• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବୋରୱେଲ ରେସ୍କ୍ୟୁ ଇତିହାସରେ ଓଡ଼ିଶା ପାଇଁ ବଡ଼ ଅଭିଜ୍ଞତା । ସଫଳ ହେଲା ଅଗ୍ନିଶମ ଓ ଓଡ୍ରାଫ୍ ଟିମର ପ୍ରାଣମୂର୍ଚ୍ଛା ଉଦ୍ୟମ । କାମ ଦେଲା ଭୁବନେଶ୍ୱରରୁ ଏୟାରଲିଫ୍ଟ ହୋଇଥିବା ଭିକ୍ଟିମ୍ ଲୋକେସନ କ୍ୟାମେରା । ନବଜାତ ଶିଶୁକନ୍ୟା ଉଦ୍ଧାର ହେବା ପରେ ଚାରିଆଡ଼େ ଖୁସିର ଲହରି । ତେବେ ୧୩ ଫୁଟ ତଳେ ୮ ଘଣ୍ଟା ଫସିରହିଥିବା ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିବା ଏତେଟା ସହଜ ନଥିଲା ରେସ୍କ୍ୟୁ ଟିମ୍ ପାଇଁ ।

ବୋରୱେଲଠୁ ଟିକିଏ ଦୂରରେ ଜେସିବିରେ ସମାନ୍ତରାଳ ଖାତ ଖୋଳାଯାଇଥିଲା । ଏହାପରେ ଏକ ଛୋଟିଆ ସୁଡ଼ଙ୍ଗ କରି ଲୁହା ପାଇପକୁ ଆରି ବ୍ଲେଡ ଓ ପରେ ମେସିନରେ କଟାଗଲା । ତେଣେ ଶିଶୁଟିକୁ ପାଇପ ଭିତରୁ ସୁରକ୍ଷିତ ଉଦ୍ଧାର କରିବା ଚ୍ୟାଲେଞ୍ଜିଂ ଥିଲା ବୋଲି କହିବା ସହ, ଉଦ୍ଧାରକାରୀ ଦଳକୁ ପ୍ରଶଂସା କରିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । ସେ କହିଛନ୍ତି, କିପରି ପାଇପ କାଟିଲେ ଶିଶୁର କ୍ଷତି ହେବନି, କାଟିଲା ବେଳେ ଶିଶୁଟି ଯେପରି ତଳକୁ ଖସି ନ ଯାଏ, ଲୁହା ପାଇପ ଯେପରି ତାତି ନଯାଏ ଏସବୁ ଉପରେ ନଜର ରଖାଯାଇଥିଲା ।

ପାଇପ ଭିତରକୁ ନିରନ୍ତର ଅକ୍ସିଜେନ ଛଡ଼ାଯାଉଥିଲା ଏବଂ ଶିଶୁଟିକୁ ଉଷୁମ ରଖିବା ପାଇଁ ୧୦୦ ୱାଟ୍ ଇଲେକ୍ଟ୍ରି ବଲ୍ ତଳକୁ ଛଡ଼ାଯାଇଥିଲା । ଏଥିସହ ସେ କହିଛନ୍ତି ଯେ, ପିଲାଟିର କାନ୍ଦ ଉଦ୍ଧାରକାରୀ ଦଳକୁ ବେଶି ଉତ୍ସାହିତ କଲା ଏବଂ ବିଶେଷକରି ସ୍ୱତନ୍ତ୍ର ବିମାନରେ କ୍ୟାମେରା ଯିବା ସହାୟକ ହେଲା ।

ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ପ୍ରତିଟି ଜୀବନ ମୂଲ୍ୟବାନ । ସମ୍ବଲପୁରର ରେଙ୍ଗାଲିରେ ନବଜାତକ ଶିଶୁ ସୁରକ୍ଷିତ ଉଦ୍ଧାର ହେବା ଅତ୍ୟନ୍ତ ଖୁସିର ବିଷୟ । ଅମୂଲ୍ୟ ଜୀବନଟିକୁ ରକ୍ଷା କରିବା ପାଇଁ ଉତ୍ସର୍ଗୀକୃତ ଓ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ଅଗ୍ନିଶମ ବାହିନୀ, ଓଡ୍ରାଫ, ପୋଲିସ, ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ହୃଦୟରୁ ସାଧୁବାଦ ଜଣାଉଛି ।

  • Reported by:
  • SANJAY JENA