କେତେ ବିପଜ୍ଜନକ ବ୍ରେକ୍‌ଡ୍ୟାନ୍ସ ଦୋଳି ? କୋଟପାଡ଼ରେ ୧୩ ବର୍ଷିୟା ଛାତ୍ରୀର ମୃତ୍ୟୁ

ମୀନା ବଜାରରେ ପଡୁଥିବା ଦୋଳିର ଯାଞ୍ଚ ହେଉଛି ତ ? ରାଜ୍ୟରେ ବେଧଡକ ଚାଲିଛି ବିପଦପୂର୍ଣ୍ଣ ଦୋଳି ।

Break Dance

ରଥଯାତ୍ରା ଅବସରରେ ଗାଁ ଗାଁରେ ମୀନାବଜାର ପଡିଛି । ଯେଉଁଠି ଚାଲିଛି ରାମ ଦୋଳି, ଲକ୍ଷ୍ଣଣ ଦୋଳି ଏବଂ ବ୍ରେକ ଡ୍ୟାନ୍ସ ଭଳି ବିପଦପୂର୍ଣ୍ଣ ଦୋଳି ଖେଳ । ପ୍ରଶାସନର ଅନୁମତି ନେଇ କେଉଁଠି ୧୫ ଦିନ ତ ଆଉ କେଉଁଠି ମାସେ ଯାଏଁ ଚାଲୁଛି ଯାତ୍ରା । ହେଲେ ଅତି ବିପଦପୂର୍ଣ୍ଣ ଏହି ଦୁଃସାହସିକ ଖେଳ । ଗତକାଲି କୋରାପୁଟ କୋଟପାଡରେ ଜଣେ ୧୩ ବର୍ଷିୟ ଛାତ୍ରୀଙ୍କ ଜୀବନ ଚାଲିଯାଇଛି ବ୍ରେକଡ୍ୟାନ୍ସ ଦୋଳିରେ ବସି ।

୧୩ ବର୍ଷିୟ ଆଲଫିଆ ବାନୁ । ମୁହୂର୍ତ୍ତକ ମଧ୍ୟରେ ମିଳେଇ ଯାଇଛି ସବୁ ଖୁସି । କାଳ ସାଜିଲା ବ୍ରେକ୍ ଡ୍ୟାନ୍ସ ଦୋଳିରେ ବସିବା । କୋଟପାଡ଼ ମିରିଗାନ ସାହିର ନବମ ଶ୍ରେଣୀ ଛାତ୍ରୀ ଆଲଫିଆ ଶନିବାର ପରିବାର ସହ ମୀନାବଜାର ବୁଲି ଯାଇଥିଲେ । ମାଆ ମନା କରିବା ସତ୍ତ୍ୱେ ବ୍ରେକ୍ ଡ୍ୟାନ୍ସ ଦୋଳିରେ ବସିବାକୁ ଜିଦ୍ ଧରିଥିଲେ । ବ୍ରେକ୍ ଡ୍ୟାନ୍ସ ଗୋଟିଏ ରାଉଣ୍ଡ ବୁଲିବା ପରେ ହଠାତ୍ ଅଚେତ ହୋଇପଡିଥିଲେ ଆଲଫିଆ ।

ତୁରନ୍ତ ତାଙ୍କୁ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ହେଲେ ସେତେବେଳକୁ ସବୁ ସରିଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅବେଳରେ ଆଲଫିଆଙ୍କ ମୃତ୍ୟୁ ସାରା ପରିବାରରେ ଶୋକ ଭରିଦେଇଛି । ସେପଟେ ଅଘଟଣ ପରେ ମୀନା ବଜାରକୁ ବନ୍ଦ କରିଛି ପ୍ରଶାସନ । ତେବେ ବିନା ଅନୁମତିରେ ମୀନାବଜାର ଚାଲିଥିବା ଜଣାପଡିଛି ।

