ଏଇ ଅଳ୍ପଦିନ ତଳେ ଖବରକାଗଜରେ "ଉଡ୍ତା ଓଡିଶା" ନା'ରେ ଲେଖାର ଶୀର୍ଷକ ମୋର ଦୃଷ୍ଟି ଆକର୍ଷଣ କରିଥିଲା। ଶୀର୍ଷକଟି ପଢୁପଢୁ ମୋର ବଲିଉଡ୍ ମୁଭି "ଉଡ୍ତା ପଞ୍ଜାବ" ମନେପଡିଯାଇଥିଲା। ଆଉ ପଢିଲାରୁ ମୁଁ ଜାଣିପାରିଲି ଯେ, ଓଡ଼ିଶାରେ ବଢିଥିବା ନିଶା ସେବନ ପରିପ୍ରେକ୍ଷୀରେ ହିଁ "ଉଡ୍ତା ପଞ୍ଜାବ" ମୁଭିକୁ ମନେପକାଇ, ଲେଖକ ଶୀର୍ଷକଟି ବାଛିଥିଲେ।
ସେଥିରେ ଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ଓଡ଼ିଶାରେ ବାର୍ଷିକ ୭୦୦ କୋଟି ଟଙ୍କାର ବ୍ରାଉନ୍ ସୁଗର କାରବାର ହେଉଛି। ଓଡ଼ିଶାରେ ଏବେ ପାଖାପାଖି ୧ ଲକ୍ଷ ଯୁବକ-ଯୁବତୀ ସେହି ନିଶା କବଳରେ ଅଛନ୍ତି। ୨୦୨୧ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଦେଶରେ ସର୍ବାଧିକ ନିଶାସେବନକାରୀ ରାଜ୍ୟଙ୍କ ଭିତରେ ଓଡିଶାର ସ୍ଥାନ ତୃତୀୟ।
ସେମିତି ଏକ ଖବରକାଗଜରେ ଜୁନ୍ ୨୦୨୧ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଦର୍ଶାଯାଇଥିଲା ଯେ, ସର୍ବ ଭାରତୀୟ ଡାକ୍ତରୀ ବିଜ୍ଞାନ ପ୍ରତିଷ୍ଠାନର NDDTC ଦ୍ୱାରା ଦେଶର ୧୦ଟି ସହରରେ ଅଷ୍ଟମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ କରାଯାଇଥିବା ଗୋଟିଏ ସର୍ଭେ ଅନୁସାରେ ପାଖାପାଖି ୧୦.୩% ପିଲା ନିଶାଦ୍ରବ୍ୟ ସେବନ କରନ୍ତି (ଗଞ୍ଜେଇ, ଅଫିମ, ଚରସ୍, ହେରୋଇନ୍, ତମ୍ବାଖୁ, ମଦ ଯେକୌଣସିଟି ହୋଇପାରେ)।
ସର୍ଭେରୁ ଏହା ମଧ୍ୟ ସ୍ପଷ୍ଟ ହୋଇଥିଲା ଯେ ସେମାନଙ୍କ ଭିତରୁ ଅଧିକାଂଶ ପ୍ରାୟ ୧୧ ବର୍ଷ ବୟସ ସୁଧା Inhalants (ନାଶକରି ବା ଶୁଙ୍ଘିକରି ନାକ ଦ୍ୱାରା ନିଶା କରିବା) ଗୁଡିକର ବ୍ୟବହାର ଆରମ୍ଭ କରିଦେଇଥାନ୍ତି। କେବଳ ଗଞ୍ଜେଇ କିମ୍ବା ତମାଖୁ ନୁହେଁ ବର° ବିଭିନ୍ନ ପ୍ରକାରର ପେଣ୍ଟସ୍, ଅଠା, କ୍ଲିନି° ସ୍ପ୍ରେକୁ ମଧ୍ୟ ଏଥିପାଇଁ ବ୍ୟବହାର କରାଯାଏ (କିଶୋରମାନଙ୍କ ଦ୍ୱାରା ଡେନ୍ଡ୍ରାଇଟ୍ ଅଠାର ବ୍ୟବହାର ବିଷୟରେ ଆପଣମାନେ ନିଶ୍ଚିତ ଶୁଣିଥିବେ)। ସେମିତି ପ୍ରାୟ ୧୨ ବର୍ଷ ବୟସ ବେଳକୁ ଛାତ୍ରଛାତ୍ରୀମାନେ ଫାର୍ମାସ୍ୱିଟିକାଲ୍ ଓପଏଡ୍ର (ମର୍ଫିନ୍, ଫେଣ୍ଟାନିଲ୍) ବ୍ୟବହାର ଆରମ୍ଭ କରିଦେଇଥାନ୍ତି।
ସେହି ସର୍ଭେ ଅନୁସାରେ ୧୦.୩% ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪% ତମାଖୁ, ୩.୮% ମଦ୍ୟପାନ, ୨.୮% ଓପଏଡ (ଅଫିମ, ହେରୋଇନ୍, ଫାର୍ମାସ୍ୱିଟିକାଲ୍ ଓପଏଡ), ୨% କାନାବିସ୍ (ଗଞ୍ଜେଇ, ଭାଙ୍ଗ, ଚରସ୍) ଓ ୧.୯% ଇନହଲାଣ୍ଟସ୍ ବ୍ୟବହାର କରିଥାନ୍ତି। 'ଉଡ୍ତା ଓଡ଼ିଶା' ଓ NDDTC ଉଭୟ ହିଁ ସୂଚିତ କରୁଛନ୍ତି ଯେ ଆଜି ଆମ ଛାତ୍ରଛାତ୍ରୀମାନେ ଏଇ ନିଶାଦ୍ରବ୍ୟର ସ°ସ୍ପର୍ଶରେ ଆସିବା କେତେ ତୀବ୍ର ହୋଇଛି ଓ ଏହା କେତେ ସାଧାରଣ ହୋଇଯାଇଛି।
ଏମିତି ପରିସ୍ଥିତିରେ ମା'-ବାପାମାନଙ୍କ ଦାୟିତ୍ୱ ହିଁ ସବୁଠାରୁ ବେଶୀ ଅଧିକ। ଆଉ ଆଜିର ଆଲୋଚନା ବି ମା'-ବାପାଙ୍କର ସେଇ ଦାୟିତ୍ୱକୁ ନେଇ।
ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ ବା WHO ଅନୁସାରେ, ମାଦକ ଦ୍ରବ୍ୟ ବା ଏଲିସିଟ୍ ପଦାର୍ଥଗୁଡିକର ଏହି କ୍ଷତିକାରକ, ଭୟଙ୍କର ଓ ଅପବ୍ୟବହାରକୁ ନିଶାସକ୍ତ ଅବସ୍ଥା ବା substance abuse କୁହାଯାଏ। ବାରମ୍ବାର ଏହି ନିଶାଦ୍ରବ୍ୟ ବା ସାଇକୋଆକ୍ଟିଭ ଏଜେଣ୍ଟ୍ଗୁଡିକର ବ୍ୟବହାର ଦ୍ୱାରା ଶରୀରରେ ଗୋଟିଏ ଡିପେଣ୍ଡାନ୍ସ (ନିର୍ଭରଶୀଳତା) ସିଣ୍ଡ୍ରୋମ୍ ଦେଖାଯାଏ, ଯାହା ମଣିଷର ଚିନ୍ତା, ଚେତନା, ବ୍ୟବହାର ଓ ଦୈନନ୍ଦିନ ଜୀବନ ଉପରେ କୁପ୍ରଭାବ ପକାଏ ଏବଂ ମଣିଷ ବାରମ୍ବାର ସେଇ ଦ୍ରବ୍ୟଗୁଡିକୁ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରେ। ଧୀରେ ଧୀରେ ମଣିଷ ନିଜକୁ ଏଥିରୁ ନିବୃତ ରଖିବାରେ ଅସୁବିଧା ବୋଧ କରେ ଓ ଗ୍ରହଣ ନକଲେ କେବଳ ମାନସିକ ନୁହେଁ ବରଂ ଶାରୀରିକ ସମସ୍ୟା (withdrawal symptoms) ଦେଖାଯାଏ।
