୨୩ ବର୍ଷ ବୟସରେ ପ୍ରଥମେ ସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ପତି ସାର୍ । ୨୦୨୧ରୁ ସେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନେଲେ । ତାଙ୍କ ପାଠ ପଢାଇବା ଶୈଳୀ ସବୁଠୁ ନିଆରା । ଅବୁଝା ପିଲାକୁ ଖୁବ ସହଜରେ ବୁଝାଇ ପାଠପଢା ପ୍ରତି ବ୍ରତୀ କରାଇପାରନ୍ତି ପତି ସାର୍ । ସବୁ ବିଷୟରେ ସେ ପାରଙ୍ଗମ ହେଲେ ଇଂରାଜୀ ପାଠ ବେଶୀ ଭଲ ପଢାନ୍ତି ।
ହାଇସ୍କୁଲର ସବୁ ଦାୟିତ୍ୱ ମୁଣ୍ଡାଇ ପିଢି ପରେ ପିଢି ପିଲାଙ୍କ ଭବିଷ୍ୟତ ଗଢି ସ୍ଥାନୀୟ ଅଞ୍ଚଳରେ ଜଣେ ଆଦର୍ଶ ଗୁରୁ ଭାବେ ପରିଚିତ ପ୍ରେମରାଜ ପତି । ତାଙ୍କ ବ୍ୟକ୍ତିତ୍ୱ ଆଜିର ସମାଜରେ ଏକ ଉଦାହରଣ । ସେଥିପାଇଁ ସହକର୍ମୀ, ଛାତ୍ରଛାତ୍ରୀ କେହି ତାଙ୍କୁ ଛାଡିବାକୁ ଚାହୁନାହାନ୍ତି । ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନାରେ ତାଙ୍କୁ ମିଳିଛି ଖୁବ୍ ସମ୍ମାନ ଓ ଭକ୍ତି । ଭଜନ କୀର୍ତ୍ତନ ସହ ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇଛନ୍ତି ଛାତ୍ରଛାତ୍ରୀ, ସହକର୍ମୀ ଓ ଅଭିଭାବକ । ପ୍ରତ୍ୟେକ ଘର ସାମ୍ନାରେ ମୁରୁଜ ଆଉ ପାଣି ଗରା ରଖାଯାଇଛି । ପତି ସାର ପହଞ୍ଚିବା ମାତ୍ରେ ତାଙ୍କ ପାଦ ଧୋଇ ଫୁଲମାଳ ଉପଢୌକନ ଦେଇ ମୁଣ୍ଡିଆ ମାରୁଥିଲେ ଗାଁ ଲୋକେ । ଏମିତି ଦୃଶ୍ୟ ଜୀବନରେ ଗୁରୁଙ୍କ ମହତ୍ୱକୁ ନିଶ୍ଚୟ ବୁଝାଉଛି ।
(ବିନିକାରୁ ଦିଲ୍ଲୀପ ସାହୁଙ୍କ ରିପୋର୍ଟ)