ଦିନେ ପକୋଡ଼ା ବିକୁଥିଲେ ଏବେ ରୌପ୍ୟ ପଦକ ବିଜେତା ହେଲେ । ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶ ପାଇଁ ପ୍ରଥମ ପଦକ ଆଣିଛନ୍ତି ସଙ୍କେତ ସର୍ଗର । ୨୧ ବର୍ଷୀୟ ଏହି ଯୁବକଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ହେଲେ ଆପଣ ଜାଣନ୍ତି କି କିଏ ଏହି ଯୁବକ ? କଣ ତାଙ୍କ ପରିଚୟ ? ତେବେ ଆସନ୍ତୁ ଜାଣିବା ଏତେ କମ୍ ବୟସରେ ସଫଳତାର ଶୀର୍ଷ ଛୁଇଁ ଦେଶ ପାଇଁ ଗୌରବ ଆଣିଥିବା ଏହି ଯୁବକଙ୍କ ବିଷୟରେ....
ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସଙ୍କେତଙ୍କ ବାପା ଜଣେ ଚା’, ପାନ ଦୋକାନୀ । ବାପା ଚଳାଉଥିବା ଦୋକାନରେ ସେ ମୁଗ ପକୋଡା ଓ ବରା ପାଓ ବିକ୍ରି କରନ୍ତି । ନିଜ କଲେଜ ପାଠପାଢ଼ା ଓ ଖେଳ ସମୟ ମଧ୍ୟରୁ ସମୟ ବାହାର କରି ସେ ତାଙ୍କ ବାପାଙ୍କୁ ସହଯୋଗ କରନ୍ତି । ହେଲେ ଏହାରି ମଧ୍ୟରେ ସେ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କୌଣସି ସୁଯୋଗ ଛାଡିନଥିଲେ। ଗତ ୪ ବର୍ଷରୁ ଦେଖୁଥିବା ସ୍ୱପ୍ନକୁ ଗତ ଶନିବାର ଦିନ ସାକାର କରିପାରିଛନ୍ତି ସଙ୍କେତ । ଯାହାକୁ ନେଇ ସେ ଓ ତାଙ୍କ ପରିବାର ତଥା ଦେଶ ପାଇଁ ଗର୍ବ ଗୌରବ ଆଣିପାରିଛନ୍ତି ।
ଗତ କିଛିଦିନ ପୂର୍ବେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସଙ୍କେତଙ୍କ ଭଉଣୀ କାଜଲ ସର୍ଗର ସ୍ୱର୍ଣ୍ଣ ଜିତିଥିଲେ । ସଙ୍କେତଙ୍କ ପିତା ମହାଦେବ ନିଜ ଜୀବନରେ ବହୁ ସଂଘର୍ଷ କରି ତାଙ୍କ ପିଲାଙ୍କୁ ଜୀବନରେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇ ଆସୁଥିଲେ। ଯାହାର ସୁଫଳ ଏବେ ତାଙ୍କୁ ମିଳିପାରିଛି । ତେଣୁ ଉଭୟ ପୁଅ ଓ ଝିଅ ଜିତିଥିବା ପଦକକୁ ଦୋକାନରେ ଝୁଲାଇବେ ବୋଲି କହିଛନ୍ତି ମହାଦେବ ।
ଗୁରୁରାଜ ପୂଜାରୀ ୨୦୧୮ ମସିହା ଗୋଲ୍ଡକୋଷ୍ଟ କ୍ରୀଡ଼ାରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ । ସେହି ସମୟରେ ସଙ୍କେତ ଏହାର ସିଧା ପ୍ରସାରଣ ଦେଖିଥିଲେ । ଯାହା ପରେ ସେ ନିଶ୍ଚିତ କରିଥିଲେ କି - 'ଦିନେ ମୁଁ ବି ଏଭଳି ପଦକ ଜିତିବି' । ଯାହାର ପ୍ରାୟ ୪ ବର୍ଷ ପରେ ତାହା ବାସ୍ତବତାରେ ପରିଣତ କରିଦେଖାଇଛନ୍ତି ସଙ୍କେତ ।
ସଙ୍କେତ୍ ୨୦୧୭ ମସିହାରେ ମହାରାଷ୍ଟ୍ର କନିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି କ୍ରିଡା କ୍ଷେତ୍ରରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଯାହା ପରେ ସେ ମୟୂର ସିଂହାସନଙ୍କଠାରୁ ପ୍ରଶିକ୍ଷଣ ନେଇ ନିଜକୁ ଏକ ଦକ୍ଷ ଖେଳାଳୀ ଭାବେ ପ୍ରସ୍ତୁତ କରିଥିଲେ ।
ସୂଚନାଅନୁସାରେ, ବର୍ମିଂହାମରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିଲେ ଯୁବ ଭାରତ୍ତୋଳକ ସଙ୍କେତ ସାଗର । ସେ ୫୫ କେଜି ବର୍ଗରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି । ସମୁଦାୟ ୨୪୮ କେଜି ଭାର ଉଠାଇ ସେ ଏହି ପଦକ ହାସଲ କରିଛନ୍ତି । ସ୍ନାଚରେ ୧୧୩ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୩୫ କିଲୋ ଉଠାଇ ସେ ରୌପ୍ୟ ପଦକ ପାଇଛନ୍ତି ।