Heat Wave
ଅସହ୍ୟ ତାତି ସାଙ୍ଗକୁ ଗୁଳଗୁଳି, ତା ସାଙ୍ଗକୁ ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ଜନ ଜୀବନ । ଅତି ଆବଶ୍ୟକ ହେଲେ ଘରୁ ବାହାରକୁ ବାହାରୁଛନ୍ତି ଲୋକେ । ସାଙ୍ଗରେ ଛତା, ପାଣି ବୋତଲ ଭଳି ନାନା ଜିନିଷ ମଧ୍ୟ ରଖୁଛନ୍ତି । ମାତ୍ର ନିରୀହ ପଶୁପକ୍ଷୀଙ୍କ କଷ୍ଟ କିଏ ପଚାରେ । କଥା କହି ପାରୁନଥିବା ଜୀବଙ୍କ କଷ୍ଟକୁ ଅନୁଭବ କରି ସେମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରୁଛନ୍ତି କିଛି ଯୁବଗୋଷ୍ଠୀ ।
ସ୍ଥାନେ ସ୍ଥାନେ ରଖିଛନ୍ତି ବଡ ବଡ ଜଳ କୁଣ୍ଡ । ଅଟୋରେ ଏଗୁଡିକୁ ବୋହି ଆଣି ବିଭିନ୍ନ ସ୍ଥାନରେ ରଖୁଛନ୍ତି କିଛି ଯୁବକ । ଯେଉଁଥିରୁ ଗୋରୁ ଗାଈ, କୁକୁର, ପକ୍ଷୀ ଆସି ପାଣି ପିଉଛନ୍ତି । ଭଦ୍ରକ ଜିଲ୍ଲାରେ ଏଭଳି ନିଆରା ପ୍ରୟାସ କରିଛନ୍ତି ଏକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ । ପ୍ରବଳ ତାତିରେ କେଉଁଠି ଗଛ ତଳେ, କେଉଁଠି ଗାଡି ତଳେ ଆଶ୍ରୟ ନେଉଛନ୍ତି ଜୀବଜନ୍ତୁ । ଗାଡିଆ, ପୋଖରୀ, ନାଳ ଶୁଖିଲା ପଡିଥିବା ବେଳେ ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି ଜନ୍ତୁ । ତେଣୁ ସେମାନଙ୍କ ସୁବିଧା ପାଇଁ ସଂଗଠନ କରୁଥିବା ଏଭଳି କାର୍ଯ୍ୟକୁ ଚାରିଆଡୁ ପ୍ରଶଂସା ମିଳୁଛି ।
ସେପଟେ ନୂଆପଡା ଜିଲ୍ଲା ପାଟଦରା ଗାଁରେ ବି ପଶୁପକ୍ଷୀଙ୍କ ପାଇଁ ଆଗେଇ ଆସିଛନ୍ତି ଗାଁର ଯୁବକ ସଂଘ । ହାତରେ କୋଡି କୋଦାଳ ଧରି ଗାଁରେ ଥିବା ନଳକୂଅ ପାଖରେ ଗାତ ଖୋଳିଛନ୍ତି । ଯାହାଫଳରେ ନଳକୂଅର ପାଣି ଗାତରେ ସଞ୍ଚିତ ହୋଇରହିବ । ଯୁବକମାନେ ଗତ କିଛିଦିନ ହେବ ୧୫ରୁ ଅଧିକ ନଳକୂଅ ପାଖରେ ଏଇଭଳି ପାଣି ରହିବାର ବ୍ୟବସ୍ଥା କରିଛନ୍ତି । ଯାହାଫଳରେ ଗାଈଗୋରୁ, ଅନ୍ୟ ପଶୁପକ୍ଷୀ ଏଠାରୁ ପାଣି ପିଇପାରିବେ ।
ସେଇଭଳି ଢେଙ୍କାନାଳ ସହରକୁ ଲାଗିଥିବା ଜଙ୍ଗଲରେ ବୁଲି ବୁଲି ମାଟି ପାତ୍ରରେ ପାଣିର ସୁବିଧା କରୁଛନ୍ତି ୩ ଯୁବତୀ । ସବୁଦିନ ଏଇଭଳି ବିଭିନ୍ନ ଜଙ୍ଗଲ ଯାଇ ସେଠାରେ ବିଭିନ୍ନ ସ୍ଥାନରେ ପାଣି ରଖୁଥିବା ବେଳେ ଏଭଳି କାମ ଜାରି ରଖିବେ ବୋଲି ସେମାନେ କହିଛନ୍ତି ।
ଭଦ୍ରକରୁ ପାର୍ଥସାରଥୀ ନାୟକ ଏବଂ ନୂଆପଡାରୁ ମାୟାଧର ସରାଫଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Heat_Wave_1652269719.jpg)