ନିଶାସେବନ ବା Substance Abuse ର ସାଧାରଣ ଶାରୀରିକ ଲକ୍ଷଣ:
- ଆଖି ଓ ମୁହଁର ଚର୍ମ ଲାଲ୍ ଦେଖାଯିବା
- ଓଜନ ହ୍ରାସ
- ସଫାସୁତୁରା ଓ ନିତ୍ୟକର୍ମ ଉପରେ ଧ୍ୟାନ ନଦେବା
- ନିଦ ନହେବା
- କଥାବାର୍ତ୍ତା ଓ କାର୍ଯ୍ୟରେ ତାଳମେଳର ଅଭାବ
- ନିଶ୍ୱାସପ୍ରଶ୍ୱାସ, ପାଟି ଓ ଲୁଗାପଟାରୁ ଅସ୍ୱାଭାବିକ ଦୁର୍ଗନ୍ଧ
- ଟ୍ରାକ୍ ମାର୍କ ଓ ଜାଗାଜାଗା ବଥ ହେବା (ବାରମ୍ବାର ଛୁଞ୍ଚି ଫୋଡିବା ଦ୍ୱାରା)
ନିଶାସେବନ ବା Substance Abuse ର ସାଧାରଣ ମାନସିକ ଓ ବ୍ୟବହାରଗତ ଲକ୍ଷଣ:
- ଏକାଗ୍ରତାର ଅଭାବ
- ପାଠପଢା, ଶିକ୍ଷକ ଓ ସ୍କୁଲକୁ ନେଇ ବାରମ୍ବାର ଅଭିଯୋଗ ତଥା ସ୍କୁଲରେ ପରଫରମାନ୍ସ ଦିନକୁ ଦିନ ଖରାପ ହେବା।
- ମିଛ କହିବା ଓ ଠକିବା ବଢିଯିବା
- ମୁଡ୍ ସ୍ୱିଙ୍ଗ୍ ଓ ଅସ୍ଥିର ହେବା
- ଅତ୍ୟଧିକ ଅଳସୁଆ କିମ୍ବା ଅତ୍ୟଧିକ ଆକ୍ଟିଭ ରହିବା
- ନିଜ ଭାବପ୍ରବଣତା ଓ ବ୍ୟବହାର ଉପରେ ନିୟନ୍ତ୍ରଣ ହରାଇବା। ବାରମ୍ବାର ସାଙ୍ଗମାନଙ୍କ ସହ କଳି-ଝଗଡ଼ା କରିବା।
- ପାରିବାରିକ ଓ ସାମାଜିକ କାର୍ଯ୍ୟକଳାପରେ ନିସ୍ପୃହତା। ପିକ୍ନି୍କ, ପାର୍ଟି, ଫଙ୍କସନ୍ଠୁ ଦୂରଇ ରହିବା। ପୁରୁଣା ବନ୍ଧୁଙ୍କ ଠାରୁ ଦୂରେଇ ଯିବା।
- ନିଜକୁ ଦୋଷୀ ଓ ପ୍ରଚଳିତ ସମାଜରେ ମିସ୍ଫିଟ୍ ଭାବିବା
- ମାନସିକ ଅବସାଦ
- ଆତ୍ମବିଶ୍ୱାସ ହରାଇବା
- ନିଜକୁ ନିଜେ ଘୃଣା କରିବା ଓ ଆତ୍ମହତ୍ୟା ପ୍ରବଣତା
- ହଠାତ ପକେଟ୍ ମନି ପାଇଁ ବାରମ୍ବାର ଜିଦ୍ କରିବା ଓ ଆବଶ୍ୟକତା ବଢିଯିବା, ବାରମ୍ବାର ପଇସା ମାଗିବା।
- ନିଜର ଖାଇବାପିଇବା ଓ ବେଶଭୂଷା ପ୍ରତି ଧ୍ୟାନ ନଦେବା।
