• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରହ୍ମଗିରି, କେନ୍ଦ୍ରାପଡା, ଆଳି (ରବିନାରାୟଣ ପୂଜାରୀ, ମନୋଜ ସ୍ୱାଇଁ,ବନମାଳି ସାହୁ) : ଚାଷୀଙ୍କ ଉପରେ ଦାଉ ସାଜିଛି ଲଘୁଚାପ ଜନିତ ବର୍ଷା । ଅଦିନିଆ ବର୍ଷାରେ ଉଜୁଡି ଯାଇଛି ଚାଷୀଙ୍କ ପାଚିଲା ଧାନ ଖେତ । ପ୍ରଥମେ ବର୍ଷା ଅଭାବ ପରେ ବନ୍ୟା, ଆଉ ଏବେ ଫସଲ ଅମଳ ପୂର୍ବରୁ ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ଏବଂ କେନ୍ଦ୍ରାପଡା ଅଞ୍ଚଳର ଚାଷୀଙ୍କର ଦୁଃଖ ବଢ଼େଇ ଦେଇଛି ଲଘୁଚାପ ଜନିତ ବର୍ଷା ।

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ଅଞ୍ଚଳରେ ଉଜୁଡି ଯାଇଛି ଚାଷୀଙ୍କ ପାଚିଲା ଧାନ ଖେତ । ଅମଳ ହେବାକୁ ଥିବା ଧାନ ସବୁ ପାଣିରେ ବୁଡି ରହିଛି । ଗଜା ହେବାକୁ ବସିଲାଣି ଧାନ । ଅଦିନିଆ ଲଘୁଚାପ ବର୍ଷା ଯୋଗୁ ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି । ହଜାର ହଜାର ଟଙ୍କା ଧାର କରଜ କରି ଚାଷୀ କରିଥିଲା ଚାଷ ହେଲେ ଅମଳ ପୂର୍ବରୁ ସବୁ ଧାନ ନଷ୍ଟ ହୋଇଗଲା । କେଉଁଠି ଧାନ ଖେତରେ ଆଣ୍ଠୁଏ ଆଣ୍ଠୁଏ ପାଣି ତ ଆଉ କେଉଁଠି କଟାଯାଇଥିବା ଧାନ ଉପରେ ପାଣି ଜମି ରହିଛି । ତଥାପି ଆଶା ଛାଡିନି ଚାଷୀ ପାଣିରୁ ଛାଙ୍କି ଆଣି ବର୍ଷ ଯାକର ଧାନ ଶୁଖାଉଛି ଚାଷୀ । ଏପରି ସ୍ଥିତିରେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଚାଷୀ ।

କେନ୍ଦ୍ରାପଡା ଜିଲ୍ଲାର ଚାଷୀଙ୍କ ମଧ୍ୟ ସମାନ ଅବସ୍ଥା । ଶହ ଶହ ଏକର ଚାଷ ଜମିରେ ମାଡିଯାଇଛି ବର୍ଷା ପାଣି ଚାଷ ଜମିରେ ପଡ଼ି ରହିଛି ବର୍ଷକର ଆହାର । ଚାଷୀ ଆଉ କିଛି ଦିନ ପରେ ଅମଳ କରିଥାନ୍ତା ଧାନ । ତେବେ ଅଦିନିଆ ଲଘୁଚାପ ଜନିତ ବର୍ଷା ଯୋଗୁଁ ଧାନ ଫସଲ ଏବେ ପାଣିରେ ଭାସୁଛି । ପଚି ଷଢ଼ି ନଷ୍ଟ ହେବାକୁ ବସିଛି । ଖାଲୁଆ ଜମିରେ ଜଳ ନିଷ୍କାସନର କୌଣସି ସୁବିଧା ନଥିବାରୁ ଧାନ ଫସଲ ବିଲରେ ଗଜା ହୋଇଯିବ ବୋଲି ଚାଷୀ କହିଛନ୍ତି ।

ସେହିପରି ରାଜକନିକା ବ୍ଲକ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଏହି ବ୍ଲକର ଦେଉଳତରା, ନମତରା, ହାଟସାହି, କାଟଣା ଆଦି ପଞ୍ଚାୟତ ଅଞ୍ଚଳରେ ବର୍ଷା ଯୋଗୁ ଧାନ ସବୁ ଗଜା ହେବାକୁ ବସିଲାଣି । କିଭଳି ଚାଷୀ ତାର ପରିବାର ପ୍ରତିପୋଷଣ କରିବ, ସେହି ଚିନ୍ତା ଘାରିଛି । କେବଳ କେନ୍ଦ୍ରାପଡା କି ପୁରୀ ଜିଲ୍ଲା ନୁହେଁ, ଲଘୁଚାପ ବର୍ଷା କାରଣରୁ ରାଜ୍ୟର ଅଧିକାଂଶ ଜିଲ୍ଲାର ଚାଷୀଙ୍କୁ ଘାରିଛି ଚିନ୍ତା ।