ହରିଶଙ୍କର ବନ୍ଦ ! ପର୍ଯ୍ୟଟକ ନିରାଶ, ଜଳ ସତ୍ୟାଗ୍ରହରେ ସ୍ଥାନୀୟ ଲୋକେ

ପାଂଚ ଜଣ ଜଳ ସତ୍ୟାଗ୍ରହ କରୁଥିବା ବେଳେ ଆଲୋକ ବୁଡେକ ନାମକ ଜଣେ ଆନ୍ଦୋଳନକାରୀଙ୍କ ଅବସ୍ଥା ଗୁରୁତର ହୋଇଛି ।

Satyagraha

ପାଣି ଭିତରେ ଚାଲିଛି ସତ୍ୟାଗ୍ରହ । ମୁଣ୍ଡରେ ପଗଡି ରହିଛି । ବେକରେ ଫୁଲମାଳ ପଡିଛି । ଆଉ ଅଣ୍ଟାଏ ପାଣି ଭିତରେ ପଶି ସତ୍ୟାଗ୍ରହ କରୁଛନ୍ତି ଯୁବକମାନେ । କାରଣ ପଶ୍ଚିମ ଓଡିଶାରେ ପର୍ଯ୍ୟଟନସ୍ଥଳୀକୁ କରାଯାଇଛି ଅବହେଳା । ଏଭଳି ଅଭିଯୋଗ କରି ଅଭିନବ ଉପାୟରେ ପାରି ଭିତରେ ପଶି ପ୍ରତିବାଦରେ କରିଛନ୍ତି ଯୁବକମାନେ ।

ବଲାଙ୍ଗିର ଜିଲ୍ଲା ହରିଶଙ୍କରରୁ ନୃସିଂହନାଥକୁ ପ୍ରସ୍ତାବିତ ରୋପ-ୱେ ଯୋଜନାକୁ ରାଜ୍ୟ ସରକାର ବନ୍ଦ କରିଦେବା ପରେ ସାରା ବଲାଙ୍ଗିର ଜିଲ୍ଲାରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚା ଦ୍ୱାରା ହରିଶଂକର ଠାରେ ଗତକାଲି ଠାରୁ ଜଳ ସତ୍ୟାଗ୍ରହ କରାଯାଉଛି । ଗତକାଲି ଠାରୁ ପାଂଚ ଜଣ ଜଳ ସତ୍ୟାଗ୍ରହ କରୁଥିବା ବେଳେ ଆଲୋକ ବୁଡେକ ନାମକ ଜଣେ ଆନ୍ଦୋଳନକାରୀଙ୍କ ଅବସ୍ଥା ଗୁରୁତର ହୋଇଛି । ସତ୍ୟାଗ୍ରହ କରୁଥିବା ଆହତ ଯୁବକଙ୍କୁ ଖପ୍ରାଖୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ସତ୍ୟାଗ୍ରହୀ ଜଣକ ମେଡିକାଲରେ ଭର୍ତ୍ତି ହେବା ପରେ ବି ଥମିନି ଆନ୍ଦୋଳନ । ସେପଟେ ସ୍ଥାନୀୟ ବଣିକ ସଂଘ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ହରିଶଂକର ବନ୍ଦ ଡାକରା ଦିଆଯାଇଛି । ଯାହା ଫଳରେ ଆଜି ହରିଶଂକର ଠାରେ ଦୋକାନ ବଜାର ବନ୍ଦ ରହିଛି । ଏପରିକି ହରିଶଂକର ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ କରାଯାଇଛି ।

(ରିପୋର୍ଟ- ମନରଂଜନ ଯୋଶୀ, ବଲାଙ୍ଗିର)