Advertisment

ମନ୍ତ୍ରୀଙ୍କୁ ଘେରିଲେ ଲୋକେ, ହାତ ଟେକିଦେଲେ ମନ୍ତ୍ରୀ !

ଆଳି ଅଞ୍ଚଳ ଗସ୍ତରେ ଆସୁଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ। ତେଣୁ ସେତୁ ନିର୍ମାଣରେ ଚକ୍ରାନ୍ତ, ସ୍ବାସ୍ଥ୍ୟକେନ୍ଦ୍ରର ଅବନତି, ଡାକ୍ତର ଅଭାବ, ଶିକ୍ଷକ ଅଭାବ ଆଦି ସମସ୍ୟାକୁ ଧରି ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରାଯିବ ବୋଲି କହିଛି କଂଗ୍ରେସ।

ଅଦ୍ୟତନ ହୋଇଛି
Kendrapara Boat Tragedy

Kendrapara Boat Tragedy

Advertisment

ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଅବହେଳିତ ଜୀବନ ଜୀଉଁଥିବା କେନ୍ଦ୍ରାପଡ଼ା ଏକମାଣିଆ ପଞ୍ଚାୟତବାସୀଙ୍କ ଦୁଃଖ ଦୂର ହେବ କେବେ, ତାହା ଭଗବାନଙ୍କୁ ହିଁ ଜଣା। ରାସ୍ତା ଖଣ୍ଡେ ନାହିଁ ବୋଲି ନୌଯାତ୍ରା କରି ଜୀବନକୁ ପାଣି ଛଡ଼ାଉଥିବା ଅଞ୍ଚଳବାସୀ ଆଜି ଆଉ ଜଣଙ୍କୁ ହରାଇବା ପରେ ବ୍ୟବସ୍ଥା ବିରୋଧରେ ବିଷୋଦଗାର କରିଛନ୍ତି। ମନ୍ତ୍ରୀ ପ୍ରତାପ ଦେବଙ୍କୁ ଘେରିଛନ୍ତି, ଜବାବ ମାଗିଛନ୍ତି। ତାହାରି ଭିତରେ ହଟହଟା ହୋଇଥିବା ମନ୍ତ୍ରୀଙ୍କ ଅସହାୟତାର ଚିତ୍ର ବି ସାମ୍ନାକୁ ଆସିଛି।

Advertisment

ପୁଅ ଯାଇଥିଲା ମାମୁ ଘରକୁ...ଆଜି ହିଁ ଫେରି ଆସିବାକୁ କହୁଥିବା ପୁଅକୁ ମା’ ମନା କରି ପହରଦିନ ଆସିବାକୁ କହିଥିଲେ, ହେଲେ ଭାଗ୍ୟର ବିଡ଼ମ୍ବନା ଡଙ୍ଗାବୁଡ଼ିରେ ଚାଲିଗଲା ୧୫ ବର୍ଷିୟ ପୁଅର ଜୀବନ। ଛାତି ଫାଟି ଯାଉଛି, କୋହ ଆଉ ଲୁହରେ ବତୁରିଯାଉଛି ମା’ର ପ୍ରାଣ। କେନ୍ଦ୍ରାପଡ଼ା ଏକମାଣିଆରୁ ରାଜନଗର କେରେଡ଼ାଗଡ଼କୁ ଡଙ୍ଗାରେ ଫେରୁଥିବାବେଳେ ବ୍ରାହ୍ମଣନଦୀରେ ଚାଲିଯାଇଛି ଦଶମ ଶ୍ରେଣୀର ଛାତ୍ର ଦେବେନ୍ଦ୍ର ବେହେରାଙ୍କ ଜୀବନ।

ଡଙ୍ଗାରେ ଥିଲେ ପ୍ରାୟ ୨୮ ଜଣ ଯାତ୍ରୀ। ୪ଟି ବାଇକ ସହ ସାଇକେଲ ବି ଲଦା ହୋଇଥିଲା। ହେଲେ ଭାରସାମ୍ୟ ହରାଇ ମଝି ନଈରେ ଡଙ୍ଗାଟି ବୁଡ଼ିଯିବାରୁ ସମସ୍ତେ ଖସିପଡ଼ିଥିଲେ ନଦୀ ଭିତରକୁ। ହେଲେ ପ୍ରାଣ ହରାଇଥିଲେ ଦେବେନ୍ଦ୍ର। ସେପଟେ ୪ ଜଣଙ୍କୁ ଉଦ୍ଧାର କରିଥିବା ଡଙ୍ଗା ଚାଳକ ସୁଦର୍ଶନ ସ୍ୱାଇଁଙ୍କ ଏଯାଏଁ ପତ୍ତା ମିଳିନାହିଁ।  

