• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା) : ଶେଷ ସମୟର କଥା କୁହେ ଶ୍ମଶାନ । ସବୁ ଭେଦଭାବ ଭୁଲି ଶ୍ମଶାନରେ ଯିଏ ଠିଆହୁଏ, ସେ ହିଁ ପ୍ରକୃତ ବନ୍ଧୁ । ଆଉ ଏମିତି ଜଣେ ନିସ୍ୱାର୍ଥପର ବନ୍ଧୁ ହେଲେ ତେଜେଶ୍ୱର । ମଶାଣିରେ ଶବ ପଡ଼ିଥିବ, କିନ୍ତୁ କେଇଖଣ୍ଡ କାଠ ନଥିବାରୁ ପୋଡ଼ା ହୋଇପାରୁ ନଥିବ । ସେସବୁ ସେ ଆଦୌ ଦେଖି ପାରନ୍ତିନି । ବିନା ଶୁଳ୍କରେ କାଠ ଯୋଗାଇ ବର୍ତ୍ତମାନ ସେ ଚର୍ଚ୍ଚାରେ । କେବଳ ଏତିକି ନୁହେଁ ଶ୍ମଶାନରେ ଆବଶ୍ୟକ ହେଉଥିବା ଗୃହ, ପାଚେରୀ ନିର୍ମାଣରେ ଆଦିରେ ମଧ୍ୟ ସେ ସହଯୋଗ କରୁଛନ୍ତି ।

ପେଟପାଟଣା ପାଇଁ ଅନେକ ବର୍ଷ ପୂର୍ବେ କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ଆସି ପହଞ୍ଚିଥିଲେ ତେଜେଶ୍ୱର ପାତ୍ର । ଯୁବା ଅବସ୍ଥାରେ ଆରମ୍ଭ କରିଥିବା ବ୍ୟବସାୟକୁ ନେଇ ଆଜି ସେ ଜିଲ୍ଲାର ଜଣେ ଜଣାଶୁଣା ଲୁଗା ବ୍ୟବସାୟୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ବର୍ତ୍ତମାନ ସେ ପରିଣତ ବୟସରେ ଉପନୀତ ହୋଇଥିବା ବେଳେ ତାଙ୍କ ପୁଅ ମାନସ ତାଙ୍କ ସହିତ ବ୍ୟବସାୟରେ ସହଯୋଗ କରୁଛନ୍ତି । କିନ୍ତୁ ଗତ ପାଞ୍ଚ ବର୍ଷ ଧରି ତେଜେଶ୍ୱର ନିଜ ପାଇଁ ଅନ୍ୟ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ।

୨୦୧୭ରୁ ସେମିଳିଗୁଡା ଶ୍ମଶାନର ଉନ୍ନତି ପାଇଁ ସର୍ବଦା ଉଦ୍ୟମ କରୁଛନ୍ତି ତେଜେଶ୍ୱର । ଶବ ସତ୍କାର କରିବା ପାଇଁ ମାଗଣାରେ ଯୋଗାଇ ଆସୁଛନ୍ତି କାଠ । ଯିଏ ଯେଉଁ ସମୟରେ ଶବ ଦାହ ପା‌ଇଁ ଆସୁଛନ୍ତି, ସେ ସାହାଯ୍ୟ କରୁଛନ୍ତି । ଲୋକଙ୍କ ସହାୟତା ପାଇଁ ନିଜ ଖର୍ଚ୍ଚରେ ମଶାଣି ପାଖରେ ସେ ଗୋଟିଏ ଛୋଟ ଘରେ ଗଦା କରି ରଖିଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ କାଠ। ତେଜେଶ୍ୱର ଶବ ସତ୍କାର ପାଇଁ ମାଗଣାରେ କାଠ ଯୋଗାଇ ଦେଉଛନ୍ତି । ଏହାସହ ଶ୍ମଶାନରେ ଆବଶ୍ୟକ ହେଉଥିବା ଗୃହ, ପାଚେରୀ ନିର୍ମାଣରେ ସହଯୋଗ କରୁଛନ୍ତି ।

୨୦୧୯ ମସିହାରେ କରୋନା ସମୟରେ ମଧ୍ୟ ଲୋକଙ୍କ ନିକଟରେ ଠିଆ ହେଉଥିଲେ ତେଜେଶ୍ୱର । କରୋନା ମୃତକଙ୍କ ପରିବାର ଲୋକ କୌଣସି ସାହାଯ୍ୟ ସହଯୋଗ ନପାଇ ଶବଦାହ କରିପାରୁ ନଥିଲେ, ଆଉ ସେଭଳି ସଙ୍କଟ ସମୟରେ ବି ସାହାଯ୍ୟ କରୁଥିଲେ ତେଜେଶ୍ୱର । ତେବେ ତାଙ୍କର ଏପରି ମହତ କାମ ପାଇଁ ବର୍ତ୍ତମାନ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି ।

ପୁଅ ମାନସ ମଧ୍ୟ ବାପାଙ୍କ ସେବାରେ ଅନୁପ୍ରାଣିତ ହୋଇ ନିଜେ ଏହି ମହତ କାର୍ଯ୍ୟକୁ ଆଗକୁ ନେବା ପାଇଁ ସଂକଳ୍ପ ନେଇଥିବା କହିଛନ୍ତି । ଏହାସହ ନିଜ ପରିବାରର ଭବିଷ୍ୟତ ପିଢ଼ି ମଧ୍ୟ ଯେପରି ଏହି ପରମ୍ପରାକୁ ଆଗକୁ ନେଇପାରିବେ, ସେଥିପ୍ରତି ଯତ୍ନବାନ ହେଉଥିବା ପ୍ରକାଶ କରିଛନ୍ତି ।