• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଛାତିର କୋହକୁ ଛାତି ତଳେ ଚାପି ରଖି ପାରୁନାହିଁ ସେ । ଆଖି କୋଣରୁ ଧାର ଧାର ହୋଇ ବୋହିଯାଉଛି ଅସହାୟତାର ଅଶ୍ରୁ । ଆଗକୁ ପଛକୁ କେହି ନାହିଁ ତାର । ଯାହା ହାତ ଧରି ସଂସାର ଗଢିଥିଲା, ସେ ଆଜି ନିସ୍ତେଜ ହୋଇ ଖଟରେ ପଡ଼ି ରହିଛନ୍ତି । କୋଳରେ ୫ ବର୍ଷର ଝିଅ । ହାତରେ ନାହିଁ ଦୁଇ ନାଲି ପଇସା । ୧୨ ବର୍ଷର କୁନିପୁଅ ଯାଇ ମୂଲ ଖଟିଲେ ୪ ଜଣଙ୍କ ପେଟକୁ ଦାନା ଯାଉଛି, କେମିତି ସହିବ ! କାହାକୁ କହିବ ! ନିଜ କୁନି ପୁଅର କଅଁଳ ହାତର ରୋଜଗାର ଖାଇଲା ବେଳକୁ ମାଆର ଛାତି ଫାଟି ଯାଉଛି.. କିନ୍ତୁ କରିବ କଣ ! ହାତ ଯୋଡି ସରକାରଙ୍କୁ ସହାୟତା ଲାଗି ଗୁହାରି କରୁଛି...

ସବୁ କିଛି ଠିକ୍ ଚାଲିଥିଲା.. କିନ୍ତୁ ଗୋଟିଏ ସଡ଼କ ଦୁର୍ଘଟଣା ପରିବାରକୁ ଛାରଖାର୍ କରିଦେଲା । ଗଞ୍ଜାମ ଜିଲ୍ଲା ଆସିକା ଏନ୍ଏସି ଅଧୀନ ଲଛମନପଲ୍ଲୀ ଗାଁର ଦଣ୍ଡପାଣି ନାହାକ, ବୟସ ମାତ୍ର ୩୫ ବର୍ଷ । ବସ୍‌ ହେଲପର୍ ଭାବେ କାର୍ଯ୍ୟ କରି ସେ ପରିବାର ପୋଷୁଥିଲେ । ହଟାଥ୍‌ ଦିନେ ଦୁର୍ଘଟଣାରେ ଶିକାର ହୋଇ ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଲା । ସଂପୂର୍ଣ୍ଣ ଶରୀର ନିସ୍ତେଜ ହୋଇଗଲା । ସ୍ନାୟୁ କାମ କରିବା ବନ୍ଦ କରିଦେଲା ।

ଫଳରେ ଦଣ୍ଡପାଣି ଆଉ ଉଠିପାରିଲେନି କି ବସିପାରିଲେନି । ଧାରକରଜ କରି ବିଭିନ୍ନ ଡାକ୍ତରଙ୍କୁ ଦେଖାଇଲେ । BSKY କାର୍ଡରେ ତାଙ୍କୁ ସହାୟତା ମିଳିଥିଲା । ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ କିଛିଦିନ ଧରି ସେ ଚିକିତ୍ସିତ ହେଲେ । କିନ୍ତୁ ଉନ୍ନତମାନର ଚିକିତ୍ସା ପାଇଁ ବହୁ ମୂଲ୍ୟବାନ୍ ଔଷଧ ତାଙ୍କୁ ବାହାରୁ କିଣିବାକୁ ପଡ଼ିଲା । ଟଙ୍କା ସରିଯିବା ପରେ ଏବେ ଦଣ୍ଡପାଣି ଘରକୁ ଫେରିଆସିଛନ୍ତି । ଅସ୍ତ୍ରୋପଚାର ହିଁ ଏକମାତ୍ର ବିକଳ୍ପ ବୋଲି ଡାକ୍ତର କହିଛନ୍ତି ।

ଦଣ୍ଡପାଣିଙ୍କ ଏଭଳି ଅବସ୍ଥା ପରେ ଘର ଚଳିବା, ପିଲାଙ୍କ ପାଠପଢା ସବୁ ଠପ୍ ହେଇଗଲା । ଦୁଇଓଳା ଦାନା ଯୋଗାଡ଼ କରିବାକୁ ୧୨ ବର୍ଷର ପୁଅ ଏକ ତେଜରାତି ଦୋକାନରେ ମୂଲ ଲାଗୁଛି । ଦିନତମାମ ଖଟିଲେ ୧୨୦ ଟଙ୍କା ମିଳୁଛି । ସେତିକିରେ ଚଳୁଛି ପୂରା ପରିବାର । ଏପଟେ ଶଯ୍ୟାଶାୟୀ ସ୍ୱାମୀର ଯତ୍ନ ନେଉଛନ୍ତି ସ୍ତ୍ରୀ ନିଲୁ । ୫ ବର୍ଷର କୁନି ଝିଅ ବି ବୁଝିସାରିଛି ଘରେ କିଛି ଠିକ୍ ନାହିଁ ।

ଦଣ୍ଡପାଣିଙ୍କ ଏଭଳି ଅବସ୍ଥାରେ ସପ୍ତମ ଶ୍ରେଣୀରେ ପଢୁଥିବା ତାଙ୍କ ୧୨ ବର୍ଷର ପୁଅ ବିକାଶ କଅଁଳ ବୟସରେ ମୂଲିଆ ସାଜିଛି । ଯେଉଁ କାନ୍ଧରେ ବହି ବସ୍ତାନି ଧରି ସ୍କୁଲ୍ ଯିବା କଥା, ସେହି କଅଁଳିଆ କାନ୍ଧରେ ଆଜି ସେ ପରିବାରର ବୋଝ ବୋହୁଛି । ତେଣୁ ବିକାଶ ପାଠପଢ଼ା ଛାଡ଼ିଦେଇଛି ।