Advertisment

ଉପାନ୍ତରୁ ଉପକୂଳ ନିର୍ଧୁମ ଛେଚୁଛି ! ଭୁଶୁଡ଼ିଲା ଘର, ଉପୁଡ଼ିଲା ଗଛ..

ଭୁବନେଶ୍ୱର, କଟକ ସମେତ ଉପକୂଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ । ଆହୁରି ୩ ଦିନ ଯାଏଁ ୧୦ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ ।

Heavy Rain

Heavy Rain

Advertisment

ବଙ୍ଗୋପସାଗରରେ ଲଘୁଚାପ ଦୁର୍ବଳ ହୋଇଛି ସତ, ହେଲେ ଘୁର୍ଣ୍ଣିବଳୟ କିନ୍ତୁ ଘାଣ୍ଟି ପକାଉଛି । ରାଜ୍ୟର ଉପାନ୍ତରୁ ଉପକୂଳ ଯାଏଁ ରହି ରହି ବର୍ଷା କାଚୁଛି । କେଉଁଠି ଅସରାଏ ତ ଆଉ କେଉଁଠି ନିର୍ଧୂମ ଛେଚୁଛି । ବିଭିନ୍ନ ସ୍ଥାନରେ ଗରିବ ଗୁରୁବାଙ୍କ ଘର ଭୁଶୁଡ଼ିଛି । ଗଛପଡ଼ି ରାସ୍ତା ବି ଅବରୋଧ ହୋଇଛି । କୋରାପୁଟ୍‌ରୁ କେଉଁଝର, ଗଜପତିରୁ ବାଲେଶ୍ୱର । ଆଜି ଦିନ ତମାମ ଟୁଇନ୍‌ସିଟି ସମେତ ପ୍ରାୟ ୧୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନାକେଦମ୍ କରିଛି ଲୋକଙ୍କୁ । ଏଭଳି ବର୍ଷା ଆଉ ୩ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Advertisment

ରୁକ୍ମିଣୀ ମହାନ୍ତ । କେନ୍ଦୁଝର ନରଣପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗାଁର ଅସହାୟ ବିଧବା ମହିଳା । ବୟସର ଅପରାହ୍ନରେ ଭରସା କହିଲେ, ଛୋଟିଆ ଘରଟିଏ । ହେଲେ ମୂଷଳ ଧାରାର ବର୍ଷା ଭାଙ୍ଗିଦେଇଛି ତାଙ୍କ ଘରଦ୍ୱାର । ଗତ ରାତିରେ ଶୋଇଥିବା ଅବସ୍ଥାରେ ଭୁଶୁଡ଼ି ପଡ଼ିଛି ଘରର କାନ୍ଥ । ସୌଭାଗ୍ୟକୁ ଜୀବନ ବଞ୍ଚିଯାଇଛି । ବର୍ତ୍ତିଯାଇଛନ୍ତି ତାଙ୍କର ଗୃହପାଳିତ ପଶୁ । କିନ୍ତୁ ଏକପ୍ରକାର ବାସହରା ହୋଇଯାଇଛନ୍ତି ରୁକ୍ମିଣୀ ।

ଅନ୍ୟପଟେ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଲଗାଣ ବର୍ଷାରେ, ମାଟିରେ ମିଶିଯାଇଛି ପିଲାଙ୍କ ସ୍କୁଲ ପାଚେରୀ । ଲିଲିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଭାଙ୍ଗି ଜଣଙ୍କ ଧାନ କିଆରୀରେ ପଡ଼ିଛି । ଆଶ୍ୱସ୍ତିକର କଥା ହେଉଛି, ଦଶହରା ପାଇଁ ସ୍କୁଲ ଛୁଟିଥିବାରୁ କୌଣସି ବଡ଼ ଅଘଟଣ ଘଟିନାହିଁ ।

Advertisment

ଗତ ଦୁଇଦିନ ହେଲା ଗଜପତି ଜିଲ୍ଲାରେ ନିର୍ଧୂମ ବର୍ଷା ହେଉଛି । ବର୍ଷା ମାଡ଼ରେ ନୂଆଗଡ଼ ବ୍ଲକ ପାତ୍ରପୁର ଗାଁ ନିକଟରେ ବିରାଟକାୟ ଗଛ ଉପୁଡ଼ିଥିବାରୁ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ରହିଥିଲା । ଅଗ୍ନିଶମ ବାହିନୀ ଗଛକୁ କାଟି ଅବରୋଧ ହଟାଇଥିଲେ । କେବଳ ଗଜପତି ନୁହେଁ, କୋରାପୁଟରେ ତ ବର୍ଷା ଥମିବାର ନାଁ ଧରୁନି । ରହି ରହି ମୂଷଳଧାରାରେ ବର୍ଷିଚାଲୁଛି ବର୍ଷା ।

ଉପାନ୍ତରୁ ଉପକୂଳ ଯାଏଁ ପ୍ରାୟ ୧୦ଟି ଜିଲ୍ଲାରେ ଆଜି ବର୍ଷା ହୋଇଛି । ଟୁଇନ୍‌ସିଟିରେ ଆଜି ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟର ତୀବ୍ରତାରେ ବର୍ଷିଛି ଘୁର୍ଣ୍ଣବଳୟ ଜନିତ ବର୍ଷା । ଫଳରେ ବାଦାମବାଡ଼ି ଅଞ୍ଚଳର ରାସ୍ତାଘାଟରେ ସୁଅ ଛୁଟୁଥିଲା ବର୍ଷା ପାଣି । ସେହିଭଳି ଭୁବନେଶ୍ୱରରେ ମଧ୍ୟ ପ୍ରଭାବିତ ହୋଇଥିଲା ଜନଜୀବନ ।

Advertisment

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଦୁର୍ବଳ ହୋଇଯାଇଛି । କିନ୍ତୁ ଆନ୍ଧ୍ର ଉପକୂଳ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଆଜି ବି ଦକ୍ଷିଣ ଏବଂ ଉପକୂଳବର୍ତ୍ତୀ ଓଡ଼ିଶାରେ ବର୍ଷାର ତୀବ୍ରତା ଲାଗିରହିବ ।

ଏଭଳି ବର୍ଷା ଆସନ୍ତା ପ୍ରାୟ ୩ ଦିନ ଯାଏଁ ହେବ । ସମ୍ଭାବ୍ୟ ବର୍ଷାକୁ ଦେଖି ଆସନ୍ତାକାଲି ସକାଳ ଯାଏଁ ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଅନୁଗୁଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଏବଂ ଆସନ୍ତାକାଲି ସକାଳଠୁ ୧୦ ତାରିଖ ସକାଳ ଯାଏଁ ୫ଟି ଜିଲ୍ଲା ଯଥା ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Rain Weather News Monsoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