• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗୋପାଳନ ଓ କୁକୁଡ଼ା ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସନ୍ଧ୍ୟାରାଣୀ

  • ସେ ଏବେ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଆଲୋକ ବର୍ତ୍ତିକା 

ବରଗଡ଼(ଦୀପକ ଶର୍ମା) : ନିପଟ ମଫସଲରେ ଘର । ସ୍ୱାମୀ ଅଟୋ ଚଲାନ୍ତି । ଗୋପାଳନ ଓ କୁକୁଡ଼ା ଚାଷ ଦେଖାଇଛି ବଞ୍ଚିବାର ରାହା । ଘରେ ଗାଈ-କୁକୁଡା ରଖି ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାବଲମ୍ୱୀ ହୋଇପାରିଛନ୍ତି । କେବଳ ସରକାରୀ ଚାକିରୀ କିମ୍ବା ବଡ ବ୍ୟବସାୟ ଯେ ଜଣକର ଜୀବନଶୈଳୀ ବଦଳାଇ ପାରେ ତା ନୁହେଁ ଗୋପାଳନ ଓ କୁକୁଡ଼ା ଚାଷରୁ ମଧ୍ୟ ଲକ୍ଷାଧିକ ଟଙ୍କା ରୋଜଗାର କରାଯାଇ ପାରେ ଏକଥା ପ୍ରମାଣ କରି ଦେଖାଇଛନ୍ତି ବରଗଡ଼ ଜିଲ୍ଲା ସଦର ବ୍ଲକ ପିପିଲିପାଲି ଗ୍ରାମର ସନ୍ଧ୍ୟାରାଣୀ କୁମାର । ଭଲ ରୋଜଗାର କରିବା ସହ ଅନ୍ୟ ମହିଳାଙ୍କ ଉଦାହରଣ ସାଜିଛନ୍ତି । ଏବେ ପାଖଆଖ ଗାଁର ମହିଳାମାନେ ତାଙ୍କୁ ଅନୁସରଣ କରିବାରେ ଲାଗିଛନ୍ତି ।

ବରଗଡ଼ ସହର ନିକଟସ୍ଥ ପିପିଲିପାଲି ଟିକ୍ରାପଡ଼ାରେ ରହନ୍ତି ସନ୍ଧ୍ୟାରାଣୀ କୁମାର । ତାଙ୍କର ସ୍ୱାମୀଙ୍କର ଏକ ଅଟୋ ରିକ୍ସା ଅଛି । ଭାରତ ସରକାରଙ୍କ ରାଷ୍ଟ୍ରୀୟ ପ୍ରାଣୀଧନ ମିଶନ ଜରିଆରେ ତାଙ୍କୁ କୁକୁଡ଼ା ପାଳନ ପାଇଁ ୧ଲକ୍ଷ ୧୩ ହଜାର ଟଙ୍କା ଏବଂ ୨୦୨୦ -୨୧ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗାଈ ଗୁହାଳ ତିଆରି ପାଇଁ ତାଙ୍କୁ ଆର୍ଥିକ ସହାୟତା ମିଳିଥିଲା । ଆର୍ଥିକ ସାହାଯ୍ୟ ପାଇ ସନ୍ଧ୍ୟାରାଣୀ ନିଜେ ଗୋପାଳନ କରିବା ସହ କୁକୁଡ଼ା ଫାର୍ମ କରିଛନ୍ତି । ତାଙ୍କ କୁକୁଡ଼ା ଫାର୍ମରେ ବନରାଜ, ସୋନାଲି, କଡ଼କନାଥ ଏବଂ ଦେଶୀ କୁକୁଡ଼ା ପାଳନ କରି ଅଣ୍ଡା ଏବଂ କୁକୁଡ଼ା ବିକ୍ରୀ କରି ଉପାର୍ଜନକ୍ଷମ ହୋଇପାରିଛନ୍ତି ।

