• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୃଦ୍ଧବୃଦ୍ଧା, ବିଧବା, ଅସହାୟ ଓ ଭିନ୍ନକ୍ଷମ ମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ ସରକାର ମାସିକିଆ ଭତ୍ତାଦେବାର ବ୍ୟବସ୍ଥା କରିଛନ୍ତି । ପୂର୍ବରୁ ଏହି ଯୋଜନାରେ ହିତାଧିକାରୀଙ୍କୁ ହାତରେ ଭତ୍ତା ଦିଆଯାଉଥିଲା । ହେଲେ ବଣ୍ଟନ ବ୍ୟବସ୍ଥାକୁ ସ୍ଵଚ୍ଛ କରିବା ଓ ବୃଦ୍ଧବୃଦ୍ଧାଙ୍କ ପଥକଷ୍ଟ ଦୂରକରିବା ପାଇଁ ହିତାଧିକାରୀଙ୍କ ଜମାଖାତା ଜରିଆରେ ସିଧାସଳଖ ଭତ୍ତାର ସହାୟତା ଦେବାକୁ ସରକାର ନିୟମ କଲେ । ହେଲେ ବ୍ୟତିକ୍ରମ ହେଲା ବର୍ତ୍ତମାନ ଅନଲାଇନ ବ୍ୟବସ୍ଥା ଯୋଗୁଁ ବହୁ ହିତାଧକାରୀ କଲବଲ ହେଉଛନ୍ତି । କାହାର ଜମାଖାତାକୁ ଜମାରୁ ଟଙ୍କା ଯାଉନି, ଆଉ କାହାକୁ ମାସେ ପାଇବା ପରେ ମିଳୁନି । ଟଙ୍କା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଳକ ଆଉ ବ୍ଳକରୁ ବ୍ୟାଙ୍କ ଧାଉଁଛନ୍ତି ହିତାଧିକାରୀ । ସରକାରଙ୍କ ସହାୟତା ଟଙ୍କା ଟିକକ ପାଇବା ପାଇଁ ବୃଦ୍ଧବୃଦ୍ଧା ବାର ଦୁଆର ହେଉଛନ୍ତି ।

ବାସୁଦେବପୁର ବ୍ଲକ କରଞ୍ଜଆଡିଆ ପଞ୍ଚାୟତ ପୁରୁଷୋତ୍ତମପୁର ଗାଁର ହିତାଧିକାରୀ ମଞ୍ଜୁଲତା ସାହୁ । ବୟସ ୬୨ ହେବ । ଗତବର୍ଷ କରୋନାରେ ତାଙ୍କ  ସ୍ୱାମୀ ଆରପାରିକୁ ଚାଲିଗଲେ । ପାଖରେ ଏବେ ୩ଟି ଝିଅ । ବହୁ କଷ୍ଟରେ ଅଭାବରେ ପରିବାରକୁ ଚଳାଉଛନ୍ତି । ଗତ ବର୍ଷ ଅଗଷ୍ଟ ମାସରୁ ନୂଆ ଭତ୍ତା ହୋଇଥିଲା, ଖାତା ମଧ୍ୟ ମିଳିଛି । ବ୍ୟାଙ୍କ ମାଧ୍ୟମରେ ସିଧାସଳଖ ଭତ୍ତା ସହାୟତା ନେବାପାଇଁ ଜମାବହିର ନମ୍ବର ମଧ୍ୟ ଦେଇଥିଲେ । ହେଲେ ୫ମାସ ଗଲାଣି ବ୍ୟାଙ୍କ ଖାତାକୁ ଟଙ୍କା ଆସୁନି । ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ କହୁଛନ୍ତି, ବ୍ୟସ୍ତ ହୁଅନି ଟଙ୍କା ଆସିଯିବ; ନହେଲେ ବ୍ଳକରେ ଦେଖ । ବ୍ଳକ କହୁଛି ବ୍ୟାଙ୍କ ଜମାବହି ଚେକ କର । ବ୍ୟାଙ୍କ ଗଲେ କହୁଛନ୍ତି ଅର୍ଥ ଆସିନାହିଁ । ଅଭାବୀ ବୃଦ୍ଧା ଜଣକ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ, ପୁଣି ବ୍ଲକଠୁ ବ୍ୟାଙ୍କ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ହେଲେ ଭତ୍ତା ଟଙ୍କା ପାଇ ପାରୁ ନାହାନ୍ତି ।

