• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସୁନ୍ଦରଗଡ ରମ୍ପିଆ କୋଲ ବ୍ଲକରେ ଚାଲିଛି ହରିଲୁଟ୍

  • ରାତି ବଢ଼ିଲେ କୋଇଲା ଆସେ ଟ୍ରାକ୍ଟର ଓ ଟ୍ରକ୍

କଳାହୀରାର କଳା କାରବାର । ଦିନରେ ବେଧଡ଼କ୍ ଖୋଳା ଚାଲେ, ଆଉ ରାତି ଅନ୍ଧାରରେ ପଡୋଶୀ ରାଜ୍ୟକୁ ଚାଲାଣ ଚାଲିଛି ଶହ ଶହ ଟନ୍ କୋଇଲା । ଦୀର୍ଘ ୬ମାସ ହେଲାଣି ଏମିତି ମାଫିଆଙ୍କ ରାଜ୍ ଚାଲିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ରମ୍ପିଆ କୋଲ ବ୍ଲକରେ । ଚାଲାଣକାରୀ ମାଲେମାଲ୍, ହେଲେ ଅଭିଯୋଗ ହେଉଛି ଖଣି ବିଭାଗ କି ପୋଲିସ୍ ସମସ୍ତେ ସବୁ ଜାଣି ଚୁପ୍ ।

ସୁନ୍ଦରଗଡ଼ ରମ୍ପିଆ କୋଲ ବ୍ଲକର ଘୋଘରପାଲିର ନିଛାଟିଆ ଅଞ୍ଚଳରେ ଟନ୍ ଟନ୍ କୋଇଲା ଥୁଆ ହୋଇଛି । ବେଆଇନ୍ ଭାବେ ଖନନ କରାଯାଇ ସବୁ ଖୋଳା ହୋଇଛି । ଦିନବେଳା ଶ୍ରମିକ ଲଗାଇ ମାଫିଆ ଖୋଳୁଛନ୍ତି, ଆଉ ରାତି ହେଲେ ଛତିଶଗଡ଼କୁ ଚାଲୁଛି ଚାଲାଣ । ସକାଳ ଯାଏଁ ଟ୍ରକ ଟ୍ରକ୍ କୋଇଲା ବୁହା ଚାଲିଛି । କୋଇଲା ଚୋରି ପାଇଁ କେମିତି ମାଫିଆ ଖୋଲିଛନ୍ତି ଚୋରା ବାଟ, ଅନ୍ଧାର ରାତିରେ ସେଇ ବାଟ ଦେଇ ହେଉଛି ଚାଲାଣ । ଜଙ୍ଗଲ ଭିତରେ ପାଖାପାଖି ୫କିଲୋମିଟର ଯିବା ପରେ ପହଞ୍ଚିହୁଏ କୋଇଲା ଗଦା ପାଖରେ ।

ଖୋଳା ହୋଇ ରହିଥାଏ ଶହ ଶହ ଟନ୍ କୋଇଲା, କେହି କୁଆଡ଼େ ନଥାନ୍ତି । ହେଲେ ପାଖ ଗାଁ ଲୋକଙ୍କ ସୂଚନା ଅନୁସାରେ ରାତି ବଢ଼ିଲେ ଆସିଯାଏ ଟ୍ରାକ୍ଟର ଓ ଟ୍ରକ୍ । ଛତିଶଗଡ ସୀମା ସୁନ୍ଦରଗଡ ହେମଗିରି ପୋଡାଜଳଙ୍ଗା ଜଙ୍ଗଲଟି ରମ୍ପିଆ କୋଲବ୍ଲକ ଅଧୀନରେ ଆସୁଛି, ଯାହାକି ୱେଷ୍ଟର୍ଣ୍ଣ କୋଲ ଲିମିଟେଡ୍ ବା ଡବ୍ଲୁ୍ୟସିଏଲକୁ ହସ୍ତାନ୍ତର ହୋଇଛି । ତେବେ ଜମି ଅଧିଗ୍ରହଣ ସମସ୍ୟା ତୁଟି ନଥିବାରୁ ଏହାର ଭରପୁର ଫାଇଦା ଉଠାଉଛନ୍ତି ମାଫିଆ ।

