• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାଧାରଣ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କର ବସୁଧା ଯୋଜନା । ତେବେ ପାଣି ପାଇଁ ହୋଇଥିବା ଏହି ଯୋଜନା ଏବେ ପାଣିର ଗାର ପାଲଟିଛି। ବର୍ଷ ବର୍ଷ ଧରି ଲୋକଙ୍କୁ ମିଳୁନି ପାଣି । ଟାଙ୍କି ବସିଛି, ଟ୍ୟାପ୍ ବି ଲାଗିଛି, ହେଲେ ପାଣି ଆସୁନି, କାର୍ଯ୍ୟକ୍ଷମ ହେଉନି ପାଣି ଟାଙ୍କି। ବାଲେଶ୍ୱର ଜିଲ୍ଲାର ଔପଦା ଓ ସିମୁଳିଆ ବ୍ଲକରେ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳୁଛି ।

ବାଲେଶ୍ୱର ଜିଲ୍ଲାରେ ବାଟବଣା ବସୁଧା । ସିମୁଳିଆ ବ୍ଲକ ଅଡ଼ା ପଞ୍ଚାୟତର ହଳିସୋ ଗାଁରେ ୩ ବର୍ଷ ତଳେ ବସିଥିଲା ପାନୀୟ ଜଳ ପ୍ରକଳ୍ପ। ଅଟକଳ ମୂଲ୍ୟ ଥିଲା ୧ କୋଟି ୧୩ ଲକ୍ଷ ଟଙ୍କା । ସେହି ଅନୁସାରେ ପାଣି ଟାଙ୍କି ହେଲା, ଗାଁ ସାରା ଟ୍ୟାପ୍ ବି ଲାଗିଲା । ହେଲେ କାର୍ଯ୍ୟକ୍ଷମ ହେଉନି ପାଣି ଟାଙ୍କି । ଲୋକଙ୍କ କହିବା କଥା, ଯେତେବେଳେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା, ସେତେବେଳେ ଟେଷ୍ଟିଂ ପାଇଁ ପାଣି ଛାଡିଲେ । ତା ପରଠୁ ବନ୍ଦ ହୋଇ ପଡିଛି ।

ହଳିସୋ ଗାଁର ପ୍ରତି ଘରକୁ ପାଇପ୍ ସଂଯୋଗ କରାଯାଇଛି । ୩ ବର୍ଷ ତଳେ ଯେତେବେଳେ ପମ୍ପ ହାଉସ୍ ହୋଇ ପାଣି ଟାଙ୍କି ବସିଲା, ସେତେବେଳେ ଲୋକେ ଭାବିଥିଲେ ଆଉ ପିଇବା ପାଣି ପାଇଁ ସଂଘର୍ଷ କରିବାକୁ ପଡିବନି । କିନ୍ତୁ ଏବେ କିଛି କିଛି ଜାଗାରେ ଟ୍ୟାପ୍ ଭାଙ୍ଗିଯାଇଥିବା ବେଳେ କିଛି ଟ୍ୟାପ୍ ଘର ଆଗରେ ଖମ୍ବ ପରି ରହିଛି ।

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକରେ ମଧ୍ୟ ଫେଲ୍ ମାରିଛି ପାନୀୟ ଜଳ ପ୍ରକଳ୍ପ । ଔପଦା ବ୍ଲକ ମହିଂସାଡାଳି ଗାଁରେ ୨୦୧୬ ମସିହାରେ ଉଦଘାଟିତ ହୋଇଥିଲା ଜଳଯୋଗାଣ ପ୍ରକଳ୍ପ । ଖର୍ଚ୍ଚ ହୋଇଥିଲା ୯୮ ଲକ୍ଷ ୬୫ ହଜାର ଟଙ୍କା। ପାଣିର ମାନ ଯାଞ୍ଚ କରିବା ପାଇଁ କିଛି ଦିନ ପାଣି ଆସିଲା, ତା ପରେ ଯାହାକୁ ତାହା ।

ଔପଦା ବ୍ଲକଟି ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ ପାହାଡ ପାଦଦେଶରେ ଏହିସବୁ ଗାଁ ରହିଛି । ପାଣି ସମସ୍ୟା ଦୂର ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବଡ଼ପାଣି ଟାଙ୍କି ତିଆରି କରିଛନ୍ତି । କିଛି ଜାଗାରେ ପାଣି ଗଚ୍ଛିତ ରଖିବା ଲାଗି ଛୋଟ ଛୋଟ ଟାଙ୍କି ମଧ୍ୟ ହୋଇଛି । କିନ୍ତୁ ଟ୍ୟାପ୍ ଯୋଗେ ପାଣି ଆସୁନଥିବାରୁ ଲୋକେ ନଳକୂଅ ଏବଂ ପୋଖରୀ ଉପରେ ନିର୍ଭରଶୀଳ ।

ହଳିସୋରେ ୧ କୋଟି ୧୩ ଲକ୍ଷ ଏବଂ ମହିଂସାଡାଳିରେ ୯୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଯଦି ଲୋକେ ପାଣି ପାଇବେନି, ପାଣି ଟାଙ୍କି କାର୍ଯ୍ୟକ୍ଷମ ହେବନି, ତାହେଲେ କାହିଁକି ସରକାରୀ ରାଜକୋଷରୁ ଖର୍ଚ୍ଚ ହେଲା ଏତେ ଟଙ୍କା ? କାହିଁକି ଦୃଷ୍ଟି ଦେଉନାହାନ୍ତି ବିଭାଗୀୟ କର୍ତ୍ତୃପକ୍ଷ ?