Advertisment

ଏକମାଣିଆ-କେରେଡ଼ାଗଡ଼ ଭିତରେ ଏଭଳି ବିପଦଜ୍ଜନକ ନୌଯାତ୍ରା କିମ୍ବା ଅଘଟଣ ନୂଆ ନୁହେଁ। ଫେବ୍ରୁୟାରୀ ୮ରେ ୨୦ ଯାତ୍ରୀଙ୍କୁ ନେଇଯାଉଥିବା ଡଙ୍ଗାଟି ବୁଡ଼ିଯାଇଥିଲା। ଅବଶ୍ୟ କାହାର କୌଣସି କ୍ଷତି ଘଟିନଥିଲା। ବ୍ରାହ୍ମଣୀ ଓ ଖରସ୍ରୋତା ଘେରରେ ରହିଥିବା ଏକମାଣିଆ ସହ କେରେଡ଼ାଗଡ଼ ମଧ୍ୟରେ ଯାତାୟାତ ପାଇଁ ୨୦୧୬ ନଭେମ୍ବର ୮ରେ ଏକ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଇତିମଧ୍ୟରେ ୬ ବର୍ଷ ପୁରିଯାଇଥିଲେ ବି ବାଲି ମୁଠାଏ ପଡ଼ିନି। ପରିଣାମ ସ୍ବରୂପ ଆଜି ଆଉ ଏକ ଅଘଟଣ ଘଟି ଜଣଙ୍କ ଜୀବନ ଯାଇଛି। ଏହାକୁ ନେଇ ମୃତ ନାବାଳକର ମରଶରୀରକୁ ଧରି ଲୋକେ ଧାରଣା ଦେଇଥିଲେ। ଆଉ ଧାରଣାସ୍ଥଳକୁ ପହଞ୍ଚିଥିବା ମନ୍ତ୍ରୀ ପ୍ରତାପ ଦେବଙ୍କୁ ଘେରି ପୋଲ ନିର୍ମାଣ ନେଇ ପ୍ରଶ୍ନ ପଚାରିଥିଲେ। 

କିନ୍ତୁ ନିଜ ଉତ୍ତରଦାୟିତ୍ୱକୁ ଭୁଲି ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ କାଲି ଆସୁଛନ୍ତି, ତାଙ୍କୁ ଜଣାଇବାକୁ କହିଥିଲେ ମନ୍ତ୍ରୀ ପ୍ରତାପ ଦେବ। ତେବେ ନିଜ ଅଞ୍ଚଳର ସେତୁ ଖଣ୍ଡିକ ପାଇଁ ହାତ ଟେକିଦେଲା ଭଳି ମନ୍ତ୍ରୀ ପ୍ରତାପ ଦେବଙ୍କ ପରାମର୍ଶ କାହିଁକି ? ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ କ’ଣ ଏତେ ପ୍ରଭାବଶାଳୀ ଯେ, ତାଙ୍କ ଆଗରେ ବି ଅସହାୟ ମନ୍ତ୍ରୀ ? ଏଭଳି ପ୍ରଶ୍ନ ଉଠୁଥିବାବେଳେ ଗର୍ଜିଛି କଂଗ୍ରେସ।

Advertisment

କାଲି ଆଳି ଅଞ୍ଚଳ ଗସ୍ତରେ ଆସୁଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ। ତେଣୁ ସେତୁ ନିର୍ମାଣରେ ଚକ୍ରାନ୍ତ, ସ୍ବାସ୍ଥ୍ୟକେନ୍ଦ୍ରର ଅବନତି, ଡାକ୍ତର ଅଭାବ, ଶିକ୍ଷକ ଅଭାବ ଆଦି ସମସ୍ୟାକୁ ଧରି ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରାଯିବ ବୋଲି କହିଛି କଂଗ୍ରେସ। ସେପଟେ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ବିଭିନ୍ନ ଯାନ୍ତ୍ରିକ କାରଣ ପାଇଁ ଟେଣ୍ଡର ଠିକ୍ ଭାବେ ହୋପାରୁନି। ତେଣୁ କେରେଡ଼ାଗଡ଼ ଯାଏ ୬ ମିଟର ଗୋଲେଇର ହ୍ୟୁମ ପାଇପ୍ କରି ରାସ୍ତା ନିର୍ମାଣ କରାଯିବ। 

ତେବେ କେବେ ପୋଲ ହେବ ଓ ଲୋକଙ୍କ ଦୁର୍ଦ୍ଦଶା ଦୂର ହେବ, ସେନେଇ ନାନା ଆଶଙ୍କା ଭିତରେ ଆଜିର ଅଘଟଣରେ ପ୍ରାଣ ହରାଇଥିବା ନାବାଳକର ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