ମାତ୍ର ୨ରୁ ୩ ଫୁଟ ମାଟି ଖୋଳିଦେଲେ କୋଇଲା ବାହାରୁ ଥିବାରୁ ଅତି ସହଜରେ କୋଇଲା ଖନନ କରି ମନଇଚ୍ଛା କରୁଛନ୍ତି ଚାଲାଣ । ପଡ଼ୋଶୀ ରାଜ୍ୟର ଇଟାଭାଟି ଓ ଶିଳ୍ପସଂସ୍ଥାକୁ ଯାଉଥିବା ଏ କୋଇଲା ଚୋରିକୁ ସ୍ଥାନୀୟ ଲୋକେ ବିରୋଧ କଲେ ମାଫିଆ ଦେଖାଉଛନ୍ତି ନାଲି ଆଖି ।

ସୂଚନା ଅନୁସାରେ ୧୯୯୨ ମସିହାରେ ସୁନ୍ଦରଗଡ଼ ଅଞ୍ଚଳରେ ୯ଟି କୋଲ ବ୍ଲକ ଚିହ୍ନଟ ହୋଇଥିଲା । ଯେଉଁଥିରୁ ଏମସିଏଲକୁ ୨ଟି ଏବଂ ଏନଟିପିସି ଓ ଓପିଟିସିଏଲକୁ ଗୋଟିଏ କୋଲ ବ୍ଲକ ଆବଣ୍ଟନ ପରେ କୋଇଲା ଖନନ ଚାଲିଛି । ତେବେ ଡବ୍ଲୁସିଏଲକୁ ଆବଣ୍ଟନ ହୋଇଥିବା ରମ୍ପିଆ କୋଲ ବ୍ଲକର ଜମି ଅଧିଗ୍ରହଣରେ ସମସ୍ୟା ରହିଛି, ଯାହାର ଫାଇଦା ଉଠାଉଛନ୍ତି ମାଫିଅଆ ।

ଏମିତିକି ସବୁଠୁ ଉନ୍ନତମାନର କୋଇଲା ବି ରହିଛି ଏହି ବ୍ଲକରେ । ତେଣୁ ଏଠି ପ୍ରଶ୍ନ ଦୀର୍ଘ ୬ମାସରୁ ଅଧିକ ସମୟ ଧରି କୋଇଲା ଚୋରି ଚାଲିଥିଲେ ବି କେମିତି ନୀରବଦ୍ରଷ୍ଟା ସାଜିଛି ଖଣି ବିଭାଗ ? ପୋଲିସ ଓ ପ୍ରଶାସନ ବି କାହିଁକି ଚୁପ୍ ବସିଛି ? କଣ ମାଫିଆଙ୍କ ସହ ଏମାନଙ୍କ ମଧୁଚନ୍ଦ୍ରିକା ରହିଛି କି ? ସୁନ୍ଦରଗଡ଼ ଏସପି କହିଛନ୍ତି ଦୁଇ ସପ୍ତାହ ତଳେ ଏ ସମ୍ପର୍କିତ ଅଭିଯୋଗ ପୋଲିସ ପାଇଛି, ଇତି ମଧ୍ୟରେ ଦୁଇଥର ରେଡ୍ ହେଲାଣି ଓ ଆଗକୁ ମଧ୍ୟ ଆକ୍ସନ ଜାରି ରହିବ ।ଏବେ ଅପେକ୍ଷା କଳାହୀରାର ଏ କଳା ବେପାରରେ କେବେ ଲାଗୁଛି ଲଗାମ୍ ।

ସୁନ୍ଦରଗଡ଼ରୁ ବିଜୟ ବରୁଆଙ୍କ ରିପୋର୍ଟ