- ଶୋଇବା ଅଭ୍ୟାସ ଓ ସମୟରେ ଅସମୟାନୁବର୍ତ୍ତିତା
ମା'-ବାପାଙ୍କ ଦାୟିତ୍ୱ:
ସମୟ ଦିଅନ୍ତୁ:
ମା'-ବାପା ପିଲାଙ୍କୁ ସମୟ ଦେବା (quality time) କେବଳ ସନ୍ତାନମାନଙ୍କର ବର୍ତ୍ତମାନ କିମ୍ବା ଭବିଷ୍ୟତକୁ ପ୍ରଭାବିତ କରେନି ବର° ସେମାନଙ୍କ ଭିତରର ବଣ୍ଡି°କୁ ମଧ୍ୟ ମଜଭୁତ କରେ। ଛୁଆଟି ମା'-ବାପାଙ୍କୁ ବନ୍ଧୁ ଭାବିଲେ ହିଁ ନିଜ ମନକଥା କହିପାରେ। ସବୁବେଳେ ଆକଟ, ପରାମର୍ଶ ଓ ଆଦେଶ ନ ଦେଇ ତା' ସହ ମିଶି ଖେଳିବା, ପିକ୍ନିକ୍, ପାର୍କ ଓ ମୁଭି ଯିବା ଏବଂ ବହିପଢା, ଆଉଟି°, ପ୍ରୋଜେକ୍ଟ ଓ ହୋମ୍ୱାର୍କ ଆଦି କରିବା ଭଳି କାମ କରନ୍ତୁ।
ଛୁଆଟିର ସାଙ୍ଗ ଓ ବନ୍ଧୁ ପରିସରକୁ ଚିହ୍ନନ୍ତୁ:
ଅଧିକା°ଶ ସମୟରେ ଛାତ୍ରଛାତ୍ରୀମାନେ କୌଣସି ନା କୌଣସି ସାଙ୍ଗ ଦ୍ୱାରା ହିଁ ପ୍ରଥମେ ନିଶାଦ୍ରବ୍ୟର ସ°ସ୍ପର୍ଶରେ ଆସନ୍ତି। ତେଣୁ ମା'-ବାପାଙ୍କର ନିଜ ସନ୍ତାନର ପଢା, ଖେଳ ଓ ସମୟ ଅତିବାହିତ କରୁଥିବା ସାଙ୍ଗସାଥୀ ବା ଗ୍ରୁପ୍ ବିଷୟରେ ଅବଗତ ରହିବା ନିହାତି ଜରୁରୀ। ସେମାନଙ୍କ ବ୍ୟବହାର ଓ ଏକାଡେମିକ୍ସରେ ନେଗେଟିଭ୍ ପରିବର୍ତ୍ତନ ଲକ୍ଷ୍ୟ କଲେ ତୁରନ୍ତ ଶ୍ରେଣୀ ଶିକ୍ଷକ, ଖେଳ/ ଡ୍ୟାନ୍ସ/ ସଙ୍ଗ୍/ ଡ୍ରଇଙ୍ଗ୍ କୋଚ୍ଙ୍କ ସହ ଆଲୋଚନା କରନ୍ତୁ। ତା'ର ସାଙ୍ଗମାନଙ୍କୁ ଭେଟନ୍ତୁ (ଜେରା କଲାପରି ନୁହେଁ, ବନ୍ଧୁତା ଦ୍ୱାରା) ଓ ପଚରାଉଚରା କରନ୍ତୁ।
ଚାଲିଚଳଣ ଓ ବ୍ୟବହାର ଉପରେ ତୀକ୍ଷ୍ଣ ନଜର ରଖନ୍ତୁ:
ନିଜ ସନ୍ତାନର ସ୍କୁଲ୍, କୋଚିଂ, ସ୍ପୋର୍ସ କ୍ଲବ୍ ଆଦିର ସମୟ ଓ ସିଡ୍ୟୁଲ ବିଷୟରେ ଅପଡେଟ୍ ରୁହନ୍ତୁ। ହଠାତ ସିଡ୍ୟୁଲରେ ପରିବର୍ତ୍ତନ ବିଷୟରେ କହିଲେ, ଶିକ୍ଷକ ଓ instructor ମାନଙ୍କ ସହ ଆଲୋଚନା କରନ୍ତୁ। ଯଦି ଆପଣଙ୍କ ସନ୍ତାନ ହଠାତ୍ କୌଣସି ପାର୍ଟି କିମ୍ବା ସାଙ୍ଗ ଘରେ ରାତି ବିତେଇବା ପରି ପ୍ଲାନ୍ ବିଷୟରେ କୁହେ ତେବେ ସେଇ ସାଙ୍ଗ, ତା'ର ଠିକଣା ଜାଣିବା ସହ ଉକ୍ତ ସାଙ୍ଗର ମା'-ବାପାଙ୍କ ସହ ମଧ୍ୟ ଆଲୋଚନା କରନ୍ତୁ।