ତେବେ ପ୍ରଶ୍ନ ଉଠୁଛି, ମୀନା ବଜାରରେ ପଡୁଥିବା ବିଭିନ୍ନ ଦୋଳିର ଠିକ୍ ଯାଞ୍ଚ ହେଉଛି ତ ? ବ୍ରେକ୍ ଡ୍ୟାନ୍ସ ଦୋଳି ଠିକ୍ କାମ କରୁଥିଲା ତ ? ଦୋଳିରେ ଲାଗିଥିବା ମେସିନ ଗୁଡିକର ଯାଞ୍ଚ ଠିକ୍‌ ଭାବେ କରାଯାଉଛି ତ ?

ଏହାରି ଭିତରେ ସାମ୍ନାକୁ ଆସିଛି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ବିପଦପୂର୍ଣ୍ଣ ଦୋଳି ଖେଳର ଖବର । ବାରିପଦାରେ ମୁହୂର୍ତ୍ତକ ମଧ୍ୟରେ ସୁଉଚ୍ଚକୁ ଉଠୁଛି ରାମ ଦୋଳି । ପୁଣି ଦ୍ରୁତ ଗତିରେ ତଳକୁ ଖସୁଛି । ସେହିଭଳି ବାମ-ଡାହାଣ ହୋଇ ଘୁରି ବୁଲୁଛି ଡିସ୍କ ଦୋଳି । ବାରିପଦାର ଦୋଳି ପଡିଆରେ ଖେଳର ପସରା ମେଲିଛନ୍ତି ପଶ୍ଟିମବଙ୍ଗର ବେପାରୀ । ଆଉ ଏସବୁ ବିପଦପୂର୍ଣ୍ଣ ଦୋଳିକୁ ନିୟନ୍ତ୍ରଣ କରୁଥିବା ପିଲାଙ୍କ ଅଭିଜ୍ଞତା ଅଛି ତ ? ତାକୁ ନେଇ ବି ଉଠିଛି ପ୍ରଶ୍ନ । ବଡ଼ କଥା ହେଉଛି, ମୀନାବଜାରରେ ଖେଳ ଚାଲିଥିବା ବେଳେ ଏହାର ଯାଂଚ୍ ହେଉଛି କି ନାହିଁ, ତାହା କାହାକୁ ଜଣାନାହିଁ ।

 

ସେହିଭଳି ରଥଯାତ୍ରା ଅବସରରେ ନୀଳଗିରିରେ ବି ଚାଲିଛି ମୀନା ବଜାର । ଯେଉଁଠି ପଡିଛି ସୁଉଚ୍ଚ ରାମଦୋଳି ଓ ବ୍ରେକଡ୍ୟାନ୍ସ ଦୋଳି । ବେଧଡ଼କ ଚାଲିଛି ବିପଦପୂର୍ଣ୍ଣ ଖେଳ ହେଲେ କୋଟପାଡ଼ର ଅଘଟଣ ପରେ ବିପଦପୂର୍ଣ୍ଣ ଝୁଲଣକୁ ବନ୍ଦ କରିବାକୁ ଦାବି ଉଠିଛି । ମୀନା ବଜାରରେ ରାମଦୋଳି ଓ ବ୍ରେକଡ୍ୟାନ୍ସ ଦୋଳି ଭଳି ଖେଳ କେତେ ବିପଦପୂର୍ଣ୍ଣ ? କିଏ ଏଥିରେ ବସିବା ଉଚିତ ? କାହାକୁ ଏହି ଦୁଃସାହସିକ ଖେଳ ମନା ? ପୂର୍ବରୁ କଟକ ବାଲିଯାତ୍ରାରେ ମୌତ୍ କା କୂଆଁ ଖେଳରେ ଅଘଟଣ ପାଇଁ ସାରା ରାଜ୍ୟରେ ତାକୁ ବନ୍ଦ କରାଯାଇଛି  ।