• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାଜପୁର(ଗୁଲାମ ଗସ୍‌) : ବୟସ ମାତ୍ର ୨ ବର୍ଷ ୯ମାସ । ହେଲେ ନିଜର ସ୍ମରଣଶକ୍ତି ଓ ବୁଦ୍ଧିମତା ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ଅଧିକାର କରିପାରିଛି କୁନି ଝିଅ । ସେ ମାତ୍ର ୧୫ସେକେଣ୍ଡରେ ଏ ଫର ଟୁ ଜେଡ ଫର ପର୍ଯ୍ୟନ୍ତ ( ଇଂରାଜୀ ଶବ୍ଦ ) ଉଚ୍ଚାରଣ କରି ଗୌରବ ଅର୍ଜନ କରିଛନ୍ତି । ଏଭଳି ଜଣେ ଶିଶୁ ପ୍ରତିଭା ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ପ୍ରିୟାଂଶୀ ନାଥ ।

ପ୍ରିୟାଂଶୀ ନାଥ । ବୟସ ମାତ୍ର ୨ ବର୍ଷ ୯ମାସ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚୋରମୁହାଁ ପଂଚାୟତ ଚୋରମୁହାଁ ଗ୍ରାମର କୃଷ୍ଣେନ୍ଦୁ ସୁନ୍ଦର ନାଥ ଓ ସୈାମ୍ୟାକାନ୍ତି ନାଥଙ୍କ ଏକମାତ୍ର ଝିଅ ହେଉଛନ୍ତି ପ୍ରିୟାଂଶୀ । ବାପା କୃଷ୍ଣେନ୍ଦୁ ମେଡିସିନ ରିପ୍ରେଜେନଟେଟିଭ୍ ଭାବେ କାର୍ଯ୍ୟ କରନ୍ତି । ତାଙ୍କର ପରିବାର କଟକରେ ରହନ୍ତି ।  କୁନି ପିଲାଟିଏ ହୋଇଥିଲେ ମଧ୍ୟ ସେ ପ୍ରଖର ସ୍ମରଣ ଶକ୍ତିର ଅଧିକାରୀ । ନିକଟରେ ଆୟୋଜିତ ଇଣ୍ଡିଆ ବୁକ୍ ଅଫ ରେକର୍ଡର ପ୍ରତିଯୋଗିତାରେ ଭାଗ ନେଇ ସେ ମାନପତ୍ର ଓ ମେଡାଲ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ସେ ମାତ୍ର ୧୫ସେକେଣ୍ଡରେ ଏ ଫର ଟୁ ଜେଡ୍ ଫର ( ଇଂରାଜୀ ଶବ୍ଦ ) ନିର୍ଭୁଲ ଭାବରେ କହିପାରିଥିଲେ ।  ତେବେ ସ୍କୁଲ ଯିବା ବୟସ ହୋଇନଥିଲେ ମଧ୍ୟ ପ୍ରିୟାଂଶୀ ଏତେ ଛୋଟ ବୟସରେ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ବିଚାରକମଣ୍ଡଳୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ । ପ୍ରିୟାଂଶୀଙ୍କର ଏହି ସଫଳତା ତାଙ୍କ ପରିବାର ପାଇଁ ଗର୍ବ ଓ ଗୈାରବ ଆଣିଦେଇଛି ।

ଛୋଟ ବୟସରୁ ପ୍ରିୟାଂଶୀଙ୍କର ପ୍ରତିଭାକୁ ଚିହ୍ନି ପାରିଥିଲେ ତାଙ୍କ ମା । ଝିଅର ସଫଳତା ପଛରେ ମା’ଙ୍କର ହାତ ରହିଛି । ମାଙ୍କର ପ୍ରେରଣା ସହ ଘରେ ଉଚିତ ଶିକ୍ଷାଦାନ ଓ ଭଗବାନଙ୍କ ଆଶୀର୍ବାଦ ଯୋଗୁ ଉକ୍ତ ପରୀକ୍ଷାରେ ସେ ସଫଳତା ଅର୍ଜନ କରିଛନ୍ତି । ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡସ ପାଇଁ ଗତ ମାସରେ ମୈାଖିକ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ । ଉକ୍ତ ପରୀକ୍ଷାରେ ସେ ସଫଳତା ଅର୍ଜନ କରିଛନ୍ତି । କେବଳ ସେତିକି ନୁହେଁ ପ୍ରିୟାଂଶୀ ବିଭିନ୍ନ ରାଇମସ୍ ଓ ଶ୍ଳୋକ ସୁନ୍ଦର ଭାବରେ ଆବୃତି କରିପାରୁଛନ୍ତି । ପ୍ରିୟାଂଶୀଙ୍କର ଏହି ସଫଳତାକୁ ନେଇ ଅଂଚଳବାସୀ ମଧ୍ୟ ବେଶ୍ ଖୁସି ପ୍ରକଟ କରିଛନ୍ତି । ଏହି ଅନନ୍ୟ କୃତୀତ୍ୱ ପାଇଁ ତାଙ୍କ ପରିବାର ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ପ୍ରିୟାଂଶୀଙ୍କର ଏହି ପ୍ରତିଭା ଅଂଚଳବାସୀଙ୍କୁ ଆକର୍ଷିତ କରିପାରିଛି । ଯେଉଁଥିପାଇଁ ପ୍ରିୟାଂଶୀ ଭବିଷ୍ୟତ ଜୀବନ ଉଜ୍ୱଳମୟ ହେବା ସହ ରାଜ୍ୟ ତଥା ଦେଶର ନାଁ ରଖିବ ବୋଲି ସମସ୍ତେ ଆଶାବାଦୀ ।