ଏଠି ବର୍ଷା ୪ ମାସ ଘରୁ ବାହାରିବା ମନା.. ପିଲାମାନେ ବି ଯାଆନ୍ତିନି ସ୍କୁଲ

ନିର୍ବାଚନ ଆସିଲେ ଏ ଦୁଇ ଅପନ୍ତରା ଇଲାକାରେ ନେତାଙ୍କ ପାଦ ପଡେ । ଢେର ପ୍ରତିଶ୍ରୁତି ବି ମିଳେ । ହେଲେ ନିର୍ବାଚନ ସରିଗଲେ, ଯଥା ପୂର୍ବଂ ତଥା ପରଂ ।

Bridge Problem

ବର୍ଷା ଆସିଲା, ଦୁଃଖ ଆଣିଲା । କେଉଁଠି ଲୋକଙ୍କ ବାଟ ଓଗାଳିଲା ଭରା ନଈ ତ କେଉଁଠି, ଅଧପନ୍ତରିଆ ସେତୁ ବଢଇଲା ଦୁଃଖ । ଉଦଳା ବ୍ଲକ ତେନ୍ତଳା ବାସିନ୍ଦାଙ୍କ ବିକାଶର ପ୍ରତିବନ୍ଧକ ସାଜିଛି ନୂଆଣିନାଳ । ସ୍ଥାୟୀପୋଲ ନଥିବାରୁ କେବଳ ବର୍ଷା କାହିଁକି, ବର୍ଷ ସାରା ଚାଲେ ବିପଦପୂର୍ଣ୍ଣ ଜୀବନଯାତ୍ରା ।

ସେପଟେ ଆସିକାର ଋଷିକୂଲ୍ୟା ନଦୀକୂଳିଆ ପାଇଁ ମଧ୍ୟ ଦୁର୍ଦ୍ଦଶା ନେଇଆସେ ବର୍ଷା । ବର୍ଷ ସାରା ନଈପାର ହୋଇ ଲୋକେ ଯାଆସ କରୁଥିବା ବେଳେ ବର୍ଷା ଆସିଲେ ସବୁ କିଛି ଠପ୍ । ଅତି ଜରୁରୀ ହେଲେ ୨ କିମି ରାସ୍ତା ବଦଳରେ ଯିବାକୁ ହୁଏ ୨୦ କିଲୋମିଟର ରାସ୍ତା । ବ୍ରିଜ ନିର୍ମାଣ ସରିଥିଲେ ମଧ୍ୟ ଆପ୍ରୋଚ ରୋଡ୍ ସଂଯୋଗ ହୋଇନଥିବାରୁ  କାମରେ ଆସୁନଥିବା ଅଭିଯୋଗ ହୋଇଛି ।

ମୟୂରଭଂଜ ଜିଲ୍ଲା ଉପାନ୍ତ ଅଞ୍ଚଳରେ ରହିଛି ତେନ୍ତଳା ଗାଁ । ଏଠାରେ ରହୁଛନ୍ତି ୫୦ରୁ ଅଧିକ ପରିବାର । ବର୍ଷା ସାରା ନଈ ପାରହୋଇ ଯାଆସ କରୁଥିବା ଗାଁ ଲୋକଙ୍କ ପାଇଁ ଦୁର୍ଦ୍ଦଶା ନେଇଆସିଛି ବର୍ଷା । ଅସରାଏ ବର୍ଷା ହେଲେ ନୂଆଣିନାଳ ଫୁଲୁଥିବାରୁ ଯାଆସ କରିବାରେ ଦେଖାଦେଲାଣି ସମସ୍ୟା । ଏପରିକି ବର୍ଷା ଦିନେ କାହାର ଦେହ ଖରାପ ହେଲେ ଭରାନଈ ପାର କରି ଯିବାକୁ ପଡେ । ସେହିପରି ବର୍ଷା ୪ ମାସ ପିଲାଙ୍କ ପାଠପଢାରେ ବି ଲାଗିଥାଏ ଡୋରୀ । ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଥିବା ବେଳେ ସ୍ଥାନୀୟ ପ୍ରଶାସନକୁ ପୋଲଟିଏ ନିର୍ମାଣ ପାଇଁ ବାରମ୍ବାର ଅନୁରୋଧ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ।

ସେହିଭଳି ଆସିକାର ଋଷିକୂଲ୍ୟା ନଈକୂଳିଆଙ୍କ ସମସ୍ୟା ବଢାଇଛି ପ୍ରଶାସନିକ ଅବହେଳା । ଋଷିକୂଲ୍ୟା ଉପରେ ନିର୍ମାଣଧୀନ ବ୍ରିଜର ଆପ୍ରୋଚ ରୋଡ୍ ନିର୍ମାଣ ହୋଇନଥିବାରୁ, ଜୀବନକୁ ବାଜି ଲଗାଇ ଯାଆସ କରୁଛନ୍ତି ଲୋକ । ବ୍ରିଜ୍‌ଟି ଲୋକଙ୍କ କାମରେ ଆସୁନଥିବା ବେଳେ, ଦୁଇ କିଲୋମିଟର ରାସ୍ତାପାଇଁ ୨୦ କିଲୋମିଟର ବୁଲିବାକୁ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଜମି ଅଧଗ୍ରହଣରେ ସମସ୍ୟା ଥିବାରୁ ଆପ୍ରୋଚ ରୋଡ୍ ତିଆରି ହୋଇନଥିବା କହିଛନ୍ତି ବିଭାଗୀୟ ଅଧିକାରୀ । ତେବେ ଖୁବଶୀଘ୍ର ସମସ୍ୟାର ସମାଧାନ କରି ଆପ୍ରୋଚ୍ ରୋଡ୍ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।