ସେହିପରି ବରଣ୍ଡୁଆ ପଞ୍ଚାୟତ ଚନ୍ଦନପୁର ଗାଁର ହିତାଧିକାରୀ ବିଧବା ବୃଦ୍ଧା ଶାନ୍ତିଲତା ବିଶ୍ୱାଳ । ବୟସ ପାଖାପାଖି ୭୪ ହେବ । ଆଖିକୁ ଭଲ ଦେଖାଯାଉନି କି କାନକୁ ଠିକରେ ଶୁଭୁନାହିଁ । ନିଜର ବୋଲି କେହି ନାହାନ୍ତି । ଏକାକୀ ଗାଁ ମୁଣ୍ଡରେ ଏକ ସରକାରୀ ଜମିରେ ରହୁଛନ୍ତି । ରାସନ କାର୍ଡରେ ମିଳୁଥିବା ଚାଉଳ ଆଉ ମାସିକିଆ ବାର୍ଦ୍ଧକ୍ୟ ଭତ୍ତାରେ ଦୁଃଖକଷ୍ଟରେ ଚଳିଯାଉଥିଲେ । ସରକାର ଅନଲାଇନ ଜରିଆରେ ଭତ୍ତା ଦେବାକୁ ନିୟମ କରିବା ପରେ ବ୍ୟାଙ୍କ ଜମାବହିର ନକଲ ଦେଇଥିଲେ । ମାତ୍ର ଗୋଟିଏ ମାସ ତାଙ୍କ ଜମା ବହିକୁ ଭତ୍ତା ବାବଦରେ ୫୦୦ଟଙ୍କା ଆସିଥିଲା । ହେଲେ ଗତ ଅକ୍ଟୋବର ଠାରୁ ଆଉ ଭତ୍ତା ଟଙ୍କା ବ୍ୟାଙ୍କ ଖାତାକୁ ଆସୁନି ।

ଟଙ୍କା ଆସୁନଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ ସହ ବ୍ଲକରେ ମଧ୍ୟ ଯାଇ ଅଭିଯୋଗ କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କେବଳ ହୋଇଯିବାର ପ୍ରତିଶ୍ରୁତି ପାଇ ନିରାଶ ହୋଇଥିବା କହିଛନ୍ତି । ହିତାଧିକାରୀଙ୍କ ଏହି ସମସ୍ୟାକୁ ନେଇ ବାସୁଦେବପୁର ବିଡ଼ିଓ କହିଛନ୍ତି, ପ୍ରତିମାସ ଟଙ୍କା ଯାଉଛି । ସେମାନଙ୍କର ଜମାବହି ବନ୍ଦ ଅଛି କି ଆଉ କ’ଣ ସମସ୍ୟା ରହିଛି ନିଶ୍ଚିତ ଦୃଷ୍ଟି ଦିଆଯିବ । ଯଦି ଭତ୍ତା ସହାୟତା ପାଇନଥିବେ ତେବେ ତୁରନ୍ତ ଦୃଷ୍ଟି ଦିଆଯିବ ।

ତେବେ ଖାଲି ଶାନ୍ତିଲତା କି ମଞ୍ଜୁଲତା ନୁହଁନ୍ତି, ବ୍ଲକର ବହୁ ହିତାଧିକାରୀ ଏହି ଅଡୁଆରେ ଛନ୍ଦି ହୋଇଛନ୍ତି । ବ୍ୟାଙ୍କ ଜମା ଖାତାକୁ ଟଙ୍କା ଆସୁନଥିବାରୁ ପରିଣତ ବୟସରେ ଭତ୍ତା ଟିକକ ପାଇଁ ବାରଦ୍ଵାର ହେଉଛନ୍ତି ।

ବାସୁଦେବପୁରରୁ କିରୀଟି ଦାସଙ୍କ ରିପୋର୍ଟ