ଅନେକ କ୍ଷେତ୍ରରେ ଦେଖାଯାଏ ଯେ ଛୁଆମାନେ ନିଜ ରୁମ୍ରେ ନିଶାଦ୍ରବ୍ୟଗୁଡିକୁ ଲୁଚାଇ ରଖନ୍ତି (ସଫ୍ଟଟୟ, ଟେଡି, ବହିଥାକ, ମ୍ୟୁଜିକ ପ୍ଲେୟାର, ଷ୍ଟେରିଓ ସ୍ପିକର, ଟେବଲ ଲ୍ୟାମ୍ପ୍ ତଳେ, ଫ୍ଲସ୍ ଟ୍ୟାଙ୍କ୍, ତକିଆ ଖୋଳ, ଜୋତା, ସୋଡା କେନ୍, ସ୍କାଇଲାଇଟ୍ ପରି ଜାଗାରେ)। ତେଣୁ ସେମାନଙ୍କ ଅନୁପସ୍ଥିତିରେ ନୁହେଁ ବର° ସେମାନଙ୍କ ସହ ମିଶି ନିୟମିତ ରୁମ୍ର ସଫେଇ କରନ୍ତୁ।
NDDTC ଦ୍ୱାରା କରାଯାଇଥିବା ସର୍ଭେରେ ଦେଖାଯାଇଛି ଯେ ନିଶାସକ୍ତ ୪୦% ଛାତ୍ରଛାତ୍ରୀଙ୍କ ଅନୁସାରେ ସେମାନଙ୍କ ପରିବାରର କେହି ନା କେହି ସଦସ୍ୟ ନିଶା ସେବନ କରିଥିବା ସେମାନେ ଦେଖିଥାନ୍ତି। ତେଣୁ ଅନେକ ପ୍ରଥମେ ଏହାକୁ ଏକ ସାଧାରଣ କଥା ଭାବି ହିଁ ଗ୍ରହଣ କରିବା ଆରମ୍ଭ କରନ୍ତି ଏବଂ ଆଉ କିଛି କୌତୂହଳ ପାଇଁ।
ତେଣୁ ଏହା ମା'-ବାପା ଓ ଘରର ଅନ୍ୟ ବୟସ୍କ ସଦସ୍ୟମାନଙ୍କ ଦାୟିତ୍ୱ ଯେ ସେମାନେ ଘରେ ଛୁଆମାନଙ୍କ ସାମ୍ନାରେ କୌଣସି ପ୍ରକାର ନିଶା ଦ୍ରବ୍ୟ ସେବନ କରିବେ ନାହିଁ। ଅନ୍ୟ ବ୍ୟବହାର ପରି ଛୁଆଟିଏ ଏଇ ବ୍ୟବହାରକୁ ମଧ୍ୟ ସହଜରେ ଗ୍ରହଣ କରିପାରିବ।
ନିଶାଦ୍ରବ୍ୟ ଓ ସେଗୁଡିକୁ ସେବନ କରିବା ପ୍ରଣାଳୀ ବିଷୟରେ ନିଜେ ମଧ୍ୟ ଜ୍ଞାନ ରଖନ୍ତୁ:
- ସାଧାରଣତଃ ମାରିଜୁଆନା (ଗଞ୍ଜେଇ) ଛୋଟ ପଲିଇଥାଇଲିନ୍ ପ୍ୟାକେଟ୍, ଫଏଲ୍ ବା ଫିଲ୍ମ ଭିତରେ ରଖାଯାଏ। ଏହାକୁ ସାଧାରଣତଃ କାଗଜରେ ଗୁଡାଇ ସିଗାରେଟ୍ ପରି କରି ଟଣାଯାଏ ବା ସ୍ମୋକ୍ କରାଯାଏ। ସେହିପରି କୋକେନ୍କୁ ମଧ୍ୟ ଷ୍ଟ୍ର, ପେପର, ଗ୍ଲାସ୍ ପାଇପ୍ ଓ ଛୋଟ ସ୍ପୁନ୍ ସାହାଯ୍ୟରେ ସ୍ମୋକ୍ କରାଯାଏ। ହେରୋଇନ୍କୁ ସାଧାରଣତଃ ହାତ ଓ ଜ°ଘରେ ଇଞ୍ଜେକସନ୍ ସାହାଯ୍ୟରେ ନିଆଯାଏ। ଏସବୁ ଜାଣିବା ଦ୍ୱାରା ଆପଣଙ୍କ ସନ୍ତାନଟିର କାର୍ଯ୍ୟକଳାପ ଓ ବ୍ୟବହାର ଉପରେ ନଜର ରଖିପାରିବେ।