୨୦୧୭ ମସିହାରେ ସ୍ୱେଚ୍ଛାସେବୀ ସଂଗଠନ ନିଉ ଲାଇଫ ଫାଉଣ୍ଡେସନରୁ ପ୍ରେରଣା ଲାଭ କରି ସନ୍ଧ୍ୟାରାଣୀ ତାଙ୍କ ବସ୍ତିର କିଛି ମହିଳା ମାନଙ୍କ ସହିତ ମିଶି ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ବ୍ୟାଙ୍କ ପକ୍ଷରୁ ସେମାନଙ୍କୁ ଋଣ ପ୍ରଦାନ କରାଯାଇଥିଲା । ଠିକ ସମୟରେ ଋଣ ପରିଶୋଧ ଯୋଗୁଁ ସନ୍ଧ୍ୟାରାଣୀଙ୍କୁ ନାବାର୍ଡ଼ ପକ୍ଷରୁ ଗୋପାଳନ, କୁକୁଡ଼ା ପାଳନ, ମାଛ ଚାଷ, ଛତୁ ଚାଷ ଆଦି ସଂପର୍କରେ ତାଲିମ ଦିଆଯାଇଥିଲା । ତାଲିମ ଗ୍ରହଣ କରି ସନ୍ଧ୍ୟାରାଣୀ ତାଙ୍କ ଘରେ ଏକ ଛୋଟିଆ କୁକୁଡ଼ା ଫାର୍ମ କରିଛନ୍ତି । ଦୁଇଟି ଗାଈ ମଧ୍ୟ ରଖିଛନ୍ତି । ଗାଈ କ୍ଷୀର ଓ କୁକୁଡାରୁ ସେ ମାସକୁ ୧୦ ରୁ ୧୨ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ଲକଡ଼ାଉନ ସମୟରେ ସ୍ୱାମୀଙ୍କ ଅଟୋରିକ୍ସା ବନ୍ଦ ହୋଇଯାଇଥିଲେ ମଧ୍ୟ ନିଜେ ସ୍ୱାବଲମ୍ବୀ ହୋଇଥିବା ଯୋଗୁ ପରିବାରର କୌଣସି ଅସୁବିଧା ହୋଇ ନଥିଲା ବୋଲି କହନ୍ତି ସନ୍ଧ୍ୟାରାଣୀ ।

ସନ୍ଧ୍ୟାରାଣୀ ଏବେ ଆଖପାଖର ଅନେକ ମହିଳାଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ନିକଟରେ ରାଷ୍ଟ୍ରୀୟ କୃଷି ଓ ଗ୍ରାମ୍ୟ ବିକାଶ ନାବାର୍ଡ଼ର ପ୍ରତିଷ୍ଠା ଦିବସରେ ସନ୍ଧ୍ୟାରାଣୀଙ୍କୁ ଶ୍ରେଷ୍ଠ ମହିଳା ଚାଷୀ ଭାବରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କଠାରୁ ପୁରସ୍କୃତ ହୋଇଥିଲେ । ତାଙ୍କର ନିଷ୍ଠା ଏବଂ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ନିଉ ଲାଇଫ ଫାଉଣ୍ଡେସନର ମୁଖ୍ୟ କଳାକାହ୍ନୁ ଦୀପ । ତା ସହ ନାବାର୍ଡ଼ ପକ୍ଷରୁ ସାଧାରଣ ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ସନ୍ଧ୍ୟାରାଣୀ ଏଥିରେ ଉପକୃତ ହେବା ସହ ନିଜ ଆୟକୁ ବୃଦ୍ଧି କରି ପାରିଛନ୍ତି ବୋଲି କହିଛନ୍ତି ନାବାର୍ଡ଼ର ବରଗଡ଼ ଜିଲ୍ଳା ପରିଚାଳକ ହଟକିଶୋର ବେହେରା । ଦୃଢ ଇଚ୍ଛାଶକ୍ତି ଓ ବଳରେ ସଂନ୍ଧ୍ୟାରାଣୀ ନିଜେ ସ୍ୱାବଲମ୍ବୀ ହେବାସହ ନିଜକୁ ଅବଳା ଓ ଦୁର୍ବଳା ଭାବୁଥିବା ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।