• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପାଣିର ରଙ୍ଗ ପୂରା ହଳଦିଆ । ବାଲ୍ଟିରେ ରଖିଲା ବେଳକୁ ତାହା ବି ହଳଦୀ ହୋଇଯାଉଛି । ଲୋକେ ପିଇବେ କଣ?  ନେତା, ମନ୍ତ୍ରୀ, ବିଧାୟକ କି ସରକାରୀ ବାବୁ ପ୍ରଶାସନିକ ଅଧିକାରୀ କେହି ମଧ୍ୟ ଏମିତି ପାଣିକୁ ନିଜ ଗୋଡ ଧୋଇବାକୁ ବି ବ୍ୟବହାର କରିପାରିବେନି । ତାହେଲେ କୌଣସି ସାଧାରଣ ଲୋକ ଏମିତି ପାଣିକୁ ପିଇବ ବା କେମିତି ? କାହିଁକି ଏ ପାତରଅନ୍ତର ? ସ୍ୱାଧୀନତାର ୭୫ ବର୍ଷ ପରେ ବି ଏ କଣ ବିକାଶର ଚିତ୍ର ? ଯେଉଁଠି ମୌଳିକ ଅଧିକାରରୁ ଲୋକେ ବଞ୍ଚିତ ସେଠି ବସୁଧା ଯୋଜନା ସଫଳତାର ଡିଣ୍ଡିମ କାହିଁକି ?

ନିଇତି ଧଡ ଧଡ କରି ନକକୂଅ ବାଡେଇବା ପରେ ହଳଦିଆ ହଳଦିଆ ପାଣି ବାହାରୁଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ସାନବୁରଡ଼ା ଗାଁରେ । ସରକାର ଯୋଗାଇ ଦେଇଛନ୍ତି ନଳକୂଅ, ହେଲେ ଏମିତି ପାଣି ତ ଗୋଧୋଇବା ଯୋଗ୍ୟ ନୁହେଁ । ରୋଷେଇ କରିବେ କଣ? ପିଇବେ କଣ ? ଏଠି ବର୍ଷସାରା ସ୍ଥିତି ଏମିତି । ବିଶୁଦ୍ଧ ହେଉ କି ନ ହେଉ ପାଣି ଟିକିଏ ସଫା ଦିଶିଲେ ତ ମଣିଷ ପିଇବ ।

ସେଥିପାଇଁ ଗାଁରୁ ୧ କିଲୋମିଟର ଦୂରରେ ଥିବା ଚୁଆ ପାଖରୁ ପାଣି ବୋହି ନିଅନ୍ତି ଗାଁଲୋକେ ।  ଖରା ଦିନେ କାମଧନ୍ଦାରୁ ଥକିକି ଆସିବା ପରେ ପାଣି ବୋହିକି ଆଣିବା କେତେ ଯେ କଷ୍ଟକର । ଖାଲି କଣ ସେତିକି ବର୍ଷା ଦିନେ ନାଳରେ ପାଣି ଆସିଯାଏ ଚୁଆ ବୁଡିଯାଏ । ସେଇ ନାଳ ପାଣିକୁ ଫୁଟାଇ ପିଇବାକୁ ପଡେ ।

ପାଣିର ଅବସ୍ଥା ଖରାପ ହେବା ପରେ ପାଖରେ ଥିବା ନାଳ ପାଣି ଝରିବା ପରେ ସେହି ପାଣିକୁ ସଂଗ୍ରହ କରି ଏବେ ବ୍ୟବହାର କରିଥାନ୍ତି ଗାଁଲୋକେ । ଚୁଆରୁ ଆଗ ପଛ ହୋଇ ପାଣି ସଂଗ୍ରହ କରିଥା’ନ୍ତି । ଡେ଼କଚି ଥୋଇ କଂସାରେ ଧୀରେ ଧୀରେ ଉପରୁ ଉପରୁ ପାଣି କାଢି ଡେକଚି ଭର୍ତ୍ତି କରିବାକୁ ବି ପଡେ । ଯିଏ ଆଗେ ଆସିବ ସିଏ ପାଣି ଟିକେ ପାଇବ ନହେଲେ ପାଣି ସରିଯାଏ । ପୁଣି ଚୁଆରେ ପାଣି ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡେ, ଦିନେ କି ଦୁଇ ଦିନର ନୁହେଁ ୟେ ବର୍ଷ ସାରାର ସମସ୍ୟା ।

କାହିଁକି ସାନବୁରଡା ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ? ଏହାର ସମାଧାନ ଯଦି ନାହିଁ.. ଶୁଣ ସରକାର, ଏଇ ହଳଦିଆ ପାଣି ତୁମେ ଟିକେ ପିଇଦିଅ..

(ବଣାଇରୁ ରଞ୍ଜିତ ଚୌଧୁରୀ )