- ନିଶାଦ୍ରବ୍ୟ ଓ ସେସବୁର ବ୍ୟବହାର ଦ୍ୱାରା ଦେଖାଯାଉଥିବା ଶାରୀରିକ, ମାନସିକ ଓ ସାମାଜିକ କୁପ୍ରଭାବ ବିଷୟରେ ଖବରକାଗଜ, ମ୍ୟାଗାଜିନ୍, ଡକ୍ୟୁମେଣ୍ଟାରି ଓ ବିଭିନ୍ନ ରିପୋର୍ଟଗୁଡିକୁ ନିଜ ସନ୍ତାନ ସହ ବସି ମିଶିକି ପଢନ୍ତୁ, ଦେଖନ୍ତୁ ଓ ଆଲୋଚନା କରନ୍ତୁ। ଏଗୁଡିକ ଦ୍ୱାରା ହେଉଥିବା କ୍ଷୟକ୍ଷତି ବିଷୟରେ ନିଜ ସନ୍ତାନକୁ ଜାଣିବାର ସୁଯୋଗ ଦିଅନ୍ତୁ। କୌଣସି ସାଙ୍ଗ କିଛି ନୂଆ ଜିନିଷ ଚାଖିବାକୁ କିମ୍ବା ଟ୍ରାଏ କରିବାକୁ ଉସ୍କାଇଲେ ତୁରନ୍ତ ଘରେ ଜଣାଇବା ପାଇଁ ବୁଝାନ୍ତୁ।
- ସ୍କୁଲ୍ କର୍ତ୍ତୃପକ୍ଷ, ନିଜ କଲୋନୀ ଓ ସୋସାଇଟିରେ ନିଶାଦ୍ରବ୍ୟ ଓ ସେବନକୁ ନେଇ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରନ୍ତୁ। ନିଜ ଅଞ୍ଚଳରେ ଡିଆଡିକସନ୍ ସେଣ୍ଟର ପ୍ରତିଷ୍ଠାରେ ସହଯୋଗ କରନ୍ତୁ।
- ନିଜ ସନ୍ତାନର ବ୍ୟବହାର, ପାଠପଢା, ଦୈନନ୍ଦିନ କର୍ଯ୍ୟକଳାପରେ ପରିବର୍ତ୍ତନ ଓ ନିଜେ ଏହାକୁ ସୁଧାରିବାରେ ଅସୁବିଧା ଅନୁଭବ କଲେ ଚାଇଲ୍ଡ ସାଇକୋଲୋଜିଷ୍ଟ, ଚାଇଲ୍ଡ କାଉନସେଲର କିମ୍ବା ସାଇକିଆଟ୍ରିଷ୍ଟଙ୍କ ସହାୟତା ନିଅନ୍ତୁ।
- ଛୋଟଛୁଆ ବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ସାଧାରଣତଃ ଦେଖାଯାଏ ଯେ, ଏସବୁ ଦ୍ରବ୍ୟ ସହଜରେ ଉପଲବ୍ଧ ହେବା କାରଣରୁ କିମ୍ବା ପାଠପଢା ଓ ପାରିବାରିକ ଚାପରୁ ମୁକ୍ତି ପାଇବା ପାଇଁ ପ୍ରଥମେ ସେମାନେ ନିଶାଦ୍ରବ୍ୟ ଗ୍ରହଣ କରିବା ଆରମ୍ଭ କରିଥାନ୍ତି। ତେଣୁ ନିଜ କିଶୋର ସନ୍ତାନଟିକୁ ନିଶାସକ୍ତ ହେବାରୁ ରକ୍ଷା କରିବାରେ ବିଦ୍ୟାଳୟ ଅପେକ୍ଷା ମା'-ବାପାଙ୍କର ଅଧିକ ଭୂମିକା ଥାଏ। ଆଉ ନିଜେ ସଚେତନ ହେବା ହିଁ ଏପରି କୌଣସି ଅପରିସ୍ଥିତିରୁ ବଞ୍ଚାଇଥାଏ।